TRPର ଖେଳ, କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ
Advertisement

TRPର ଖେଳ, କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ

ଏବେ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍- BARC ଆସନ୍ତା ୧୨ ସପ୍ତାହ ପାଇଁ ଦେଶର ସମସ୍ତ ନ୍ୟୁଜ ଚାନେଲର ଟେଲିଭିଜନ ରେଟିଂ ପଏଣ୍ଟ ବା TRP ଉପରେ ଲଗାଇଛି ରୋକ୍ ।

ପ୍ରତୀକାତ୍ମକ ଫଟୋ

ବିଭୁତି ଭୂଷଣ ବେହେରା, ନୂଆଦିଲ୍ଲୀ: ପ୍ରତିସ୍ପର୍ଦ୍ଧା ଓ ସମ୍ବାଦର ସ୍ୱଚ୍ଛତାକୁ ଭିତ୍ତି କରି ରେଟିଂ ପ୍ରଦାନ କରୁଥିବା ସଂସ୍ଥାର ପଣତରେ ଏବେ କଳା ଦାଗ । ଆଉ ଏହି କଳା ଦାଗକୁ ଧୋଇବା ପାଇଁ ମୁମ୍ବାଇରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଛି ନ୍ୟାୟିକ ପ୍ରତିଯୋଗିତା । କିଏ ଜିତିବ ପ୍ରତିସ୍ପର୍ଦ୍ଧା ବନାମ ଜାଲିଆତିର ଏହି ମହାଯୁଦ୍ଧ, ତାହା ସମୟ କହିବ, ହେଲେ ଦିନେ ଗଳାର ମାଳା ପାଲଟିଥିବା ଏହି TRP ଏବେ ଅଜଗର ସାପ ସଦୃଶ ହୋଇଛି । ଭୁଲ୍ ଠିକର ଅଙ୍କ କଷାକଷିରେ ଚାଲନ୍ତୁ ନଜର ପକାଇବା ଜୀ ଓଡ଼ିଶାର ଏକ ସ୍ୱତନ୍ତ୍ର ରିପୋର୍ଟ ।

ଏବେ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍- BARC ଆସନ୍ତା ୧୨ ସପ୍ତାହ ପାଇଁ ଦେଶର ସମସ୍ତ ନ୍ୟୁଜ ଚାନେଲର ଟେଲିଭିଜନ ରେଟିଂ ପଏଣ୍ଟ ବା TRP ଉପରେ ଲଗାଇଛି ରୋକ୍ । ଏହାର ଅର୍ଥ, ଆଗାମୀ ୧୨ ସପ୍ତାହ ଧରି ନ୍ୟଜ୍ ଚ୍ୟାନେଲକୁ କେତେ ଦର୍ଶକ ଦେଖୁଛନ୍ତି, ତାର ବିଧିବଦ୍ଧ ରିପୋର୍ଟ ମିଳିପାରିବ ନାହିଁ । ସୁଶାନ୍ତ ସିଂହ ମୃତ୍ୟୁକୁ ନେଇ ଟେଲିଭିଜନରେ ଅନେକ ଭୁଲ ଓ ସମ୍ବେଦଳଶୀଳ ପ୍ରସଙ୍ଗକୁ ନେଇ କେବଳ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ପ୍ରୋଗ୍ରାମ ପ୍ରସାରଣ କରାଯାଇଥିବା ଅଭିଯୋଗ ଉପରେ BARC ନେଇଛି ଏହି ପଦକ୍ଷେପ ।

ତେବେ ଏହି ବାର୍କ କଣ:-BARC ହେଉଛି ଡିଜାଇନ୍, କମିଶନ, ସୁପରଭାଇଜ୍ ଏବଂ ସଠିକ୍, ବିଶ୍ୱସନୀୟ ତଥା ସମୟୋପଯୋଗୀ ଅଡିଏନ୍ସ ମେଜରମେଣ୍ଟ କରି ପାରୁଥିବା ଏକ ସଂସ୍ଥା । ଆଜିର ତାରିଖରେ ବାର୍କ ଦେଶର ପ୍ରାୟ ୨୦ କୋଟି ଟିଭି ଉପଭୋକ୍ତାଙ୍କ ମଧ୍ୟରୁ ମାନକ ସ୍ଥିର କରିପାରୁଛି । ଏଥିପାଇଁ ରହିଛି ୪୦, ୦୦୦ ସାମ୍ପଲ ପାନେଲ୍ ହାଉସ୍ । ତେବେ ଏହା କେତେଦୂର ସଠିକ୍ ତକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ଅର୍ଥାତ୍ ମାତ୍ର ୪୦ ହଜାର ଘରେ ବାରୋମିଟର ଲଗାଇ ୨୦ କୋଟି ଉପଭୋକ୍ତା କ'ଣ ଦେଖୁଛନ୍ତି, ତାହା ନିର୍ଭୁଲ ଭାବରେ ନିର୍ଦ୍ଧାରଣ କରିବା କ'ଣ ସମ୍ଭବ ?

