)
ନୂଆଦିଲ୍ଲୀ: ଲଗାତାର ୭ଦିନ ହେଲା ଦେଶରେ ଦୈନିକ ୬ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୫୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୪୬ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଆଉ ଏହାକୁ ମିଶାଇ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୫ ହଜାର ୩୮୦ରେ ପହଞ୍ଚିଛି । ସେହିପରି ୪୧୬୭ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ୬୦୪୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଆକ୍ସିଭ କେସ ସଂଖ୍ୟା ୮୦୭୨୨ ରହିଛି । ତେବେ ଦୈନିକ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ବଡ଼ ଆହ୍ୱାନ ପାଲଟିଛି ।
ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନାର ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫ଲକ୍ଷ ୮୯ ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୪୭ ହଜାର ୯୦୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତକର ଖବର ଏହା ଯେ, ୨୩ଲକ୍ଷ ୬୬ ହଜାର ୫୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ଏବେ ୧୦ ନମ୍ବରରେ ରହିଛି । ଅର୍ଥାତ ସମଗ୍ର ବିଶ୍ୱରେ ସର୍ବାଧିକ କୋରୋନା ଆକ୍ରାନ୍ତ ରହିଥିବା ଦେଶଗୁଡ଼ିକ ମଧ୍ୟରେ ଟପ୍ ୧୦ରେ ଭାରତ ଆସିଯାଇଛି । ଗତକାଲି, ଇରାନକୁ କାଟିଥିଲା । ଆଉ କିଛି ଦିନ ଭିତରେ ତାଲିକାର ୯, ୮ ଓ ୭ ନମ୍ବରରେ ଥିବା ତୁର୍କୀ, ଜର୍ମାନୀ ଏବଂ ଫ୍ରାନ୍ସକୁ ମଧ୍ୟ ଭାରତ କାଟିବ ବୋଲି ଆଶଙ୍କା କରାଗଲାଣି ।