ଶ୍ରମିକ ସ୍ପେଶାଲ ଟ୍ରେନ: ରେଳବାଇର ଖର୍ଚ୍ଚ ହୋଇଛି ୨୧୪୨ କୋଟି, ଆୟ କରିଛି ୪୨୯ କୋଟି
Advertisement

ଶ୍ରମିକ ସ୍ପେଶାଲ ଟ୍ରେନ: ରେଳବାଇର ଖର୍ଚ୍ଚ ହୋଇଛି ୨୧୪୨ କୋଟି, ଆୟ କରିଛି ୪୨୯ କୋଟି

ଲକ ଡାଉନ ବେଳେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳରୁ କେତେ ଲାଭ ଏବଂ କ୍ଷତି ହୋଇଛି  ସେ ବାବଦରେ ଗଣମାଧ୍ୟମକୁ ଜଣାଇଛି ଭାରତୀୟ ରେଳବାଇ। 

ଶ୍ରମିକ ସ୍ପେଶାଲ ଟ୍ରେନ: ରେଳବାଇର ଖର୍ଚ୍ଚ ହୋଇଛି ୨୧୪୨ କୋଟି, ଆୟ କରିଛି ୪୨୯ କୋଟି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କୋରୋନାର ମୁକାବିଲା ଲାଗି ଦେଶବ୍ୟାପୀ ଜାରି ହୋଇଥିଲା ଲକଡାଉନ। ଏହି ସମୟରେ ବିଭିନ୍ନ ଭାଗରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଲାଗି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଇଥିଲା । ଯାହା ଶ୍ରମିକ ଟ୍ରେନ ଭାବେ ଜଣାଶୁଣା । ଏହାକୁ ଚଳାଇବାରେ ଭାରତୀୟ ରେଳବାଇ ପକ୍ଷରୁ ୨୧୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।  ଅନ୍ୟପଟେ ରାଜସ୍ୱ ବାବଦରେ ୪୨୯ କୋଟି ଆୟ କରିଛି ରେଳବାଇ । 

ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାରେ ସର୍ବାଧିକ ଖର୍ଚ୍ଚ କରିଛନ୍ତି ଗୁଜୁରାଟ ସରକାର । ପ୍ରାୟ ୧୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଲାଗି ଚଳାଚଳ କରିଥିବା ୧୦୨୭ ଟ୍ରେନର ଭଡା ବାବଦକୁ ୧୦୨ କୋଟି ପ୍ରଦାନ କରିଛନ୍ତି । ଅନ୍ୟପଟେ ୧୨ ଲକ୍ଷ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି ଯାତ୍ରା କରିଥିବା ୮୪୪ ଶ୍ରମିକ ସ୍ପେଶାଲ ଟ୍ରେନର ଭଡା ବାବଦରେ ୮୫ କୋଟି ପ୍ରଦାନ କରିଛନ୍ତି ମହାରାଷ୍ଟ୍ର ସରକାର। ସେହିପରି ତାମିଲନାଡୁ ସରକାର ୨୭୧ ଟ୍ରେନର ଭଡା ବାବଦକୁ ୩୪ କୋଟି ପ୍ରଦାନ କରିଛନ୍ତି ।      

ପ୍ରବାସୀ ଶ୍ରମିକଙ୍କୁ ପଠାଇବା ଲାଗି ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ଯଥାକ୍ରମେ ୨୧ କୋଟି, ୮ କୋଟି ଏବଂ ୬୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ରାଜ୍ୟରେ ସର୍ବାଧିକ ପରିମାଣର ପ୍ରବାସୀ ଶ୍ରମିକ ରହିଥିବା ଜଣାପଡିଛି । 
ଶ୍ରମିକ ସ୍ପେଶାଲଲ ଟ୍ରେନ ଚଳାଇବା ଲାଗି ଜଣେ ଯାତ୍ରୀଙ୍କ ପିଛା ୩୪୦୦ ଟଙ୍କା ଖର୍ଚ୍ଚ କରିଛି ରେଳବାଇ । ସେହିପରି  ମୋଟ ୬୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଲାଗି ମୋଟ ୨୧୪୨ କୋଟି ଟଙ୍କା ଖର୍ଚ୍ଚ କରିଛି ରେଲୱେ । 

