)
Road Accident: ଅଶୁଭ ମଙ୍ଗଳବାର! ଚାହୁଁଚାହୁଁ ଘଟିଗଲା ବଡ଼ ଅଘଟଣ। ଝିଅର ନିର୍ବନ୍ଧ ସାରି ଫେରୁଥିଲେ ପୂରା ପରିବାର। କିନ୍ତୁ ଜାଣି ନଥିଲେ ରାସ୍ତାରେ ଛକି ବସିଛି ଜମ। ପିକଅପ୍ ଭ୍ୟାନ୍ ସହ ଜିପ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ଗୋଟିଏ ପରିବାରର ୬ ସଦସ୍ୟ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ଏହି ଭୟଙ୍କର ଦୁର୍ଘଟଣାରେ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି। ଉତ୍ତର ପ୍ରଦେଶର ବଲିଆରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ପଢନ୍ତୁ ପୂରା ଖବର...
ସୂଚନା ଅନୁସାରେ, ୟୁପିର (Dokati Police Station) ଥାନା ଅଞ୍ଚଳର ଏକ ପରିବାର ବଲିଆ ଜିଲ୍ଲାକୁ ନିଜ ଝିଅର ନିର୍ବନ୍ଧ କାର୍ଯ୍ୟ ପାଇଁ ସୋମବାର ଯାଇଥିଲେ। ନିର୍ବନ୍ଧ କାର୍ଯ୍ୟ ସାରି ଦୁଇଟି ଜିପ୍ ଯୋଗେ ଘରକୁ ବିଳମ୍ବିତ ରାତିରେ ଫେରୁଥିଲେ ପରିବାର ଲୋକେ। କିନ୍ତୁ ତାଙ୍କ ଗାଡି ହଲଡି- ବୈରିୟା ସୀମା ବା ବର୍ଡର ନିକଟରେ ପହଞ୍ଚିବା ସମୟରେ ହଠାତ୍ ସାମ୍ନାପଟୁ ଆସିଥିବା ଏକ ପିକଅପ୍ ଭ୍ୟାନ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୋଟିଏ ଜିପ୍ ରେ ଥିବା ୬ ଜଣ ପରିବାର ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଜିପରେ ଥିବା ଲୋକେ ଗୁରୁତର ଭାବେ ମଧ୍ୟ ଆହତ ହୋଇଥିଲେ। ଏ-ନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚି ଥିଲା। ଏବଂ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।