)
Pakistan vs Taliban: ଅକ୍ଟୋବର ୧୧ ଶନିବାର ବିଳମ୍ବିତ ରାତିରେ, ଆଫଗାନିସ୍ତାନ ତାଲିବାନ ଡୁରାଣ୍ଡ ରେଖା ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି । ତାଲିବାନ ପକ୍ଷରୁ ଦାବି କରାଯାଇଛି ଯେ, ଆକ୍ରମଣରେ ୫୮ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷରେ ନଅ ଜଣ ଆଫଗାନିସ୍ତାନ ତାଲିବାନ ସୈନିକ ମଧ୍ୟ ନିହତ ହୋଇଛନ୍ତି । ୧୬ ଜଣ ଆହତ ହୋଇଥିବା କୁହାଯାଉଛି।
ଆଫଗାନିସ୍ତାନର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, "ଆମେ ସାଉଦି ଆରବ ଏବଂ କାତାରର ନିର୍ଦ୍ଦେଶରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଥିଲୁ।" ଆପଣଙ୍କୁ କହିରଖୁଛୁ ଯେ, ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ସାତ ଦିନିଆ ଭାରତ ଗସ୍ତରେ ଥିବାରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି କିଛି ଭିନ୍ନ ହୋଇଛି । ଏହି ଗସ୍ତ ସମୟରେ ଆମିର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।
ଜାବିହୁଲ୍ଲା ମୁଜାହିଦ କାବୁଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, "ପାକିସ୍ତାନ ନିଜ ମାଟିରେ ISIS ଭଳି ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଉଛି। ଏପରି ପରିସ୍ଥିତିରେ, ଆମର ଆମର ବାୟୁ ଏବଂ ସ୍ଥଳ ସୀମାକୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଅଧିକାର ଅଛି।" ମୁଜାହିଦ ଏହା କହିଛନ୍ତି ଯେ, ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବନ୍ଦ କରି ଆମକୁ ହସ୍ତାନ୍ତର କରିବା ଉଚିତ।
ତାଲିବାନ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି, "ପାକିସ୍ତାନ ଚାହୁଁନି ଯେ, ଆଫଗାନିସ୍ତାନରେ ପରିସ୍ଥିତି ସ୍ଥିର ହେଉ। ପାକିସ୍ତାନୀ ସେନା ସର୍ବଦା ପାରସ୍ପରିକ ବୁଝାମଣା ମାଧ୍ୟମରେ ଯେକୌଣସି ପ୍ରକାରର ଆଲୋଚନାକୁ ବିରୋଧ କରିଆସିଛି। ଯଦି ଶତ୍ରୁ ପୁଣି ଥରେ ଆମ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ଆମେ ଏହାର ଦୃଢ ଜବାବ ଦେବୁ ।"
ତାଲିବାନର ଅନ୍ୟଜଣେ ମୁଖପାତ୍ର କହିଛନ୍ତି ଯେ, "ପାକିସ୍ତାନ ଜାଣିଶୁଣି ଆନ୍ତର୍ଜାତୀୟ ମଞ୍ଚରେ ଆଫଗାନିସ୍ତାନ ବିରୁଦ୍ଧରେ ପ୍ରଚାର ପ୍ରସାର କରୁଛି। ପାକିସ୍ତାନରେ ଥିବା ଆତଙ୍କବାଦୀମାନେ ହେରାତ, କାବୁଲ, ଘୋର ଏବଂ କାନ୍ଦାହାରରେ ବାରମ୍ବାର ଆକ୍ରମଣ କରିଛନ୍ତି। ଆମେ ସେମାନଙ୍କୁ ଚେତାବନୀ ଦେବାକୁ ଚାହୁଁଛୁ ଯେ, ଆଫଗାନିସ୍ତାନ କଦାବି ଏହାକୁ ବରଦାସ୍ତ କରିବ ନାହିଁ।"