ଯୋଗୀଙ୍କୁ ଶିବସେନାର ପ୍ରଶ୍ନ: ନେପାଳର ଦାଉଦ ଇବ୍ରାହିମ ହେବ କି ବିକାଶ ଦୁବେ?
Advertisement

ଯୋଗୀଙ୍କୁ ଶିବସେନାର ପ୍ରଶ୍ନ: ନେପାଳର ଦାଉଦ ଇବ୍ରାହିମ ହେବ କି ବିକାଶ ଦୁବେ?

କାନପୁର ମାମଲାରେ ସିଏମ ଯୋଗୀଙ୍କ ଠାରୁ ଜବାବ ମାଗିଛି ଶିବସେନା।   

 ଯୋଗୀଙ୍କୁ ଶିବସେନାର ପ୍ରଶ୍ନ: ନେପାଳର ଦାଉଦ ଇବ୍ରାହିମ ହେବ କି ବିକାଶ ଦୁବେ?

ମୁମ୍ବାଇ: ଉତ୍ତର ପ୍ରଦେଶର କାନପୁରରେ ପୋଲିସ ବାହିନୀ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ରାଜ୍ୟରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାରଙ୍କୁ ଟାର୍ଗେଟ କରିଛି, ମହାରାଷ୍ଟ୍ରର ଶାସନଗାଦିରେ ବସିଥିବା ଶିବସେନା। ଏ ପ୍ରସଙ୍ଗରେ ଜବାବ ମାଗି ଦଳ ପକ୍ଷରୁ କୁହାଯାଇଛି ବର୍ତ୍ତମାନର ୟୁପି ସରକାରଙ୍କ ପକ୍ଷରୁ ୩ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିବା ଏନକାଉଣ୍ଟର ତାଲିକାରେ ବିକାଶ ଦୁବେକୁ କାହିଁକି ଅନ୍ତର୍ଭୁକ୍ତ କରାଯାଇନାହିଁ?
 
ଏନେଇ ଶିବସେନା ମୁଖପତ୍ର 'ସାମନା' ସମ୍ପାଦକୀୟରେ ଲେଖିଯାଇଛି, " ଏପରି ନ ହେଉ ବିକାଶ ଦୁବେ ନେପାଳ ପଳାୟନ କରି ସେଠାକାର ଦାଉଦ ଇବ୍ରାହିମ ନହେଉ। ଉତ୍ତରପ୍ରଦେଶ ଭଳି ରାଜ୍ୟ ବିଗତ ଦଶନ୍ଧି ଧରି ଅପରାଧିକ କାର୍ଯ୍ୟକଳାପ ଲାଗି ବଦନାମ ହୋଇଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଗୁଣ୍ଡାଗର୍ଦ୍ଦିକୁ ଶେଷ କରି ଦିଆଯାଇଛି ବୋଲି ଅନେକ ଥର ଦାବି କରିଛନ୍ତି। ହେଲେ କାନପୁର ଘଟଣା ଅପରାଧ ନିୟନ୍ତ୍ରଣ ନେଇ ସିଏମ ଯୋଗୀଙ୍କ ପକ୍ଷରୁ କରାଯାଉଥିବା ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। "

ଜୁଲାଇ ୨ ତାରିଖ ରାତିରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗ୍ୟାଙ୍ଗର ନିର୍ଦ୍ଦୟ ଆକ୍ରମଣରେ ୮ ପୋଲିସକର୍ମୀଙ୍କ ଶହୀଦ ହେବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଜଣେ ପୋଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପଦବୀର ଜଣେ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି । ସେଦିନ ରାତିରେ ୟୁପି ପୋଲିସର ଏକ ଟିମ କାନପୁର ଜିଲ୍ଲାର ଚୌବେପୁର ଥାନା ଅଧିନସ୍ଥ ବିକାରୁ ଗ୍ରାମରେ କୁଖ୍ୟାତ ଅପରାଧି ବିକାଶକୁ ଧରିବା ପାଇଁ ଚଢାଉ କରାଯାଇଥିଲା।   

ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ବାବଦରେ ପୂର୍ବରୁ ସୁରାକ ପାଇଥିବା ବିକାଶ ଦୁବେ ଗ୍ୟାଙ୍କ ପକ୍ଷରୁ ହୋଇଥିବା ଅତର୍କିତ ଆକ୍ରମଣ ଏବଂ ଗୁଳିମାଡ କାରଣରୁ ୮ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏ ଘଟଣାରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ୩ ସବ୍-ଇନ୍ସପେକ୍ଟର ଏବଂ ୪ ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏ ମାମଲାରେ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିକାଶର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ ତାକୁ ଧରିବା ପାଇଁ ଅନୁସନ୍ଧାନ ଜାରିରହିଛି।

ଏ ଘଟଣାରେ, ଚୌବେପୁର ପୋଲିସ ଷ୍ଟେସନ ମୁଖ୍ୟ ମୁଖ୍ୟ ବିନୟ ତିୱାରୀଙ୍କୁ ନିଲମ୍ବିତ କରାଯିବା ସହ, ତଦନ୍ତ ଜାରି ରହିଛି। ପୋଲିସ-ଅପରାଧିଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କାନପୁର ଘଟଣାରୁ ସ୍ପଷ୍ଟ ହୋଇଛି।  ଏହି ହତ୍ୟାକାଣ୍ଡ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ବିକାଶ ଦୁବେର ଘରକୁ ଭଙ୍ଗାଯିବା ସହ କୁହାଯାଇଛି ଏହା ବେଆଇନ ଭାବେ ନିର୍ମିତ ହୋଇଥିଲା। 

ବିକାଶ ଦୁବେ ନେପାଳକୁ ପଳାୟନ କରିବାର ଆଶଙ୍କା ଥିବାରୁ ଉତ୍ତରପ୍ରଦେଶ ପୋଲିସ ଆନ୍ତରାଜ୍ୟ ସୀମାକୁ ସିଲ କରିବା ନେଇ ଖବର ମିଳିଛି। ଯଦିଓ ଭାରତ-ନେପାଳ ସୀମା ସବୁବେଳେ ଏଭଳି ପରିସ୍ଥିତି ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସମୟରେ ନେପାଳ ସହିତ ଆମର ସମ୍ପର୍କ ମଧ୍ୟ ଭଲ ନୁହେଁ। ଏହି ଦୃଷ୍ଟିକୋଣରେ, ଆସନ୍ତାକାଲି ବିକାଶ ଦୁବେ ଆମ ପାଇଁ ନେପାଳର ଦାଉଦ ଇବ୍ରାହିମ ନ ପାଲଟୁ ସେଥିଲାଗି ସତର୍କ ରହିବାର ଆବଶ୍ୟକତା ରହିଛି । ପୋଲିସ ଏ ଘଟଣାରେ ବିକାଶର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଖୁବ ଶୀଘ୍ର ସେ କବଜାକୁ ଆସିବା ନେଇ ଆଶାବାଦୀ ରହିଛନ୍ତି ଉତ୍ତରପ୍ରଦେଶର ଏନକାଉଣ୍ଟର ସ୍ପେଶାଲିଷ୍ଟ ସରକାର ଏବଂ ପୋଲିସ ।