)
ତାମିଲନାଡୁ: ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଏକ ବଡ଼ ଅଘଟଣ ଖବର ସାମ୍ନାକୁ ଆସିଛି। ଏକ ରାଲିରେ ଭିଡ଼ ଏତେ ଅଧିକ ଥିଲା ଯେ, ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପର୍ଯ୍ୟନ୍ତ ୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଦଳୀୟ କର୍ମୀଙ୍କ ସମେତ କିଛି ଶିଶୁ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ବିଜୟ ପରିସ୍ଥିତିକୁ ଦେଖି ତୁରନ୍ତ ତାଙ୍କ ଭାଷଣ ବନ୍ଦ କରି ଦେଇଥିଲେ ଏବଂ ମଞ୍ଚରୁ ପାଣି ବୋତଲ ଭିଡ଼ ଭିତରକୁ ଫିଙ୍ଗି ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଅନେକ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ମଧ୍ୟ କିଛିଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଏପରି ଅଘଟଣ ଖବର ସାମ୍ନାକୁ ଆସିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଚିନ୍ତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସେ ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲବାଲାଜୀ, ସ୍ୱାସ୍ଥ୍ୟମନ୍ତ୍ରୀ ମା. ସୁବ୍ରମଣ୍ୟମ ଏବଂ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତିରୁଚିରାପାଲି ମନ୍ତ୍ରୀ ଅନବିଲ ମହେଶଙ୍କୁ ମଧ୍ୟ ରିଲିଫ୍ କାର୍ଯ୍ୟରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କରିବା ପାଇଁ ଓ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ADGPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜନସାଧାରଣଙ୍କୁ ଡାକ୍ତର ଏବଂ ପୋଲିସ ସହିତ ସହଯୋଗ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ଆପଣଙ୍କୁ କହିରଖୁଛୁ ଯେ, ତାମିଲାଗା ଭେଟ୍ରି କାଝାଗମ (TVK) ମୁଖ୍ୟ ବିଜୟଙ୍କ ନମାକ୍କାଲ ଏବଂ କରୁରରେ ନିର୍ବାଚନୀ ରାଲିରେ ବହୁ ସଂଖ୍ୟାରେ ପ୍ରଶଂସକ ଆସିଥିଲେ। ରାଲି ସମୟରେ ବିଜୟ DMK ଏବଂ AIADMK କୁ କଡା ଟାର୍ଗେଟ୍ କରିଥିଲେ। ବିଜୟ ସ୍ପଷ୍ଟ ଭାବରେ କହିଥିଲେ ଯେ, ତାଙ୍କ ଦଳ ବିଜେପି ସହିତ ମେଣ୍ଟ କରିବ ନାହିଁ କିମ୍ବା ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବ ନାହିଁ। ରାଜ୍ୟ ସରକାରଙ୍କୁ ରାସ୍ତା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାଣି ଏବଂ ସୁରକ୍ଷା ଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ ବିଜୟ। ଏକଥା ମଧ୍ୟ କହିଛନ୍ତି ଯେ, 2026 ରେ ପ୍ରକୃତ ପ୍ରତିଯୋଗିତା DMK ଏବଂ TVK ମଧ୍ୟରେ ହେବ ।
The unfortunate incident during a political rally in Karur, Tamil Nadu, is deeply saddening. My thoughts are with the families who have lost their loved ones. Wishing strength to them in this difficult time. Praying for a swift recovery to all those injured.
— Narendra Modi (@narendramodi) September 27, 2025