)
ନୂଆଦିଲ୍ଲୀ: ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିସାରିଥିବା କୋରୋନା ଏବେ ଆହୁରି ଉଗ୍ରରୂପ ଧାରଣ କରୁଛି । ଲଗାତାର କିଛି ଦିନ ହେଲା ଦୈନିକ ୩୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୮୮୪ ମାମଲା ସାମ୍ନାକୁ ଆସିଛି । ସେହିପରି ୬୭୧ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଦେଶରେ ଏପର୍ଯ୍ୟନ୍ତ ୧୦ଲକ୍ଷ ୩୮ ହଜାର ୭୧୬ ଆାକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୬ ହଜାର ୨୭୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୬ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩ଲକ୍ଷ ୫୮ ହଜାର ୬୯୨ ଆକ୍ଟିଭ କେସ ରହିଛି ।
ଏବେ ନଜର ପକାଇବା ରାଜ୍ୟ ଗୁଡ଼ିକରେ ସ୍ଥିତି ଉପରେ । କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୪ ହଜାର ୨୮୧ରେ ପହଞ୍ଚିଛି । ସେହିପରି ୧୧ ହଜାର ୧୯୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ୧ଲକ୍ଷ ୫୮ ହଜାର ୧୪୦ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି ।
ତାଲିକାର ଦ୍ୱିତୀୟରେ ରହିଛି ତାମିଲନାଡୁ । ଏହି ରାଜ୍ୟରେ ୧ଲକ୍ଷ ୫୬ ହଜାର ୩୬୯ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୨୩୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଏଠି ୧ଲକ୍ଷ ୭ ହଜାର ୪୧୬ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇସାରିଛନ୍ତି ।
ତାଲିକାର ତୃତୀୟରେ ଥିବା ଦିଲ୍ଲୀରେ ସ୍ଥିତି ବେଶ୍ ସୁଧାର ଆସିଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୮ ହଜାର ୬୪୫ ସତ, କିନ୍ତୁ ଏମାନଙ୍କ ମଧ୍ୟରୁ ୯୭ ହଜାର ୬୯୩ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ତେବେ ଦିଲ୍ଲୀରେ ୩ ହଜାର ୫୪୫ ଜଣଙ୍କ ମୃତ୍ୟ ମଧ୍ୟ ହେଲାଣି ।
ଏବେ ନଜର ପକାଇବା ବିଶ୍ୱବ୍ୟାପି କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୪୧ ଲକ୍ଷ ୯୪ ହଜାର ୧୪୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫ଲକ୍ଷ ୯୯ ହଜାର ୪୧୬ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ଲକ୍ଷ ୭୦ ହଜାର ୨୭୫ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୫୦ଲକ୍ଷ ୬୪ ହଜାର ୬୦୪ଟି ଆକ୍ଟିଭ କେସ ରହିଛି ।
ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-୧ରେ ଥିବା ଆମେରିକାରେ ଏପର୍ଯ୍ୟନ୍ତ ୩୭ଲକ୍ଷ ୭୦ ହଜାରରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଲାଣି । ସେହିପରି ୧ଲକ୍ଷ ୪୨ ହଜାରରୁ ଉଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । ତେବେ ୧୭ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । ସେହିପରି ଟପ-୨ରେ ଥିବା ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ୪୮ ହଜାର ଟପିଛି । ୭୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୩ଲକ୍ଷ ଲୋକ ସୁସ୍ଥ ହୋଇସାରିଛନ୍ତି । ଅନ୍ୟପଟେ ଟପ୍-୩ରେ ଆମ ଦେଶ ଭାରତ ରହିଛି ।
ଭାରତ ତଳକୁ ଋଷିଆ, ପେରୁ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ଚିଲେ, ସ୍ପେନ, ୟୁକେ ଇତ୍ୟାଦି ଦେଶ ରହିଛନ୍ତି । ପଡ଼ୋଶୀ ପାକିସ୍ତାନ ତାଲିକାର ୧୨ ନମ୍ବରରେ ରହିଛି । ସେହିପରି କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଏବେ ତାଲିକାର ୨୫ ନମ୍ବରକୁ ଖସିଲାଣି । ଅର୍ଥାତ ଯେଉଁଠୁ କୋରୋନା ସୃଷ୍ଟି ହୋଇଥିଲା, ସେହିଦେଶ ଏହି ଭାଇରସରୁ ରକ୍ଷା ପାଇଯାଇିଛି ।