)
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ରାଜନୈତିକ ଫୋକସ୍ ପୁରା ସଚିନ ପାଇଲଟଙ୍କ ଉପରେ । ଗେହଲଟ ସରକାରରେ କୋ ପାଇଲଟ ଥିବା ପାଇଲଟଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି । ସେହିପରି ରାଜସ୍ଥାନ ପିସିସି ସଭାପତି ପଦରେ ମଧ୍ୟ ଆଉ ନାହାଁନ୍ତି ସଚିନ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ରାଜନୈତିକ ଲଢ଼େଇ ପରେ ପାଇଲଟଙ୍କ ଉପରେ ଏ ତମାମ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ବର୍ତ୍ତମାନ ଏକ ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ପାଇଲଟ ଗତି କରୁଛନ୍ତି । ସେ ଆଗକୁ କ'ଣ ନିଷ୍ପତ୍ତି ନେଉଛନ୍ତି, ତା ଉପରେ ପୁରା ଦେଶରେ ନଜର ରହିଛି । ତେବେ ଆମେ ଆପଣଙ୍କୁ କହିରଖୁଛୁ, ଆଜି ରାଜନୈତିକ ଜୀବନରେ ଯେଉଁ ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ପାଇଲଟ୍, ଦିନେ ସେ ନିଜ ପ୍ରେମ ଜୀବନରେ ମଧ୍ୟ ଏମିତି କିଛି ମୁହୂର୍ତ୍ତକୁ ସାମ୍ନା କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସେଥିରେ ସଫଳ ମଧ୍ୟ ହୋଇଥିଲେ ।
ସଚିନ ପାଇଲଟଙ୍କ Love Life କିଛି ଫିଲ୍ମ କାହାଣୀଠାରୁ କମ୍ ନଥିଲା । ଆକ୍ସନ, ରିଏକ୍ସନ ଓ ଇମୋସନ, ସବୁଥିଲେ ଭରପୁର ଥିଲା ଏ କାହାଣୀ । ଏ କାହାଣୀ ସେବେ ଆରମ୍ଭ ହୋଇଥିଲା, ଯେବେ MBA କରିବା ପାଇଁ ଲଣ୍ଡନ ଯାଇଥିଲେ ପାଇଲଟ । ଲଣ୍ଡନର University of Pennsylvaniaରେ ସେ ଏମବିଏ କରୁଥିଲେ । ଏହି ସମୟରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ଝିଅ ତଥା ଉମର ଅବଦୁଲ୍ଲାଙ୍କ ଭଉଣୀ ସାରା ଅବଦୁଲ୍ଲା(Sara Abdullah)ଙ୍କ ସହ ତାଙ୍କର ସାକ୍ଷାତ ହୁଏ ।
କିଛି ଦିନର ମିଳାମିଶା ପରେ ଉଭୟ ପରସ୍ପରକୁ ପସନ୍ଦ କରିବାକୁ ଲାଗନ୍ତି । ସାମାନ୍ୟ କଥାବାର୍ତ୍ତା ଦିନେ ପ୍ରେମରେ ପରିଣତ ହୋଇଯାଏ । MBA କରିସାରିବା ପରେ ସଚିନ ପାଇଲଟ ଭାରତ ଫେରିଆସନ୍ତି । ସେପଟେ ପଢ଼ା ନସରିବା ପର୍ଯ୍ୟନ୍ତ ଲଣ୍ଡନରେ ହିଁ ରୁହନ୍ତି ସାରା । ତେବେ ପ୍ରେମ ପାଇଁ ଏହି ଦୂରତା ସେତେ ବେଶି ନଥିଲା । ଇମେଲ ଓ ଫୋନ ମାଧ୍ୟମରେ ପରସ୍ପର ପରସ୍ପରର ଯୋଗାଯୋଗରେ ଥାଆନ୍ତି ।
ଦିନେ ଏହି ପ୍ରେମ କାହାଣୀ ଉପରେ କଳାବାଦଲ ମାଡ଼ିଆସେ, ଯେବେ ପରିବାର ଲୋକଙ୍କୁ ଏକଥା କହିବାକୁ ପଡ଼େ । କାହିଁକିନା ସଚିନ ପାଇଲଟ ହିନ୍ଦୁ ଏବଂ ସାରା ଥିଲେ ମୁସଲମାନ । ପ୍ରେମ ପାଇଁ ଏହା ପ୍ରତିବନ୍ଧକ ନୁହେଁ, କିନ୍ତୁ ପରିବାର ଲୋକଙ୍କୁ ମନାଇବା ଥିଲା ବଡ଼ ଚ୍ୟାଲେଞ୍ଚ । ଉଭୟଙ୍କ ପରିବାର ପୁରା ନାରାଜ ଥିଲେ । ଆଉ ଏଥିପାଇଁ ଉଭୟ ସଚିନ ଓ ସାରାଙ୍କୁ ବେଶ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଥିଲା ।

କୁହାଯାଏ, ଫାରୁଖ ଅବଦୁଲ୍ଲା ଏହି ପ୍ରସ୍ତାବକୁ ରୋକଠୋକ ମନା କରିଦେଇଥିଲେ । ସଚିନଙ୍କ ସହ ଝିଅ ସାରାଙ୍କୁ ବିବାହ ଦେବା ପାଇଁ ଆଦୌ ରାଜି ନଥିଲେ ଫାରୁଖ ଅବଦୁଲ୍ଲା । ନିଜ ପିତାଙ୍କୁ ବୁଝାଇବା ପାଇଁ ଲକ୍ଷେ ଉଦ୍ୟମ କରିଥିଲେ ସାରା, ହେଲେ ସଫଳ ହୋଇନଥିଲେ । ତେବେ ଯେତେବେଳେ ସହମତି ନେଇ ସମସ୍ତ ପ୍ରକାର ଉଦ୍ୟମ ବିଫଳ ହୋଇଥିଲା, ଚରମ ନିଷ୍ପତ୍ତି ନେଇଥିଲେ ଉଭୟ ସଚିନ ଓ ସାରା ।
୨୦୦୪ ମସିହାରେ ପରସ୍ପରକୁ ବିବାହ କରିନେଇଥିଲେ ଉଭୟେ । ଏହି ସମୟରେ ସାରାଙ୍କ ପରିବାରର ଜଣେ ମଧ୍ୟ ସଦସ୍ୟ ଉପସ୍ଥିତ ନଥିଲେ । କିନ୍ତୁ ପାଇଲଟଙ୍କ ପରିବାର ବିବାହ ବେଳେ ସାଥ୍ ଦେଇଥିଲେ । ତେବେ ସମୟ ଗଡ଼ିବା ସହ, ଏହି ବିବାହକୁ ଅବଦୁଲ୍ଲା ପରିବାର ମଧ୍ୟ ସ୍ୱୀକାର କରିନେଇିଥିଲେ । ଏତେସବୁ ଘାତ ପ୍ରତିଘାତ ପରେ ମଧ୍ୟ ପ୍ରେମକୁ ପାଇବାରେ ସଫଳ ହୋଇଥିଲେ ପାଇଲଟ । ଏବେ ପାଇଲଟଙ୍କ ଦୁଇ ସନ୍ତାନ ମଧ୍ୟ ଅଛନ୍ତି ।
ଆଜି ଦେଶର ରାଜନୀତିରେ ପାଇଲଟ ଏକ ପରିଚିତ ନାଁ । କେବେ ମଧ୍ୟ ରାଜନୀତିକୁ ଆସିବା ପାଇଁ ଚାହୁଁନଥିଲେ ସଚିନ । ତେବେ ପିତା ରାଜେଶ ପାଇଲଟଙ୍କ ମୃତ୍ୟୁ ପରେ ନିଜ ନିଷ୍ପତ୍ତିକୁ ବଦଳାଇ ରାଜନୀତିକୁ ସେ ଏଣ୍ଟ୍ରି ମାରିଥିଲେ । ଆଉ ଖୁବ କମ୍ ଦିନରେ ବେଶ ସଫଳ ମଧ୍ୟ ହୋଇପାରିଛନ୍ତି । ଆଜି ସଚିନ ପାଇଲଟ ସମସ୍ତଙ୍କ ପୋକସରେ ରହିଛନ୍ତି । ପାଇଲଟ ଯେ ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ମଧ୍ୟ ସଠିକ୍ ନିଷ୍ପତ୍ତି ନେବେ, ତାଙ୍କୁ ଶୁଭେଚ୍ଛୁ ଓ ସମର୍ଥକ ଆଶା ରଖିଛନ୍ତି ।