ଅସରନ୍ତି ପ୍ରେରଣାର ଉତ୍ସ ଲାଲ ବାହଦୂର ଶାସ୍ତ୍ରୀ
Advertisement

ଅସରନ୍ତି ପ୍ରେରଣାର ଉତ୍ସ ଲାଲ ବାହଦୂର ଶାସ୍ତ୍ରୀ

ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର ସ୍ୱାଧିନତା ସଂଗ୍ରାମ ହେଉ କିମ୍ବା ସାମାଜିକ ବକାଶ କ୍ଷେତରେ ଗାନ୍ଧୀଙ୍କ ଭଳି ଶାସ୍ତ୍ରୀଙ୍କ ବି ଅବଦାନ ଅନେକ । କିନ୍ତୁ ଆମେ ଶାସ୍ତ୍ରୀଙ୍କ ଅପେକ୍ଷା ଗାନ୍ଧୀଙ୍କୁ ଅଧିକ ଗୁରୁତ୍ୱ ଦେଇଥାଉ ।

ଅସରନ୍ତି ପ୍ରେରଣାର ଉତ୍ସ ଲାଲ ବାହଦୂର ଶାସ୍ତ୍ରୀ

ଶଙ୍କର୍ଷଣ ବାଘ, ନୂଆଦିଲ୍ଲୀ: ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ।

ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର ସ୍ୱାଧିନତା ସଂଗ୍ରାମ ହେଉ କିମ୍ବା ସାମାଜିକ ବକାଶ କ୍ଷେତରେ ଗାନ୍ଧୀଙ୍କ ଭଳି ଶାସ୍ତ୍ରୀଙ୍କ ବି ଅବଦାନ ଅନେକ । କିନ୍ତୁ ଆମେ ଶାସ୍ତ୍ରୀଙ୍କ ଅପେକ୍ଷା ଗାନ୍ଧୀଙ୍କୁ ଅଧିକ ଗୁରୁତ୍ୱ ଦେଇଥାଉ । ସେଥିପାଇଁ ତ, ଗାନ୍ଧୀ ଜୟନ୍ତୀ ଆଗରେ ସବୁବେଳେ ଫିକାପଡିଯାଏ ଶାସ୍ତ୍ରୀ ଜୟନ୍ତୀ ।

ମାନବ ସମାଜ ପାଇଁ ଏକ ଅସନ୍ତି ପ୍ରେରଣାର ଉତ୍ସ ହେଉଛନ୍ତି ଲାଲ ବାହାଦୂର ଶାସ୍ତ୍ରୀ । କେବଳ ନାଁ ନୁହେଁ, ବାସ୍ତବରେ ସେ ଜଣେ ବାହାଦୂର ଓ ନିଡର ନେତା ଥିଲେ । ଶାସ୍ତ୍ରୀଜୀ ବାହାରୁ ଦେଖିବାକୁ ଯେମିତି ସାଧାରଣ ଦେଖାଯାଉଥିଲେ, ସେମିତି ମନରୁ ଶାନ୍ତ ଓ ନିର୍ମଳ ସ୍ୱଭାବର ଥିଲେ । ସେ ହିଁ ଜୟ ଯବାନ, ଜୟ କିଷାନର ନାରା ଦେବା ସହ ପ୍ରଥମ ଥର ଭାରତର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରିଥିଲେ । ଏମିତି ଅନେକ ଘଟଣା ଘଟିଛି ଯେଉଁଥିରେ ତାଙ୍କ ଜୀବନ ପରିଭାଷିତ ହୁଏ ।

ଲାଲ ବାହାଦୂର ଶାସ୍ତ୍ରୀ ଯେତେବେଳେ ଶାସନ ଭାର ନେଲେ, ସେତେବେଳେ ଦେଶର ସ୍ଥିତି ସେତେଟା ଠିକ ନଥିଲା । ଚୀନ ସହ ୧୯୬୨ର ଯୁଦ୍ଧ ସରିବାର ମାତ୍ର ୨ ବର୍ଷ ପରେ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଆଉ ଶପଥ ନେବାର ୨ ବର୍ଷ ନ ପରୁଣୁ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ହୋଇଥିଲା । ତଥାପି ସେ ଭାଙ୍ଗିନପଡି ଦୃଢତାର ସହ ପରିସ୍ଥିତିର ମୁକାବିଲା କରିଥିଲେ ।