ଏନେଇ ରେଳବାଇର ଜଣେ ଅଧିକାରୀ କହିଛନ୍ତି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳା କରିବା ଲାଗି ଖର୍ଚ୍ଚ ହୋଇଥିବା ଟଙ୍କାରୁ ଯାତ୍ରୀଙ୍କ ପାଖରୁ ୧୫ ପ୍ରତିଶତ ଏବଂ ବିଭାଗ ପକ୍ଷରୁ ୮୫ ପ୍ରତିଶତ ଖର୍ଚ୍ଚ ବହନ କରାଯାଇଛି । ଜଣେ ଶ୍ରମିକଙ୍କ ଯାତ୍ରା ପିଛା ହାରାହାରି ଭାବେ ୬୦୦ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ରେଳବାଇ ପକ୍ଷରୁ ଖର୍ଚ୍ଚ ହୋଇଛି ୩୪୦୦ ଟଙ୍କା। ଏପରି ଭାବେ ମୋଟ ୨୧୪୨ କୋଟି ଟଙ୍କା ବ୍ୟୟ କରାଯାଇଛି। 

ମେ ପହିଲାରୁ ୬୩ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିଥିବା ବେଳେ ରେଳବାଇ ପକ୍ଷରୁ ୪୨୯ କୋଟି ଆୟ କରାଯାଇଛି । ଏହା ଦ୍ୱାରା ହୋଇଥିବା ଲାଭ କ୍ଷତି ବାବଦରେ ରେଳବାଇ ପକ୍ଷରୁ କୌଣସି ସମୀକ୍ଷା କରାଯାଇନାହିଁ।  ମହାମାରୀ ବିରୁଦ୍ଧରେ ଚାଲିଥିବହା ଲଢେଇରେ ସହଯୋଗ କରିବା ଲାଗି ଏହା ରେଳବାଇର ଏକ ବିଭାଗୀୟ ପ୍ରୟାସ।

ଶ୍ରମିକ୍ ସ୍ପେଶାଲ୍ ଟ୍ରେନ୍ ଦ୍ୱାରା ଅନେକ ଚାହିଦା ପୂରଣ କରାଯାଇଛି । ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଏହି ସେବା ଜାରି ରହିଥିଲା। ଲକଡାଉନ୍ ପରିବହନ ପ୍ରତିବନ୍ଧକ ଯୋଗୁଁ ହଜାର ହଜାର ଲୋକ ପାଦରେ ଘରକୁ ପହଞ୍ଚିବାକୁ ଚେଷ୍ଟା କରିବା ପରେ ରେଲୱେ ପକ୍ଷରୁ ଗତ ମେ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ସେବା ଆରମ୍ଭ କରାଯାଇଥିଲା। ଜୁଲାଇ ୯ ତାରିଖରେ ଶେଷ ୨ଟି ଟ୍ରେନ୍ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନରୁ ୧୪୪୪୯ ଯାତ୍ରୀଙ୍କ ସହ ଯୋଧପୁର ଏବଂ ଅନ୍ୟଟି ୧୬୨୦ ଯାତ୍ରୀଙ୍କ ସହ ହାୱଡା ଅଭିମୁଖେ ଯାତ୍ରା କରିଥିଲା।

ରେଳବାଇ କହିଛି ଗତ ମେ ମାସରେ ୪୧୦୯, ଜୁନରେ ୪୯୩ ଏବଂ ଜୁଲାଇରେ ୧୩ଟି ଶ୍ରମିକ ଟ୍ରେନ୍ ଚଳାଚଳ କରିଥିଲା । ଏହି ଟ୍ରେନଗୁଡିକ ମଧ୍ୟରୁ ଅଧିକାଂଶ ଗୁଜୁରାଟ ଏବଂ ମହାରାଷ୍ଟ୍ରରୁ ବାହାରି ଥିବା ବେଳେ ଏହା ଉତ୍ତରପ୍ରଦେଶ ଏବଂ ବିହାର ଅଭିମୁଖେ ଯାତ୍ରା କରିଥିଲା ।