ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଥିବା ନଜର ଆସିଲେ ଟ୍ରମ୍ପ

ଏବେ ଟ୍ରମ୍ପକୁ ନେଇ ଚର୍ଚ୍ଚା ଏଇଥି ପାଇଁ ଯେ, କାହିଁକିନା ସେ ପ୍ରଥମରୁ ମାସ୍କ ପିନ୍ଧିବାକୁ ମନା କରୁଥିଲେ ।

ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଥିବା ନଜର ଆସିଲେ ଟ୍ରମ୍ପ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ସଙ୍କଟ ଜାରି ରହିଛି । କେତେ ବଡ଼ ବଡ଼ ବ୍ୟକ୍ତି ବିଶେଷ ମଧ୍ୟ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି । କେଉଁ ଦେଶରେ ପ୍ରଧାନମନ୍ତ୍ରୀ ତ ଆଉ କେଉଁ ଦେଶର ରାଷ୍ଟ୍ରପତିଙ୍କୁ ବି ଛାଡ଼ିନି ଏହି ଭାଇରସ୍ । ତେବେ ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ତାଙ୍କର ମାସ୍କ ପିନ୍ଧିବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । 

ପ୍ରଥମରୁ ମାସ୍କ ପିନ୍ଧିବାକୁ ମନା କରୁଥିଲେ ଟ୍ରମ୍ପ

ଏବେ ଟ୍ରମ୍ପକୁ ନେଇ ଚର୍ଚ୍ଚା ଏଇଥି ପାଇଁ ଯେ, କାହିଁକିନା ସେ ପ୍ରଥମରୁ ମାସ୍କ ପିନ୍ଧିବାକୁ ମନା କରୁଥିଲେ । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବେ ନାହିଁ ବୋଲି ସଫା ସଫା କହୁଥିଲେ ଆମେରିକା ରାଷ୍ଟ୍ରପତି । କିନ୍ତୁ ଶନିବାରର ଚିତ୍ର ଥିଲା ପୁରା ଓଲଟା । ଏହି ହସ୍ପିଟାଲକୁ ଗସ୍ତ ଅବସରରେ ମାସ୍କ ପିନ୍ଧିଥିବା ନଜର ଆସିଥିଲେ ଟ୍ରମ୍ପ ।  

ଆହତ ସୈନିକଙ୍କୁ ଦେଖା କରିବା ପାଇଁ ୱାଲ୍ଟର୍ ରିଡ୍ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି । ଏହି ସମୟରେ ସେ ଏକ ମାସ୍କ ପିନ୍ଧିଥିଲେ । ଏଠାରେ ଆପଣଙ୍କୁ କହିରଖୁଛୁ, କୋରୋନା ଯୋଗୁ ବିଶ୍ୱରେ ସବୁଠୁ ଅଧିକ ଆମେରିକା ପ୍ରଭାବିତ ହୋଇଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ତେଣୁ ବର୍ତ୍ତମାନ ମାସ୍କ ପିନ୍ଧିବା ଯେ ନିହାତି ଆବଶ୍ୟକ, ହୁଏତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକଥା ବୁଝିସାରିଲେଣି । 

କ'ଣ କହିଲେ ଟ୍ରମ୍ପ ?

ପ୍ରଥମେ ମାସ୍କ ପିନ୍ଧିବେ ନାହିଁ ବୋଲି ମନା କରୁଥିବା ଟ୍ରମ୍ପ ଏବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ମୁଁ କେବେ ବି ମାସ୍କ ବିପକ୍ଷରେ ନାହିଁ । ଯେତେବେଳେ ଆପଣ ହସ୍ପିଟାଲ ଗସ୍ତ କରୁଛନ୍ତି ଓ ଅନେକ ଲୋକଙ୍କ ସହ ମିଶିବାର ଅଛି, ସେହି ସମୟରେ ମାସ୍କ ପିନ୍ଧିବା ଖୁବ ଭଲ କଥା ବୋଲି କହିଛନ୍ତି ଟ୍ରମ୍ପ ।