ବର୍ଷେ ୨୧୬ ଦିନର କାର୍ଯ୍ୟକାଳରେ ଅନେକ ଇତିହାସ ଲେଖିଯାଇଛନ୍ତି ଲାଲ ବାହାଦୂର ଶାସ୍ତ୍ରୀ। ବିଶ୍ୱ ଦରବାରରେ ଦବଦବା ଜାହିର କରିଥିବା ଆମେରିକାକୁ ଦିନେ ନାଲି ଆଖି ଦେଖାଇଥିଲେ ଶାସ୍ତ୍ରୀ । ସେ ଦେଖିବାକୁ ଉଚ୍ଚତାରେ ଛୋଟ । କିନ୍ତୁ ତାଙ୍କର ନିଷ୍ପତ୍ତି ଗୁଡାକ ଥିଲା ମହାନ । ଅକାଳ ସମୟରେ ମଧ୍ୟ ଆମେରିକାଠୁ ଆସୁଥବା ନିମ୍ନମାନର ନାଲି ଗହମ ଆମଦାନୀ ପାଇଁ ସେଠାକାର ସରକାରଙ୍କୁ ରୋକଠୋକ ମନାକରିଥିଲେ । ଏଥିପାଇଁ ଦେଶବାସୀଙ୍କୁ ଗୋଟିଏ ବେଳା ଉପବାସ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।

ଅନ୍ୟମାନଙ୍କ ପରି ଶାସ୍ତ୍ରୀଜୀ ଚାକଚକ୍ୟ ଓ ବିଳାସପୂର୍ଣ୍ଣ ଜୀବନଯାପନକୁ ଆଦରି ନଥିଲେ । ସେ ସବୁବେଳେ ନିଜ କାମ ନିଜେ କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ପାଖରେ ମାତ୍ର କିଛି ଯୋଡି ପୋଷାକ ହିଁ ଥିଲା । ଦେଶରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେ ଖର୍ଚ୍ଚ କମକରିବା ପାଇଁ ତାଙ୍କର ଚାକର ସଂଖ୍ୟାକୁ କମାଇ ନିଜ ପୋଷାକ ନିଜେ ସଫା କରୁଥୁଲେ ।

କେବଳ ଏତିକି ନୁହେଁ । ଦିନେ ତାଙ୍କ ସରକାରୀ ଗାଡିକୁ ପୁଅ ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରିଥିଲେ । ଏଥିରେ ଶାସ୍ତ୍ରୀଜୀ କ୍ରୋଧିତ ହେବା ସହ ନିଜ ଦରମାରୁ ପେଟ୍ରୋଲ ବାବଦକୁ ଟଙ୍କା ଭରଣ କରିଥିଲେ । ଏଭଳି ଅନେକ ଉଦାହରଣ ଅଛି ଯେଉଁଥିପାଇଁ ସେ ଚୀରସ୍ମରଣୀୟ ।

ମୃତ୍ୟୁ ପୂର୍ବରୁ ବି ସେ ନିଜର ମାନବୀକତା ଦେଖାଇଛନ୍ତି । ଭାରତ-ପାକିସ୍ତାନ ଯୁଦ୍ଧର ପରିସମାପ୍ତି ପାଇଁ ତାସକେଣ୍ଟରେ ଚୁକ୍ତି ସ୍ୱାକ୍ଷର ହେବାକୁ ଥିଲା । ଏଥିପାଇଁ ପ୍ରଥମ ଥର ସେ ଋଷ ଭଳି ଥଣ୍ଡା ଦେଶକୁ ଯାଇଥିଲେ । ଆଉ ସେଠାକାର ସରକାର ଶାସ୍ତ୍ରୀଜୀଙ୍କ ଉଷ୍ମତା ପାଇଁ ଏକ ସ୍ୱତନ୍ତ୍ର କୋଟ ଉପହାର ଦେଇଥିଲେ । କିନ୍ତୁ ସେ ତାହାକୁ ନିଜ ସହଯୋଗୀଙ୍କୁ ଦେଇଦେଲେ ।

ସେହି ତାସକେଣ୍ଟ ଗସ୍ତବେଳେ ହିଁ ୧୧ ଜାନୁଆରୀ ୧୯୬୬ରେ ରହସ୍ୟଜନକ ଭାବେ ଶାସ୍ତ୍ରୀଜୀଙ୍କ ଦେହାନ୍ତ ହୋଇଥିଲା । ବିଦେଶରେ ମୃତ୍ୟୁବରଣ କରିଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲ ବାହାଦୂର ଶାସ୍ତ୍ରୀ । ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ସରକାର ଏହାକୁ ହୃଦଘାତ ବୋଲି କହୁଛି । ତେବେ ଏହାର ପ୍ରକୃତ କାରଣ ଜଣା ପଡିନାହିଁ ଯେଉଥିପାଇଁ ଶାସ୍ତ୍ରୀଜୀଙ୍କ ମୃତ୍ୟକୁ ଏବେ ବି ବିବାଦୀୟ ହୋଇ ରହିଛି ।