ଆଜିଠୁ ଅନଲକ୨: ଜାଣନ୍ତୁ କ'ଣ ହୋଇଛି ପରିବର୍ତ୍ତନ

ଅନଲକ୧ ପରେ ଏବେ ସମଗ୍ର ଦେଶରେ ଜୁଲାଇ ପହିଲାରୁ ଲାଗୁ ହୋଇଛି ଅନଲକ୨ |

ଆଜିଠୁ ଅନଲକ୨: ଜାଣନ୍ତୁ କ'ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢୁଥିବା ବେଳେ, ଏବେ ସମଗ୍ର ଦେଶରେ ଚଳିତ ଜୁଲାଇ ପହିଲାରୁ ଅନଲକ୨ ଲାଗୁ ହୋଇଯାଇଛି | ଏନେଇ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ବର୍ତ୍ତମାନ ସ୍ଥିତିରେ ମେଟ୍ରୋ, ସିନେମା ହଲ୍, ଜିମ୍, ସୁଇମିଂପୁଲ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଖୋଲି ରହିବ ନାହିଁ | ଏହା ବ୍ୟତୀତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି | ଏପରିକି ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲାଯିବ ନାହିଁ |

ଏହା ବ୍ୟତୀତ ଏହି ମାସ ଆରମ୍ଭରୁ ଆଉ ଏକ ବଡ଼ ପରିବର୍ତ୍ତନ ହୋଇଛି | ବ୍ୟାଙ୍କିଂ ନିୟମାବଳୀ ଏବଂ ଏଲପିଜି ଗ୍ୟାସ-ଏଲପିଜି(Liquefied Petroleum Gas-LPG) ମୂଲ୍ୟ ସହିତ ଜଡିତ | ବୁଧବାର ଠାରୁ ସମସ୍ତ ବ୍ୟାଙ୍କର ଆକାଉଣ୍ଟଧାରୀ ଏଟିଏମରୁ ନଗଦ କାରବାର ଉପରେ କୌଣସି ରିହାତି ପାଇବେ ନାହିଁ | ଏଣିକି ପୂର୍ବ ଭଳି ପ୍ରତି ମାସରେ ମେଟ୍ରୋ ସହରରେ କେବଳ ୮ ଥର ଏବଂ ଅଣ ମେଟ୍ରୋ ସହରରେ ୧୦ ଥର କାରବାର କରିପାରିବେ |

ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ବ୍ୟାଙ୍କର ନିୟମ ଅନୁଯାୟୀ ପ୍ରତି ମାସରେ ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବାକୁ ପଡିବ | ଲକ ଡାଉନ ସମୟରେ ବ୍ୟାଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ ରଖିବା ନିୟମକୁ ସାମୟିକ ଭାବେ ହଟାଯାଇଥିଲେ   

ଏବେ ବ୍ୟାଙ୍କ ଆକାଉଣ୍ଟରେ ମିଳୁଥିବା ସୁଧରେ ପରିବର୍ତ୍ତନ ଆସିଛି | ଅଧିକାଂଶ ବ୍ୟାଙ୍କ ସଞ୍ଚୟ ଖାତା(Saving Account) ମାଧ୍ୟମରେ ଗ୍ରାହକଙ୍କୁ ମିଳୁଥିବା ସୁଧକୁ ହ୍ରାସ କରିବେ | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ମିଳୁଥିବା ସୁଧକୁ ୦.୫୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଅନ୍ୟ ସରକାରୀ ବ୍ୟାଙ୍କ ମଧ୍ୟ ସର୍ବାଧିକ ୩.୨୫ ପ୍ରତିଶତ ହ୍ରାସ କରିବେ |

ଏହା ସହିତ ଯଦି ଆଜି ଠାରୁ ଅନେକ ବ୍ୟାଙ୍କରେ ଡକ୍ୟୁମେଣ୍ଟ ଜମା ନହୁଏ, ସମ୍ପୃକ୍ତ ଆକାଉଣ୍ଟକୁ ସିଜ କରାଯିବ | ବ୍ୟାଙ୍କ ଅଫ୍ ବରୋଦା ସହିତ ବିଜୟ ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି | ବିଜୟ ଏବଂ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦା ସହିତ ମିଶ୍ରଣ କରାଯାଇଛି |

ତୈଳ ମାର୍କେଟିଂ କମ୍ପାନୀ ପ୍ରତ୍ୟେକ ମାସ ପହିଲାରେ ଏଲପିଜି ସିଲିଣ୍ଡର ଏବଂ ଏୟାର ଇନ୍ଧନର ନୂତନ ମୂଲ୍ୟ ଘୋଷଣା କରିଥାନ୍ତି | ବିଗତ କିଛି ମାସ ହେବ ମୂଲ୍ୟ ବୃଦ୍ଧି ପାଉଛି | ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସହିତ ଲୋକଙ୍କ ରୋଷେଇ ଘର ସହିତ ବିମାନ ଭଡା ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି |