IPL 2020: ବାଙ୍ଗାଲୋର ବିଦା, ଦ୍ୱିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା
Advertisement

IPL 2020: ବାଙ୍ଗାଲୋର ବିଦା, ଦ୍ୱିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା

ଶେଷ ପର୍ଯ୍ୟାୟରେ ଚଳିତ ବର୍ଷର ଆଇପିଏଲ ଋତୁ। ଆଉ ମାତ୍ର ୩ ଦିନ ପରେ ୟୁଏଇରୁ ବିଦାୟ ନେବେ ଆଇପିଏଲ ଟିମ।

SRH vs RCB

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦ର ଏଲିମିନେଟର୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRH)୬ଟି ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( RCBକୁ ପରାସ୍ତ କରିଛି। ଏହି ପରାଜୟ ସହିତ ବାଙ୍ଗାଲୋରର ଆଇପିଏଲ ୨୦୨୦ ଅଭିଯାନ ଶେଷ ହୋଇଛି। ସେପଟେ ହାଇଦ୍ରାବାଦ ଆସନ୍ତାକାଲି ଅର୍ଥାତ ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ (DC)ବିପକ୍ଷରେ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ(କ୍ୱାଲିଫାୟର) ମ୍ୟାଚ ଖେଳିବ।

ଶୁକ୍ରବରା ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଏବି ଡି ଭିଲିୟର୍ସଙ୍କ ଚମତ୍କାର ଅର୍ଦ୍ଧ ଶତକ ଇନିଂସ ଯୋଗୁଁ ୨୦ ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୩୧ ରନ୍ ସଂଗ୍ରହ କରିଥିଲା। ଏଥିପାଇଁ ଦଶକୁ ୭ଟି ୱିକେଟ ବି ହରାଇବାକୁ ପଡିଥିଲା। ବାଙ୍ଗାଲୋରର ୧୩୧ ରନର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୧୯ ଓଭର ୪ଟି ବଲରେ ମାତ୍ର ୪ଟି ୱିକେଟ୍ ହରାଇ ଟାର୍ଗେଟକୁ ପୁରା କରିଛି।

ପ୍ରଥମରୁ ହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ବ୍ୟାଟିଂ ବ୍ୟପର୍ଯ୍ୟସ୍ତ ହୋଇଥିଲା। ଦ୍ୱିତୀୟ ଓଭରରେ ଅଧିନାୟକ ବିରାଟ କୋହଲି ମାତ୍ର ୬ ରନ କରି ହୋଲ୍ଡରଙ୍କ ବଲରେ ପାଭିଲିଅନ ଫେରିଥିଲେ। ଏହା ପରେ ଚତୁର୍ଥ ଓଭରରେ ଦେବଦତ୍ତ ପାଦିକାଲ ଗୋଟିଏ ରନ କରି ଆଉଟ ହୋଇଥିଲେ। ମାତ୍ର ୧୫ ରନରେ ୨ଟି ୱିକେଟ ଖସିବା ବାଙ୍ଗାଲୋର ପାଇଁ ଏକ ଶକ୍ତ ଝଟକା ଦେଇଥିଲା। ପରେ ଆରୋନ୍ ଫିଞ୍ଚ ଏବଂ ଏବି ଡି ଭିଲିୟର୍ସ ୪୧ ରନ୍ ଭାଗିଦାରୀ କରିଥିଲେ। 

ଉତ୍କୃଷ୍ଟ ପ୍ରଦର୍ଶନରେ ଫିଞ୍ଚ ୩୦ ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ୩୨ ରନ୍ କରି ଆଉଟ ହୋଇଥିଲେ। ସେପଟେ ମୋଇନ୍ ଅଲି ୦, ଶିବମ୍ ଦୁବେ ୮ ଏବଂ ୱାଶିଂଟନ୍ ସୁନ୍ଦର ୫ ରନ କରି ପିଚ୍ରୁ ବିଦାୟ ନେଇଥିଲେ। ଅବଶ୍ୟ, ଡି ଭିଲିୟର୍ସ ଶେଷ ପର୍ଯ୍ୟନ୍ତ ଦଳର ମଙ୍ଗ ଧରିଥିଲେ।  ସେ ସର୍ବାଧିକ ୫୬ ରନ୍ ସଂଗ୍ରହ କରିଥିଲେ। ଶେଷରେ ମହମ୍ମଦ ସିରାଜ ୧୦ ଏବଂ ନବଦୀପ ସାଇନି ୯ ସ୍କୋର କରି ଅପରାଜିତ ରହିଥିଲେ। ଏହି ଉଭୟ ବ୍ୟାଟ୍ସମ୍ୟାନ କୌଣସି ପ୍ରକାରେ ଦଳର ସ୍କୋରକୁ ୧୩୦କୁ ଆଣିଥିଲେ।

