ମଙ୍ଗଳବାର ଆୟୋଜିତ ଭର୍ଚ୍ୟୁଆଲ ରଜ ଉତ୍ସବରେ ସ୍ୱାମୀ ଓ ଝିଅଙ୍କ ସହ ସାମିଲ ହୋଇଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ମୃଦୁଳା ପ୍ରଧାନ ।
Trending Photos
)
ନୂଆଦିଲ୍ଲୀ: ଯେତେ ଝଡ଼ଝଞ୍ଜା ଆସିଲେ ବି ୧୨ ମାସରେ ୧୩ ପର୍ବ ପାଳନ କରିଥାନ୍ତି ଓଡ଼ିଆ ଲୋକ । ଠିକ ଯେମିତି କୋରୋନା ସଙ୍କଟ ମଧ୍ୟରେ ରଜ ପର୍ବ ପାଳନ ହୋଇଛି । ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱ ଏକ ବଡ଼ ଆହ୍ୱାନ ହୋଇଥିବା ବେଳେ ଭର୍ଚ୍ୟୁଆଲ ରଜ ଉତ୍ସବ ଆୟୋଜନ କରିଥିଲା ନୂଆଦିଲ୍ଲୀର ଓଡ଼ିଆ ସମାଜ । ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆକୁ ଏକାଠି କରି ସାସ୍କୃତିକ ଭାବେ ପରସ୍ପରକୁ ଯୋଡ଼ିବାକୁ ଏଭଳି ଉଦ୍ୟମ କରାଯାଇଥିଲା। ଯେଉଁ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ମୃଦୁଳା ପ୍ରଧାନ ।
ମଙ୍ଗଳବାର ଆୟୋଜିତ ଭର୍ଚ୍ୟୁଆଲ ରଜ ଉତ୍ସବରେ ସ୍ୱାମୀ ଓ ଝିଅଙ୍କ ସହ ସାମିଲ ହୋଇଥିଲେ ମୃଦୁଳା । ଖୁବ କମ ସମୟ ମଧ୍ୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଓଡ଼ିଆଙ୍କୁ ଏକାଠି କରିବା ପାଇଁ ଓଡ଼ିଆ ସମାଜ ଯେଉଁ ଉଦ୍ୟମ କରିଥିଲା, ତାକୁ ସେ ପ୍ରଶଂସା କରିଥିଲେ । କୋଭିଡ-୧୯ ଆମ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି । ଆଉ ଏଭଳି ସମୟରେ ଭର୍ଚ୍ୟୁଆଲ ରଜ ଉତ୍ସବ ଆୟୋଜନ ଏକ ଉଚ୍ଚକୋଟୀର ପ୍ରୟାସ । ଆମେ ବିଶ୍ୱର ବିଭିନ୍ନ ସ୍ଥାନରେ ବାସ କରୁଛୁ ସତ, କିନ୍ତୁ ସମସ୍ତେ ଏକାଠି ହୋଇ ନିଜ ସଂସ୍କୃତିକୁ ପାଳନ କରୁଛୁ ବୋଲି କହିଥିଲେ ଶ୍ରୀମତୀ ପ୍ରଧାନ ।
ସେହିପରି ରଜ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଥିବାରୁ ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ରଥଯାତ୍ରା-୨୦୨୦ ଉପଲକ୍ଷେ ମଧ୍ୟ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ଉତ୍ସବର ଏକ ଅଂଶ ଭାବେ ଓଡ଼ିଆ ଗାୟକ କ୍ରିଷ୍ଣା ବେଉରା ଏବଂ ସୋହିନୀ ମିଶ୍ର ଲୋକପ୍ରିୟ ଓଡ଼ିଆ ଭଜନ ଓ ଚଳଚିତ୍ର ସଙ୍ଗୀତ ପରିବେଷଣ କରିଥିଲେ । 'ନିଝୁମ ରାତିର ସାହାରା ରେ' ଗୀତରେ ସମସ୍ତେ ଝୁମିଥିଲେ । କ୍ରିଷ୍ଣା ବେଉରାଙ୍କ କଣ୍ଠରେ 'ରଙ୍ଗବତୀ' ସମସ୍ତଙ୍କୁ ମତୁଆଲା କରିଥିଲା । କାର୍ଯ୍ୟକ୍ରମରେ ଦିଲ୍ଲୀ, ନୋଏଡା, ଗାଜିଆବାଦ, ଉତ୍ତରପ୍ରଦେଶ, ଡେରାଡୁନ, କୋଲକତା, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ରାଜକୋଟ, ସୁରଟ, ଭାଇଜାଗ, ଭୁବନେଶ୍ୱର, ପୁରୀ କଟକ ସମେତ ମସ୍କୋ, ସିଙ୍ଗାପୁର, ଦୁବାଇ, କାନାଡ଼ା ଆଦି ସହରରେ ରହୁଥିବା ଓଡ଼ିଆମାନେ ସାମିଲ ହୋଇଥିଲେ ।