ଶାହାଜାହାନପୁର ଆଇନ ଛାତ୍ରୀ ଦୁଷ୍କର୍ମ ମାମଲାରେ ନୂଆ ମୋଡ। ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରୁ ପୀଡିତା ପ୍ରତ୍ୟାହାର କଲେ ସମସ୍ତ ଅଭିଯୋଗ।
Trending Photos
)
ଲକ୍ଷ୍ନୌ: ବର୍ଷେ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତାଙ୍କୁ ଆଶ୍ୱସ୍ତି। ଆଇନ ଛାତ୍ରୀ ଦୁଷ୍କର୍ମ ମାମଲାର ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିଲେ ପୀଡିତା। ଏହା ଚିନ୍ମୟାନନ୍ଦଙ୍କ ପାଇଁ ଶୁଭ ସଙ୍କେତ ହୋଇଥିବା ବେଳେ ଅଡୁଆରେ ପଡି ପାରନ୍ତି ଖୋଦ ପୀଡିତା।
୩୮୪ ଦିନ ପୂର୍ବେ ଦେଶର ଏକ ରାଜନୈତିକ ଓ ସାମାଜିକ ଭୂକମ୍ପ ସୃଷ୍ଟି ହୋଇଥିଲା। ଫେସବୁକରେ ଏକ ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଥିଲା। ସେହି ଭିଡିଓଟି ଥିଲା ଜଣେ ଆଇନଛାତ୍ରୀ ଓ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କର। ପରେ ପୀଡିତା ଚିନ୍ମୟାନନ୍ଦଙ୍କ ଉପରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
ପୀଡିତାଙ୍କ ଅଭିଯୋଗ ପରେ ଦୀର୍ଘଦିନ ଯାଏଁ ଏହି ଘଟଣା ସବୁ ଗଣମାଧ୍ୟମରେ ହେଡଲାଇନ ପାଲଟି ଯାଇଥିଲା। ପରେ ଚିନ୍ମୟାନନ୍ଦ ପାଲଟା ପୀଡିତାଙ୍କ ଉପରେ ଠକେଇ ଅଭିଯୋଗ ଆଣିଥିଲେ। ଆଉ ପରବର୍ତ୍ତୀ ସମୟରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ପୀଡିତ ଛାତ୍ରୀ ଓ ପରେ ଫେବୃଆରୀ ୨୦୨୦ ଚିନ୍ମୟାନନ୍ଦଙ୍କୁ କୋର୍ଟରୁ ବେଲ ମିଳିଥିଲା।
ସମ୍ପୂର୍ଣ୍ଣ ମାମଲାରେ ୪୭୦୦ ଫର୍ଦ୍ଦର ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ୧୦୫ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ୨୦ ସାକ୍ଷୀଙ୍କୁ କୋର୍ଟରେ ଉପସ୍ଥାପନା କରାଯାଇଥିଲା। କିନ୍ତୁ ଏବେ ପୀଡିତା ନିଜ ବୟାନକୁ ବଦଳାଇଛନ୍ତି। ଚିନ୍ମୟାନନ୍ଦଙ୍କ ଉପରେ ଲଗାଇଥିବା ସମସ୍ତ ଅଭିଯୋଗକୁ ସେ ପ୍ରତ୍ୟାହାର କରିଛନ୍ତି।
ଏହି ନିଷ୍ପତ୍ତି ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ପୀଡିତାଙ୍କୁ ଅଡୁଆରେ ପକାଇଛି। ଯଦି ଚାହିଁଲେ ଚିନ୍ମୟାନନ୍ଦ ପୀଡିତାଙ୍କ ଉପରେ ମାନହାନୀ ମକଦ୍ଦମା ଲଗାଇପାରିବେ। ସେହିପରି ନ୍ୟାୟପାଳିକାର ଅପବ୍ୟବହାର ପାଇଁ ମଧ୍ୟ ମାମଲା ରୁଜୁ କରାଯାଇପାରେ।
ସେପଟେ ପୀଡିତାଙ୍କ ମାମଲା ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଫେସବୁକରୁ ସୁପ୍ରିମକୋର୍ଟ ଯାଇଥିବା ମହିଳା କାହିଁକି ନିଜ ବୟାନ ବଦଳାଇଲେ ତାହା ସ୍ପଷ୍ଟ ହୋଇନାହିଁ। ନିଜ ଆଭିମୂଖ୍ୟକୁ ନେଇ ସେ ସବୁବେଳେ ଦୃଢ ରହୁଥିଲେ। କିନ୍ତୁ ହଠାତ କଣ ହେଲା ମାମଲା ପ୍ରତ୍ୟାହର କରିଛନ୍ତି? କୌଣସି ରାଜନୈତିକ କିମ୍ବା ବାହ୍ୟଚାପ ପଡି ନାହିଁ ତ?