ଭୂମି ପୂଜନ ଲାଗି ଅଯୋଧ୍ୟା ଗସ୍ତରେ ପିଏମ ମୋଦି; ଜାଣନ୍ତୁ କ'ଣ ରହିଛି କାର୍ଯ୍ୟସୂଚୀ
Advertisement

ଭୂମି ପୂଜନ ଲାଗି ଅଯୋଧ୍ୟା ଗସ୍ତରେ ପିଏମ ମୋଦି; ଜାଣନ୍ତୁ କ'ଣ ରହିଛି କାର୍ଯ୍ୟସୂଚୀ

ଭୂମି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଦିନିକିଆ ଅଯୋଧ୍ୟା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

 

ଭୂମି ପୂଜନ ଲାଗି ଅଯୋଧ୍ୟା ଗସ୍ତରେ ପିଏମ ମୋଦି; ଜାଣନ୍ତୁ କ'ଣ ରହିଛି କାର୍ଯ୍ୟସୂଚୀ

ଲକ୍ଷ୍ନୌ: ପ୍ରାୟ ୫୦୦ ବର୍ଷର ସଂଗ୍ରାମ ପରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଏଥିଲାଗି ଜାରି ରହିଛି ପ୍ରସ୍ତୁତି। ଅଗଷ୍ଟ ୫ ତାରିଖ ବୁଧବାର ରାମ ମନ୍ଦିର ନିର୍ମାଣ ପୂର୍ବରୁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅଯୋଧ୍ୟା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।     

ଦିନିକିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପ୍ରାୟ ଅଢେଇ ଘଣ୍ଟା ଧରି ଅବସ୍ଥାନ କରିବେ। ପିଏମ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଯୋଧ୍ୟାର ସୁରକ୍ଷା ଦାୟିତ୍ୱ ଏସପିଜିକୁ ହସ୍ତାନ୍ତର କରାଯାଇଛି। ଏହା ସହିତ ଅଯୋଧ୍ୟା ସୀମାକୁ ସିଲ୍ କରାଯାଇଛି। ଅଗଷ୍ଟ ୫ ବୁଧବାର ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ନିଜ ପରିଚୟ ପତ୍ର ପାଖରେ ରଖିବା ଲାଗି ସ୍ଥାନୀୟ ବାସିନ୍ଦାକୁ ଜଣାଇ ଦିଆଯାଇଛି। 

ମଙ୍ଗଳବାର ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜନ ସହ ହନୁମାନଗଢିରେ ନିଶାନ ପୂଜା କରାଯାଇଛି। ନିଶାନ ପୂଜା ସରିବା ପରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଅନୁମତି ମିଳିଛି। 

ନଜର ପକାନ୍ତୁ ଅଯୋଧ୍ୟା ଗସ୍ତ ସମୟରେ କ'ଣ ରହିଛି ପିଏମ ମୋଦି କାର୍ଯ୍ୟସୂଚୀ...   

  • ଅଗଷ୍ଟ ୫: ସକାଳେ ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ 
  • ସକାଳ ୯:୩୫: ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଉଡାଣ ଭରିବ ସ୍ୱତନ୍ତ୍ର ବିମାନ 
  • ସକାଳ ୧୦:୩୫: ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ
  • ସକାଳ ୧୦:୪୦:  ହେଲିକପ୍ଟର ମାଧ୍ୟମରେ ଅଯୋଧ୍ୟା ଯାତ୍ରା ପ୍ରଧାନମନ୍ତ୍ରୀ 
  • ସକାଳ ୧୧:୩୦: ଅଯୋଧ୍ୟାସ୍ଥିତ ସାକେତ କଲେଜ ହେଲିପ୍ୟାଡରେ ଅବତରଣ କରିବ ହେଲିକପ୍ଟର
  • ସକାଳ ୧୧:୪୦: ହନୁମାନଗଢିରେ ୧୦ ମିନିଟର ଦର୍ଶନ ପୂଜନ କାର୍ଯ୍ୟକ୍ରମ
  • ମଧ୍ୟାନ୍ନ ୧୨:୦୦: ରାମ ଜନ୍ମଭୂମି ପରିସରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
  • ମଧ୍ୟାନ୍ନ ୧୨:୧୦: ରାମଲାଲା ବିରଜମାନଙ୍କ ଦର୍ଶନ ପୂଜା
  • ମଧ୍ୟାନ୍ନ ୧୨:୧୫ ରାମଲାଲା ପରିସରରେ ପାରଜାତ ବୃକ୍ଷରୋପଣ
  • ମଧ୍ୟାନ୍ନ ୧୨:୩୦: ଭୂମିପୁଜନ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
  • ମଧ୍ୟାନ୍ନ ୧୨:୪୦: ରାମ ମନ୍ଦିରର ଆଧାର ଶିଳା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ମଧ୍ୟାନ୍ନ ୧.୧୦: ଶ୍ରୀରୀମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟଙ୍କ ସମେତ ମହନ୍ତ ନୃତ୍ୟ ଗୋପାଳ ଦାସ ବେଦାନ୍ତ ଜୀଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମ
  • ଅପରାହ୍ନ୨:୦୫: ସାକେତ କଲେଜ୍ ହେଲିପ୍ୟାଡ୍ ଅଭିମୁଖେ ପ୍ରସ୍ଥାନ
  • ଅପରାହ୍ନ ୨:୨୦: ଲକ୍ଷ୍ନୌ ଅଭିମୁଖେ ଉଡାଣ ଭରିବ ହେଲିକପ୍ଟର 

ସକାଳ ସାଢେ ୧୦ଟା ମିଳିବ ନାହିଁ ପ୍ରବେଶ ଅନୁମତି 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କ ଅନୁସାରେ  ଭୂମି ପୂଜନ କାର୍ଯ୍ୟକ୍ରମ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତ ଏବଂ କୋଭିଡ୧୯ ମୁକାବିଲା ଲାଗି  ଧର୍ମ ନଗରୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ଏହି ସମାରୋହରେ ଯୋଗ ଦେବା ଲାଗି ନିମନ୍ତ୍ରଣ ଦିଆଯାଇଥିବା ସମସ୍ତ ଅତିଥିଙ୍କୁ ସକାଳ ୧୦ଟା ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିବା ଲାଗି ଜଣାଇ ଦିଆଯାଇଛି। ଯଦି ଏହା ପରେ କୌଣସି ଲୋକ ଆସନ୍ତି ତାଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପୂର୍ବରୁ ସମସ୍ତ ଅତିଥିଙ୍କୁ ଦୁଇ ଘଣ୍ଟା ପୂର୍ବରୁ ଅଯୋଧ୍ୟାରେ ଆସି ପହଞ୍ଚିବା ଲାଗି ଜଣାଇ ଦିଆଯାଇଛି। ଯେଉଁମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି ସେମାନଙ୍କୁ କାର୍ଡ ଦିଆଯିବ। ଏହି କାର୍ଡ ଆଧାରରେ ଅନ୍ୟ କୌଣସି ବ୍ୟକ୍ତି ସେମାନଙ୍କ ସ୍ଥାନରେ ଆସିବାକୁ ସୁଯୋଗ ଦିଆଯିବ ନାହିଁ। ଏହା ସହିତ  ଭୂମି ପୂଜନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କୌଣସି ଗାଡି ପାସ୍ ଦିଆଯାଇ ନାହିଁ। ଯାନବାହନକୁ ରାମ ଜନ୍ମଭୂମି ପରିସରରୁ ଦୂର ସ୍ଥାନରେ ରଖାଯିବ।