)
ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ୟୁଏଇ (UAE) ରେ ଚଳିତମାସ ୧୯ ତାରିଖରୁ ଆଇପିଏଲ୍ ୨୦୨୦ (IPL 2020) ଆରମ୍ଭ ହେବା ପାଇଁ ଯାଉଛି । ଏହା ପୂର୍ବରୁ କେତେବେଳେ ପ୍ରାୟୋଜକଙ୍କୁ ନେଇ ତ କେତେବେଳେ କୋରୋନା ପଜିଟିଭଙ୍କୁ ନେଇ ଆଇପିଏଲ ଚର୍ଚ୍ଚାରେ ରହିଆସିଛି । ଏବେ ଆଉ ଏକ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲର ଏକ ଫ୍ରାଞ୍ଚାଇଜି ବିସିସିଆଇକୁ କ୍ଷତି ଭରଣା ପାଇଁ ଦାବି କରିଛି । ସମ୍ପୃକ୍ତ ଫ୍ରାଞ୍ଚାଇଜି ଚଳିତବର୍ଷ ଆଇପିଏଲରେ ପ୍ରାୟ ୪୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରିଛି, ଯାହା ପାଇଁ ସେ ବୋର୍ଡକୁ କ୍ଷତି ଭରଣା କରିବାକୁ ଦାବି କରିଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଫ୍ରାଞ୍ଚାଇଜି ନିଜର ଏକ ପ୍ରେଜେଣ୍ଟେସନ୍ ବିସିସିଆଇକୁ ପଠାଇଛି । ଯେଉଁଥିରେ ସେ ଅନେକଗୁଡ଼ିଏ ପ୍ରଶ୍ନ ରଖିବା ସହ ହେବାକୁ ଥିବା କ୍ଷତି କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛି । ଚଳିତବର୍ଷ ଆଇପିଏଲର ପୁରସ୍କାର ରାଶି, ମ୍ୟାଚରେ ହାସଲ ହେବାକୁ ଥିବା ଟଙ୍କାର ଆବଣ୍ଟନକୁ ନେଇ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇଛି । ଏଥର ପ୍ଲେ-ଅଫରେ ପହଞ୍ଚୁଥିବା ୪ଟି ଦଳର ପୁରସ୍କାର ରାଶିରେ ୫୦ ପ୍ରତିଶତ କାଣ୍ଟଛାଣ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଣୁ ଏହାକୁ ନେଇ ସମ୍ପୃକ୍ତ ଫ୍ରାଞ୍ଚାଇଜି ଅସନ୍ତୋଷ ଜାହିର କରିଛି । ଏହାଛଡ଼ା ଟ୍ରେନିଂ ସେସନରେ ହେଉଥିବା ଖର୍ଚ୍ଚ, ଖେଳାଳିଙ୍କ ପରିବାର ସଦସ୍ୟଙ୍କ ପାଇଁ ହେବାକୁ ଥିବା ଖର୍ଚ୍ଚ କିଏ କରିବ ବୋଲି ମଧ୍ୟ ସମ୍ପୃକ୍ତ ଫ୍ରାଞ୍ଚାଇଜି ତରଫରୁ ବୋର୍ଡକୁ ପ୍ରଶ୍ନ କରାଯାଇଛି ।
ସେପଟେ ଏହି ପ୍ରସଙ୍ଗରେ ବିସିସିଆଇ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ଜଣାପଡ଼ିଛି । ବୋର୍ଡର ଏକ ସୂତ୍ରରୁ ଖବର ମିଳିଛି କି ବିସିସିଆଇ ସିଧାସଳଖ ସମ୍ପୃକ୍ତ ଫ୍ରାଞ୍ଚାଇଜିକୁ ଜବାବ ଦେଇଛି । ବୋର୍ଡ କହିଛି, ନାହିଁ ମାମୁ ଠାରୁ କଣା ମାମୁ କ'ଣ ସମ୍ପୃକ୍ତ ଫ୍ରାଞ୍ଚାଇଜିକୁ ଭଲ ଲାଗୁନି କି ? ମୂଳରୁ ଯଦି ଆଇପିଏଲ୍ ଚଳିତବର୍ଷ ଖେଳା ଯାଇନଥା'ନ୍ତା, ତେବେ କେତେ କ୍ଷତି ହୋଇଥାନ୍ତା, ତାହା ସମ୍ପୃକ୍ତ ଫ୍ରାଞ୍ଚାଇଜି ବୁଝିବା କଥା । ବହୁ କଷ୍ଟରେ ଚଳିତବର୍ଷ ଆଇପିଏଲର ଆୟୋଜନ କରାଯାଇଛି । ଏକଥା ସତ କି, ଚଳିତବର୍ଷ ପୂର୍ବ ବର୍ଷ ଭଳି ଲାଭ ହେବ ନାହିଁ । ତଥାପି ବି ପ୍ରତି ଫ୍ରାଞ୍ଚାଇଜି ପ୍ରାୟ ୧୫୦ କୋଟି ଟଙ୍କାର ଫାଇଦା ପାଇବେ । ଏଣୁ ବିପରୀତ ସ୍ଥିତିରେ କେମିତି ଆଇପିଏଲ୍ ୨୦୨୦ ସୂଚାରୁ ରୂପରେ ଖେଳାଯିବ, ସେ ପ୍ରତି ସବୁ ଫ୍ରାଞ୍ଚାଇଜି ଧ୍ୟାନ ଦେବା ଉଚିତ୍ । କ୍ଷତି ସମସ୍ତଙ୍କର ହେଉଛି, ଏଣୁ ସମସ୍ତେ ନିଜ ନିଜ କ୍ଷତି ପାଇଁ ନିଜେ ସମାଧାନର ବାଟ ବାହାର କରନ୍ତୁ ।