କୋରୋନା ସଂକ୍ରମଣରେ ୟୁପି କ୍ୟାବିନେଟ ମନ୍ତ୍ରୀ ମୃତ, ସିଏମ ଯୋଗୀଙ୍କ ଅଯୋଧ୍ୟା ଗସ୍ତ ବାତିଲ

କୋରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ୟୁପି କ୍ୟାବିନେଟ ମନ୍ତ୍ରୀ କମଲ ରାନୀ ବରୁଣ।

କୋରୋନା ସଂକ୍ରମଣରେ ୟୁପି କ୍ୟାବିନେଟ ମନ୍ତ୍ରୀ ମୃତ, ସିଏମ ଯୋଗୀଙ୍କ ଅଯୋଧ୍ୟା ଗସ୍ତ ବାତିଲ

ଲକ୍ଷ୍ନୌ: ରବିବାର(ଅଗଷ୍ଟ ୨, ୨୦୨୦) ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ କମଲ ରାନୀ ବରୁଣଙ୍କ କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ତାଙ୍କର ଚିକିତ୍ସା ରାଜଧାନୀ ଲକ୍ଷ୍ନୌସ୍ଥିତ ଏକ ହସ୍ପିଟାଲରେ ଚାଲିଥିଲା। ତାଙ୍କ ମୃତ୍ୟୁରେ ସିଏମ ଯୋଗୀ ଶୋକ ପ୍ରକାଶ କରିଛନ୍ତି। ଏହି କାରଣରୁ ୟୁପି ମୁଖ୍ୟମନ୍ତ୍ରୀ ଆଜି ତାଙ୍କର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି। ଚଳିତ ମାସ ୫ ତାରିଖରେ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରସ୍ତୁତି କିପରି ଚାଲିଛି ତାହାର ସମୀକ୍ଷା କରିବାକୁ ଧର୍ମ ନଗରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥାନ୍ତେ ସେ। 

୬୨ ବର୍ଷୀୟ କାନପୁର ଜିଲ୍ଲା ନିବାସୀ କମଲ ରାନୀ ବରୁଣ ମଧ୍ୟ ଦ୍ୱାଦଶ ଲୋକସଭାରେ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ। ବର୍ତ୍ତମାନ ସେ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ  ସେ ରାଜ୍ୟର ଘାଟମପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। 

ମନ୍ତ୍ରୀଙ୍କ ନିଧନରେ ଦୁଃଖ ପ୍ରକାଶ କରି ସିଏମ ଯୋଗୀ ଟ୍ୱିଟ କରି କହିଛନ୍ତି, "ଉତ୍ତରପ୍ରଦେଶ ସରକାରରେ ମୋର ସହକର୍ମୀ ତଥା କ୍ୟାବିନେଟ ମନ୍ତ୍ରୀ କମଲ ରାନୀ ବରୁଣଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟଥିତ ହୋଇପଡିଛି । ରାଜ୍ୟ ଆଜି ଜଣେ ସମର୍ପିତ ଜନପ୍ରତିନିଧିଙ୍କୁ ହରାଇଲା । ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି । ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଓମ ଶାନ୍ତି! "