)
ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀଗଙ୍ଗନଗର ସୁରଟଗଡରେ ଅଘଟଣ । ସେଠାରେ ଥିବା ଇନ୍ଦିରା ଗାନ୍ଧୀ କେନାଲର ୩୩୦ ଆରଡି ନିକଟରେ ଏକ ସେନା ଜିପ ଅନିୟନ୍ତ୍ରିତ ଭାବରେ ଓଲଟି ପଡ଼ିବାରୁ ଏଥିରେ ଥିବା ତିନି ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି ।
ଏହି ଘଟଣାରେ ଜିପଟି ଓଲଟି ପଡ଼ିବାରୁ ଜିପରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ତିନିଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।
ଏହି ଘଟଣା ବିଳମ୍ବିତ ରାତି ଗୋଟାଏ ସମୟରେ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସେନା କର୍ମଚାରୀମାନେ ଭଣ୍ଟିଡା 47 AD ୟୁନିଟରେ ଥିଲେ। ଯେଉଁମାନେ ସୁରଟଗଡକୁ ଯୁଦ୍ଧାଭ୍ୟାସ ପାଇଁ ଆସିଥିଲେ। ଜିପ୍ ଟି ଓଲଟିଲା ପରେ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ଥିବା ଗ୍ରାମବାସୀ ମାନେ ଏହି ନିଆଁକୁ ଆୟତ୍ତ କରିଥିଲେ । ସ୍ଥିତି ନିୟନ୍ତ୍ରଣ ହେବା ବେଳକୁ ନିଆଁ ଲାଗି ଜୀଅନ୍ତା ଜଳିଯାଇଥିଲେ ୩ ଯବାନ। ଫଳରେ ସେଠାରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା ।
ଘଟଣାର କିଛି ସମୟ ପରେ ରୌଜିଆସର ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚିଥିଲା । ଯାହାଙ୍କ ସାହାଯ୍ୟରେ ଆହତ ଯବାନଙ୍କୁ ସୁରତଗଡ଼ର ଟ୍ରମା ସେଣ୍ଟରକୁ ପଠାଯାଇଥିଲା । ପ୍ରାଥମିକ ଉପଚାର କରିବା ପରେ ଆହତ ଯବାନଙ୍କୁ ସେନା ହସ୍ପିଟାଲ (Army Hospital) କୁ ସ୍ଥାନାନ୍ତର କରାଯାଇଛି ।