)
ଶ୍ରୀନଗର: ଜମ୍ମୁ କାଶ୍ମୀର ହନ୍ଦୱାରାରେ ପୁଣି ବଡ଼ ଧରଣର ଆତଙ୍କୀ ଆକ୍ରମଣ । ଆଜି(ସୋମବାର) ସିଆରପିଏଫ(CRPF)ର ପେଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୩ ଜଣ ଯବାନ ଶହୀଦ ହୋଇଛନ୍ତି । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଅନ୍ୟପକ୍ଷେ ଏହି ଏନକାଉଣ୍ଟରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛନ୍ତି ସିଆରପିଏଫ ଯବାନ ।
ଅଧିକାରୀ କହିଛନ୍ତି ଯେ, ହନ୍ଦୱାରା ଜିଲ୍ଲାର କ୍ରାଲଗୁନ୍ଦ ଅଞ୍ଚଳର ୱାଙ୍ଗମ-କାଜିଆବାଦରେ ଆତଙ୍କୀମାନେ ସିଆରପିଏଫର ଏକ ନାକା ପୋଷ୍ଟରେ ଗୁଳି ଚଳାଇଥିଲେ । ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ୩ ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ଏହି ଅଞ୍ଚଳକୁ ଘେରି ନିଆଯାଇଛି । ଆତଙ୍କୀଙ୍କୁ ଖୋଜିବା ପାଇଁ ଅତିରିକ୍ତ ସୁରକ୍ଷା କର୍ମୀ ପଠାଯାଇଛି ।
ସୂଚନାଯୋଗ୍ୟ, ରବିବାର ଉତ୍ତର କାଶ୍ମୀରର ରାଜୱାର ଜଙ୍ଗଲରେ ଥିବା ଏକ ଗାଁରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ କର୍ଣ୍ଣେଲ ଏବଂ ଜଣେ ମେଜରଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ । ଅନ୍ୟପଟେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କ ମଧ୍ୟରେ କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ନାୟକ ରାଜେଶ ଏବଂ ଲାନ୍ସ ନାୟକ ଦୀନେଶ ଅଛନ୍ତି । ସମସ୍ତେ ବ୍ରିଗେଡ୍ ଅଫ୍ ଗାର୍ଡ ରେଜିମେଣ୍ଟର ଥିଲେ ଓ ବର୍ତ୍ତମାନରେ 21 ରାଷ୍ଟ୍ରୀୟ ରାଇଫଲର ଅଂଶ ଥିଲେ । ଯାହା ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ନିୟୋଜିତ ଥିଲା । ଏହାସହ ଜମ୍ମୁ କାଶ୍ମୀର ପୋଲିସର ସବ୍-ଇନ୍ସପେକ୍ଟର ସାଗର ଅହମ୍ମଦ ପଠାନ ଛଦ୍ମନାମ କାଜୀ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଶହୀଦ ହୋଇଥିଲେ ।