ସନରାଇଜର୍ସ ହାଇଦ୍ରାବାଦ ପାଇଁ ଜେସନ ହୋଲ୍ଡର ଆଶ୍ଚର୍ଯ୍ୟଜନକ ବୋଲିଂ କରିଥିଲେ। ସେ ତାଙ୍କ ୪ ଓଭରରେ ମାତ୍ର ୨୫ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ଟି ନାଟାରାଜନ ୨ଟି ଏବଂ ଶାହାବାଜ ନାଦୀମଙ୍କୁ ମାତ୍ର ଗୋଟିଏ ଶିକାର ମିଳିଛି। ତେବେ ବାଙ୍ଗାଲୋରର ୧୩୨ ରନ୍‌ର ସାମାନ୍ୟ ଟାର୍ଗେଟକୁ ହାଇଦ୍ରାବାଦ ଭଲ ପିଛା କରିଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ଏହି ସିଜିନର ପ୍ରଥମ ମ୍ୟାଚ୍ ଖେଳୁଥିବା ଶ୍ରୀବାତ୍ ଗୋସ୍ବାମୀ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଥିଲେ।

ଏହା ପରେ ଅଧିନାୟକ ଡେଭିଡ ୱାର୍ନର ଏବଂ ମନୀଷ ପାଣ୍ଡେ ଦ୍ୱିତୀୟ ୱିକେଟ୍ ପାଇଁ ଦ୍ରୁତ ୪୨ ରନ୍ ଯୋଡିଥିଲେ। କିନ୍ତୁ ୱାର୍ଣ୍ଣର ୧୭ ବଲରୁ ୧୭ ରନ ସ୍କୋର କରି ସିରାଜଙ୍କ ବଲରେ ଶିକାର ହୋଇଥିଲେ। ଏହା ପରେ ୯ ଓଭରରେ ମନିଷ ପାଣ୍ଡେ ମଧ୍ୟ ୨୪ ରନ୍ ସ୍କୋର କରି ଆଉଟ ହୋଇଥିଲେ। ପାଣ୍ଡେଙ୍କ ବହିଷ୍କାର ପରେ ପ୍ରିୟମ୍ ଗର୍ଗ ମଧ୍ୟ ୧୪ ବଲରେ ମାତ୍ର ୭ ରନ୍ କରିଥିଲେ। 

ଦ୍ୱାଦଶ ଓଭରରେ ୬୭ ରନ୍ ହୋଇଥିବା ବେଲେ ହାଇଦ୍ରାବାଦ ତାର ୪ଟି ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ପରେ କେନ୍ ୱିଲିୟମସନ୍ ୱାନ ସାଇଡ୍ କଭର କରିଥିଲେ। ସେ ୪୪ ବଲରୁ ଅପରାଜିତ ୫୦ ରନ୍ କରିଥିଲେ। ଏଥି ସହିତ ଜେସନ ହୋଲ୍ଡର ମଧ୍ୟ ୨୦ଟି ବଲରେ ୨୪ ରନ୍ କରି ଦଳକୁ ବିଜୟ କରାଇଥିଲେ।

ଶୁକ୍ରବାରର ପରାଜୟ ପରେ ବାଙ୍ଗାଲୋରର ଆଇପିଏଲ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ସେପଟେ ୨ୟ କ୍ୱାଲିଫାୟର ମ୍ୟାଚ ପାଇଁ ୟୋଗ୍ୟତା ହାସଲ କରିଛି ହାଇଦ୍ରାବାଦ। ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ହାଇଦ୍ରାବାଦ ଫାଇନାଲ ପାଇଁ ମୁକାବିଲା କରିବ। ତେବେ ପୂର୍ବରୁ ହିଁ ଟ୍ରଫି ପାଇଁ ପ୍ରସ୍ତୁତ ହୋଇ ବସିଛି ମୁମ୍ୱାଇ ଇଣ୍ଡିଆନ୍ସ।