J&K: ଆତଙ୍କୀଙ୍କ ଟାର୍ଗେଟରେ ବିଜେପି କାର୍ଯ୍ୟକର୍ତ୍ତା, ଗତ ୫ ଦିନ ଭିତରେ ତୃତୀୟ ଥର ପାଇଁ ଆକ୍ରମଣ
Advertisement

J&K: ଆତଙ୍କୀଙ୍କ ଟାର୍ଗେଟରେ ବିଜେପି କାର୍ଯ୍ୟକର୍ତ୍ତା, ଗତ ୫ ଦିନ ଭିତରେ ତୃତୀୟ ଥର ପାଇଁ ଆକ୍ରମଣ

ଆଜି(ରବିବାର) ସକାଳୁ ଅବଦୁଲ ହମୀଦ ନଜାରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ନଜାର ।

ପ୍ରତୀକାତ୍ମକ ଫଟୋ

ଶ୍ରୀନଗର: କିଛି ଦିନ ପୂର୍ବରୁ ଦକ୍ଷିଣ କାଶ୍ମୀର କାଜୀକୁଣ୍ଡ ଅଞ୍ଚଳରେ ବିଜେପିର ଜଣେ ସରପଞ୍ଚଙ୍କୁ ହତ୍ୟା । ସେହିପରି ଏହି ଜିଲ୍ଲାର ଅନ୍ୟ ଜଣେ ସରପଞ୍ଚ ତଥା ବିଜେପି କାର୍ଯ୍ୟକର୍ତ୍ତା ଆରିଫ ଅହମ୍ମଦ ଶାହଙ୍କ ଉପରେ ଆକ୍ରମଣ । ଆଉ ଏବେ ବଡଗାମ (Badgam) ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ସଭାପତି ଅବଦୁଲ ହମୀଦ ନଜାରଙ୍କ ଉପରେ ହୋଇଛି ଆକ୍ରମଣ । ଗତ ୫ ଦିନ ଭିତରେ ଏପରି ୩ ଥର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କଲେଣି ଆତଙ୍କବାଦୀ । 

ଯାହା ଜଣାପଡ଼ିଛି, ଆଜି(ରବିବାର) ସକାଳୁ ଅବଦୁଲ ହମୀଦ ନଜାରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ନଜାର । ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ରହିଛି, ସେନେଇ ଡାକ୍ତରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମଧ୍ୟ କାଶ୍ମୀର ବଡଗାମର ମୋହିନ୍ଦପୁରା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ନଜାରଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କୀ । 

ଏବେ ନଜର ପକାନ୍ତୁ, ଗତ ୫ ଦିନ ଭିତରେ ଘଟିଥିବା ଅନ୍ୟ ଦୁଇ ଆତଙ୍କବାଦୀ ଆକ୍ରମଣ ଉପରେ । ଦକ୍ଷିଣ କାଶ୍ମୀରର କାଜୀକୁଣ୍ଡ ଅଞ୍ଚଳରେ ଜଣେ ସରପଞ୍ଚଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଉକ୍ତ ସରପଞ୍ଚଙ୍କୁ ତାଙ୍କ ଘର ବାହାରେ ହିଁ ଗୁଳି କରି ହତ୍ୟା କରାଯାଇଥିଲା । ସେହିପରି ଏହି ଅଞ୍ଚଳରେ ଅନ୍ୟ ଜଣେ ସରପଞ୍ଚ ଆରିଫ ଅହମ୍ମଦ ଶାହଙ୍କ ଉପରେ ମଧ୍ୟ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରମଣର ଶିକାର ହୋଇଥିବା ଉଭୟ ସରପଞ୍ଚ ବିଜେପି କାର୍ଯ୍ୟକର୍ତ୍ତା ଥିଲେ । ଆଉ ଏବେ ବଡଗାମ (Badgam) ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ସଭାପତିଙ୍କ ଉପରେ ପୁଣି ଆକ୍ରମଣ ହୋଇଛି । 

ତେବେ କେବଳ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର କାହିଁକି, ପଶ୍ଚିମବଙ୍ଗରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ତୁହାକୁ ତୁହା ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି । ଦେଶର ଅନ୍ୟ କିଛି ସ୍ଥାନରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିଶାନା କରାଯାଉଛି ।