ମୁମ୍ବାଇରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା
Advertisement

ମୁମ୍ବାଇରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ରବିବାର ଆତ୍ମହତ୍ୟା କରିଥିଲେ ବଲିଉଡ ୟଙ୍ଗଷ୍ଟାର ସୁଶାନ୍ତ । 

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଗତକାଲି ଆତ୍ମହତ୍ୟା କରିଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ବିହାରରୁ ମୁମ୍ବାଇରେ ଆସି ପହଞ୍ଚିଛନ୍ତି ସୁଶାନ୍ତଙ୍କ ବାପା । ସୁଶାନ୍ତଙ୍କ ସମ୍ପର୍କୀୟ ତଥା ବିଜେପି ବିଧାୟକ ନିରଜ କୁମାର ସିଂହ ବବଲୁ ମଧ୍ୟ ସାଥିରେ ଆସିଛନ୍ତି । ବିହାର ପାଟନାରୁ ସୁଶାନ୍ତଙ୍କ ପରିବାର  ଏବଂ ଅନ୍ୟ ସମ୍ପର୍କୀୟମାନେ ଆସିବାରେ ଲାଗିଛନ୍ତି । 

ରବିବାର ଆତ୍ମହତ୍ୟା କରିଥିଲେ ବଲିଉଡ ୟଙ୍ଗଷ୍ଟାର ସୁଶାନ୍ତ । ଆଉ ଏ ଖବର ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଫ୍ୟାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଏବେ ସୁଶାନ୍ତଙ୍କୁ ଝୁରୁଛି । ଅଳ୍ପ ବୟସରେ ଫ୍ୟାନଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । କେଉଁ କାରଣରୁ ସେ ସୁଇସାଇଡ କଲେ, ଉତ୍ତର କାହା ପାଖରେ ନାହିଁ । ଆତ୍ମହତ୍ୟା ନା ହତ୍ୟା ? ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଘଟଣାର ତଦନ୍ତ କରୁଛି । 

ତେବେ ଏସବୁ ଭିତରେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିସାରିଛି । ବେକରେ ଫାଶୀ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ କରିଥିବା ୩ ଜଣିଆ ଡାକ୍ତରୀ ଟିମ ନିଜ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ରିପୋର୍ଟରେ କୁହାଯାଇଛି, ୩୪ ବର୍ଷୀୟ ସୁଶାନ୍ତ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ । ଫଳରେ ତାଙ୍କ ଶରୀରକୁ ଅମ୍ଳଜାନ ଯାଇନପାରି ତାଙ୍କର ମୃତ୍ୟୁ ହୋଇଥିଲା । 

ସେହିପରି ପୋଲିସର ପ୍ରାଥମିକ ତଦନ୍ତ ମୁତାବକ, ଗତ ୬ ମାସ ହେଲା ଡିପ୍ରେସନରେ ଥିଲେ ଏହି ୟଙ୍ଗଷ୍ଟାର । ଏଥିପାଇଁ ତାଙ୍କ ଚିକିତ୍ସା ମଧ୍ୟ ଚାଲିଥିଲା । ତେବେ ପ୍ରକୃତରେ କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ । ମୃତଦେହ ନିକଟରୁ କୌଣସି ସୁଇସାଇଟ ନୋଟ ମଧ୍ୟ ମିଳିନଥିବା କୁହାଯାଉଛି ।