Advertisement
Article Detail0/zeeodisha/odisha772936
Zee OdishaOdisha National-Internationalକୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟ ସମେତ ୪ ଦୋଷୀଙ୍କୁ ଦଣ୍ଡବିଧାନ

କୋଇଲା ଦୁର୍ନୀତି ମାମଲା: ଆଜି ଦିଲ୍ଲୀପ ରାୟ ସମେତ ୪ ଦୋଷୀଙ୍କୁ ଦଣ୍ଡବିଧାନ

ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଫାଇନାଲ ହେଇପାରେ ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସମେତ ୪ ଜଣ ଦୋଷୀଙ୍କୁ ମିଳିପାରେ ଦଣ୍ଡାଦେଶ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ୧୯୯୯ ମସିହାରେ ହୋଇଥିବା କୋଇଲା ଦୁର୍ନୀତି ମାମଲାରେ ଆଜି ଦଣ୍ଡାଦେଶ ଦିଆଯିବାର ସମ୍ଭାବନା ରହିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୪ ଜଣଙ୍କୁ କଣ ଦଣ୍ଡ ଦିଆଯିବ, ତାହା ଆଜି ସିବିଆଇ କୋର୍ଟ ଜଣାଇବେ। ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ତତ୍କାଳୀନ ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ମାଇନିଂ କମ୍ପାନୀର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ୱାଲଙ୍କ ବିରୋଧରେ ବି ଦଣ୍ଡାଦେଶ ଆସିବ।

ଅକ୍ଟୋବର ୬ ତାରିଖରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାରତ ପରାଶର ଦିଲ୍ଲୀପଙ୍କ ସମେତ ମୋଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୧୪ ତାରିଖରେ ସେମାନଙ୍କୁ ଦଣ୍ଡ ବିଧାନ କରାଯିବାର ଥିଲା। କିନ୍ତୁ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତିକୁ ଦେଖି ସେତେ ବେଳେ କୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ। ସିବିଆଇ ଓକିଲ ଆଜୀବନ କାରାବାସ ପାଇଁ ଦାବି କରିଥିବା ବେଳେ ଦୋଷୀଙ୍କ ଓକିଲ ଦଣ୍ଡକୁ କୋହଳ କରିବାକୁ ଆବେଦନ କରିଛନ୍ତି।

ସମସ୍ତ ଦୋଷୀଙ୍କ ବୟସ ଓ ପୂର୍ବ ରେକର୍ଡକୁ ଦୃଷ୍ଟିରେ ରଖି ଦଣ୍ଡାଦେଶ କୋହଳ କରିବାକୁ କୋର୍ଟରେ ଦାବି ହୋଇଛି। ତେବେ ଏହାକୁ ବିଚାର କରି ବିଚାରପତି ଭାରତ ପରାଶର ଆଜି ସମସ୍ତ ଦୋଷୀଙ୍କ କୋର୍ଟରେ ହାଜର ହେବାକୁ କହିଛନ୍ତି। ତେବେ ସେମାନଙ୍କୁ କେଉଁ ଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ଜଣାପଡିନାହିଁ। ତେବେ ସମସ୍ତ ଦୋଷୀଙ୍କ ବିରୋଧରେ ଆଇପିସିର ଧାରା ୪୨୦(ଠକାମି), ୧୨୦(ବି) ଓ  ୪୦୯ ସହ ଦୁର୍ନୀତି ନିବାରଣ ଆଇନର ଅନେକ ଦଫା ଲାଗିଛି। 

Add Zee News as a Preferred Source

ସୂଚନାଯୋଗ୍ୟ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ଦିଲ୍ଲୀପ ରାୟ କାଷ୍ଟ୍ରନ ମାଇନିଂ କମ୍ପାନୀକୁ ଝାଡ଼ଖଣ୍ଡର ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରିଥିଲେ। ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବାରୁ ୨୦୧୭ ମସିହାରେ ସିବିଆଇ ମାମଲାର ତଦନ୍ତ କରିଥିଲା। ପ୍ରଥମେ ଦିଲ୍ଲୀପ ରାୟ ଓ ପରେ ଅନ୍ୟ ତିନି ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କୋଇଲା ଆବଣ୍ଟନରେ ଦୁର୍ନୀତିକୁ ନେଇ ଗତ ୭ ବର୍ଷ ମଧ୍ୟରେ ଦେଶରେ ୪୦ଟି ମାମଲା ରୁଜୁ ହୋଇଛି। ଏଥିରୁ ମାତ୍ର ୮ଟିର ରାୟ ପ୍ରକାଶ ପାଇଛି, ଯେଉଁଥିରେ ୨୪ ଜଣ ବ୍ୟକ୍ତି ଓ ୭ଟି କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେପଟେ କୋଇଲା ଦୁର୍ନୀତିରେ ନିଜକୁ ନିର୍ଦୋଷୀ ବୋଲି ବାରମ୍ବାର ଦିଲ୍ଲୀପ ରାୟ ଦାବି କରୁଛନ୍ତି। ଏହା ଏକ ରାଜନୈତିକ ଏକ ଷଡ଼ଯନ୍ତ୍ର ଓ ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହୁଛନ୍ତି।