)
ପାଟନା: ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଗୃହ ରାଜ୍ୟକୁ ଫେରିବା ପାଇଁ ମୋଦି ସରକାରଙ୍କ ଅନୁମତି ମିଳିଛି । ଫଳରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ସେମାନଙ୍କ ପାଇଁ ସ୍ପେଶାଲ ଟ୍ରେନ ଆରମ୍ଭ କରିଛି । ଅନ୍ୟପକ୍ଷେ ଏହି ଟ୍ରେନରେ ଆସିବା ସମୟରେ ଶ୍ରମିକଙ୍କୁ ନିଜ ନିଜ ଟିକେଟ ଖର୍ଚ୍ଚ ଦେବାକୁ ପଡ଼ିବ । ତାହା ସ୍ପଷ୍ଟ କରିଛନ୍ତି ବିହାର ସରକାର । ଏହା ଭାରତ ସରକାରଙ୍କ ଦିଶାନିର୍ଦ୍ଦେଶ ବୋଲି କହିଛନ୍ତି ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ପ୍ରତୀକ ଅମୃତ ।
ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୋରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଅନ୍ୟାନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକ ତଥା ଅନ୍ୟାନ୍ୟ ଲୋକଙ୍କ ଆଗମନକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନରେ ଆଶ୍ୱସ୍ତି ଦେବାକୁ ସ୍ୱାଗତ କରିଥିଲେ । ଏହି ରିହାତି ପାଇଁ ନୀତୀଶ କୁମାର କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସେ ସେତେବେଳେ କହିଥିଲେ ଯେ, ଏହି ନିଷ୍ପତ୍ତି ଉପଯୁକ୍ତ ଏବଂ ସ୍ୱାଗତଯୋଗ୍ୟ । ଏହା ଆମର ଅନୁରୋଧ ଥିଲା । ଯାହା ଉପରେ କେନ୍ଦ୍ର ସରକାର ଏହା ଉପରେ ସକାରାତ୍ମକ ନିଷ୍ପତ୍ତି ନେଇଛନ୍ତି । ଏଥିରେ ବହୁ ସଂଖ୍ୟାରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର,ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଅନ୍ୟମାନେ ଏଠାକୁ ଆସିବାରେ ସୁବିଧା ହେବ । ସେମାନଙ୍କୁ ବହୁତ ଆଶ୍ୱସ୍ତି ମିଳିବ ।