ଏବେ ମନରେ ପ୍ରଶ୍ନ ଆସିବ, ବାରୋମିଟର କଣ ? ଏହାଦ୍ୱାରା ବାର୍କ କିଭଳି ଡାଟା ସଂଗ୍ରହ କରେ ।  ଏହି ଯନ୍ତ୍ରଦ୍ୱାରା ସମ୍ପୃକ୍ତ ଉପଭୋକ୍ତାଙ୍କ ଟିଭି ସ୍କ୍ରିନରେ ଏକ ୱାଟରମାର୍କ ଆସିଥାଏ । ଏହା ଜରିଆରେ ବାର୍କ କର୍ତ୍ତୃପକ୍ଷ ଜାଣିପାରନ୍ତି ଉପଭୋକ୍ତା କେଉଁ ପ୍ରୋଗ୍ରାମ ଦେଖୁଛନ୍ତି ବୋଲି । ଯେକୌଣସି ପ୍ରୋଗ୍ରାମର ଭିୟୁଅରଶିପ୍ ଡାଟା ପାଇଁ ଏକ ୟୁନିଭର୍ସ ଏଷ୍ଟିମେଟ୍ ବା ସାଧାରଣ ଆନୁମାନିକ ହିସାବ ଲଗାଯାଏ । ତେବେ ଏହା ସମ୍ପୂର୍ଣ୍ଣ ଠିକ୍ ବୋଲି କିପରି କହିହେବ ?

ତେବେ ଟିଆରପି ବା ରେଲିଭିଜନ ରେଟିଂ ପଏଣ୍ଟ କଣ ? ଏହା ମୋଟ କେତେଥର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଦେଖିଛନ୍ତି ହରଣ ଟାର୍ଗେଟ୍ ଅଡିଏନ୍ସ ଗୁଣନ ଶହେର ଫଳ । ଉଦାହରଣ ସ୍ୱରୂପ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଦେଖିଛନ୍ତି ୧୦ଲକ୍ଷ ଥର ହରଣ ଟାର୍ଗେଟ୍ ଅଡିଏନ୍ସ ୧୦ କୋଟି ଗୁଣନ ୧୦୦ ସମାନ ୧୦ । ଅତଏବ ଏହି ୧୦ ହେଉଛି ଉକ୍ତ ଚ୍ୟାନେଲର ଟିଆରପି ।

ତେବେ ଏହି ଟିଆରପି ହେଉଛି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଦର୍ଶକୀୟ ମାପକାଠିରେ ମୂଲ୍ୟାୟନ କରିବାର ମାଧ୍ୟମ । ଯାହାର ଟିଆରପି ଯେତେ ଉଚ୍ଚ, ତାର ଲାଭ ସେତେ ଅଧିକ । ତେବେ ଯେଉଁ ୪୦ ହଜାର ଘରେ ବାର୍କ କର୍ତ୍ତୃପକ୍ଷ ବାରୋମିଟର ଲଗାଇ ସାଧାରଣ ଆନୁମାନିକ ହିସାବ ଲଗାଇଥାନ୍ତି, ତାକୁ ଯଦି ଟାମ୍ପରିଂ କରାଯାଏ ? ଅର୍ଥାତ୍ ସେହି ଗୃହକର୍ତ୍ତାଙ୍କୁ ଯଦି ଅର୍ଥଲୋଭ ଦେଖାଇ ନିର୍ଦ୍ଦିଷ୍ଟ ଚାନେଲ୍ ବା କାର୍ଯ୍ୟକ୍ରମ ଦେଖିବାକୁ ବାଧ୍ୟ କରାଯାଏ ? ବାର୍କ ରେଟିଂ ନିରପେକ୍ଷ ହୋଇ ପାରିବ ତ ? ତେଣୁ କେବଳ ୧୨ସପ୍ତାହ କାହିଁକି, ବରଂ ଏଭଳି ଏକ ବିବାଦୀୟ ମୂଲ୍ୟାଙ୍କନକୁ ସବୁଦିନ ପାଇଁ ଉଠାଇ ଦେବା ଆବଶ୍ୟକ ନୁହେଁ କି ?