ଆଗକୁ ବିହାର ବିଧାନସଭା ନିର୍ବାଚନ, ଇସି ପକ୍ଷରୁ ପ୍ରଶିକ୍ଷଣ ଆରମ୍ଭ

ବିହାର ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଆଗକୁ ବିହାର ବିଧାନସଭା ନିର୍ବାଚନ, ଇସି ପକ୍ଷରୁ ପ୍ରଶିକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଏହିକ୍ରମରେ ବିଭାଗୀୟ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ନିର୍ବାଚନ ଆୟୋଗ-ଇସି(Election Commission) ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜୁନ ୨୯ ତାରିଖ ସୋମବାର ଠାରୁ ଏହାକୁ ଆରମ୍ଭ କରାଯିବାର ରହିଛି | 

ପ୍ରଥମ ପର୍ଯ୍ୟାୟରେ ବିହାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କୁ ତାଲିମ ଦିଆଯିବ | ଏହି ପର୍ଯ୍ୟାୟରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ପ୍ରଦାନ କରିବେ | ଏହା ପରେ ପ୍ରଶିକ୍ଷକଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ ଜିଲ୍ଲା, ସବଡିଭିଜନ ଏବଂ ବ୍ଲକ ସ୍ତରୀୟ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ | ପ୍ରାୟ ୮ଦିନ ଧରି ଏହି ଟ୍ରେନିଂ କାର୍ଯ୍ୟକ୍ରମ ଚାଲିବ | 

ତାଲିମ କାର୍ଯ୍ୟକ୍ରମ ସମୟରେ କର୍ମଚାରୀଙ୍କୁ ନାମାଙ୍କନ ଦାଖଲ, ଭୋଟିଂ, ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ଚଳାଇବା ନେଇ ତାଲିମ ଦିଆଯିବ | ନିର୍ବାଚନ କମିଶନଙ୍କ ଅନୁଯାୟୀ ବିଭିନ୍ନ ସ୍ତରରେ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି | ବର୍ତ୍ତମାନର କୋରୋନା ସଂକଟ ସମୟରେ ସୁରକ୍ଷିତ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ କରିବା ପାଇଁ ସ୍ୱତନ୍ତ୍ର ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି |

ନିର୍ବାଚନ କମିଶନଙ୍କ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ଭଳି ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଉପରେ ଗୁରୁତ୍ୱରୋପ କରାଯାଉଛି | କିଛି ଦିନ ପୂର୍ବେ ରାଜଧାନୀ ପାଟନା ଠାରେ ନିର୍ବାଚନ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା |  

ଏହି ବୈଠକରେ ଯୋଗ ଦେଇଥିବା ରାଜନୈତିକ ଦଳଙ୍କ ପକ୍ଷରୁ ଅନେକ ପ୍ରସ୍ତାବ ଦିଆଯାଇଥିଲା | ଅଧିକାଂଶ ଦଳ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୁଇରୁ ତିନି ପର୍ଯ୍ୟାୟରେ ଅନୁଷ୍ଠିତ କରିବାକୁ ମତାମତ ଦେଇଥିଲେ |