ଆଇପିଏଲ ସରିବା ପରେ ଭାରତୀୟ କ୍ରିକେଟ ଦଳ ସ୍ୱଦେଶ ନ ଫେରି ସିଧା ଅଷ୍ଟ୍ରେଲିଆକୁ ଗସ୍ତ କରିବ। ଯେଉଁମାନେ ଭାରତରେ ଅଛନ୍ତି ସେମାନଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ୟୁଏଇ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
Trending Photos
)
ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଆଇପିଏଲ ଶେଷ ହେବ। ତେବେ ବିରାଟ ବାହିନୀ ଭାରତ ନଫେରି ସେଠାରୁ ହିଁ ଅଷ୍ଟ୍ରେଲିଆ ଗସ୍ତ କରିବେ। ଟିମର ଯେଉଁମାନେ ଭରତରେ ରହିଯାଇଛନ୍ତି ସେମାନେ ଅକ୍ଚୋବର ଶେଷ ସୁଦ୍ଧା ୟୁଏଇ ପହଞ୍ଚିବେ। ଅଷ୍ଟ୍ରେଲିଆରେ ସଙ୍ଗରୋଧ ଅବଧି କମାଇବା ପାଇଁ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି।
ଡିସେମ୍ବର ୩ ତାରିଖରୁ ଇଣ୍ଡିଆ-ଅଷ୍ଟ୍ରେଲିଆ ଟେଷ୍ଟ ଓ ପରେ ଦିନିକିଆ ସିରିଜ ଖେଳାଯିବ। ଏଥିପାଇଁ ବିସିସିଆଇ ତାର ରଣନୀତି ପ୍ରସ୍ତୁତ କରିସାରିଛି। ନଭେମ୍ବର ୧୨-୧୩ରେ ଟିମ ଅଷ୍ଟ୍ରେଲିଆ ଅଭିମୁଖେ ଗସ୍ତ କରିପାରେ। ଟିମ ଇଣ୍ଡିଆର ଅର୍ଦ୍ଧାଧିକ ସଦସ୍ୟ ଏବେ ୟୁଏଇରେ ଆଇପିଏଲ ଖେଳୁଛନ୍ତି। କୋଚ୍ ରବି ଶାସ୍ତ୍ରୀ, ହନୁମା ବିହାରୀ, ଚେତେଶ୍ୱର ପୂଜାରା ଓ କିଛି ସଦସ୍ୟ ଭାରତରେ ଅଛନ୍ତି।
ବିରାଟ ବାହିନୀର ଘରେ ରହିଥିବା ସଦସ୍ୟଙ୍କୁ ଚଳିତ ମାସ ଶେଷ ସୁଦ୍ଧା ୟୁଏଇ ପହଞ୍ଚିବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଛି। ସେଠାରେ ସମାନଙ୍କୁ ଜୈବ ବଳୟରେ ରଖାଯିବ। କୋରୋନା ପାଇଁ ଅଷ୍ଟ୍ରେଲିଆରେ ଲମ୍ବା ସଙ୍ଗରୋଧ ଅବଧି ରଖାଯାଇଛି। ଏହାକୁ ଏଡାଇବା ନିମନ୍ତେ ରବି ଶାସ୍ତ୍ରୀ, ହନୁମା ବିହାରୀ, ଚେତେଶ୍ୱର ପୂଜାରା ଓ ଅନ୍ୟମାନଙ୍କୁ ୟୁଏଇକୁ ଆଗୁଆ ଡକାଯାଇଛି।
ଡିସେମ୍ବର ୩ରୁ ଅଷ୍ଟ୍ରେଲିଆ ଓ ଇଣ୍ଡିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ଜାନୁଆରୀ ୭ରେ ସରିବ। ପରେ ୫ ଦିନର ବିରତି ପରେ ଉଭୟ ଟିମ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ବର୍ତ୍ତମାନ ସୁଦ୍ଧା କେଉଁ ଗ୍ରାଉଣ୍ଡରେ ମ୍ୟାଚ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଗ୍ରାଉଣ୍ଡରେ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।