)
Vaishno Devi Yatra: ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ବଡ଼ ଖବର। ବୈଷ୍ଣୋଦେବୀ ଯାତ୍ରା ଅକ୍ଟୋବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁ କାଶ୍ମୀରରେ ଆସନ୍ତା ୫ ତାରିଖରେ ବର୍ଷା-ଭୁସ୍ଖଳନ ଓ ବାଦଲ ଫଟା ବର୍ଷା ଥିବା ସତର୍କତା ଜାରି କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଭାରତ ପାଣିପାଗ ବିଭାଗ (IMD)ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନେଇଛି।
ବୋର୍ଡ ସ୍ପଷ୍ଟ କରିଛି ଯେ, ଏହି ପଦକ୍ଷେପ କେବଳ ଭକ୍ତଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ନିଆଯାଇଛି। ପାଗ ଭଲ ହେବା ମାତ୍ରେ ଭକ୍ତଙ୍କୁ ମନ୍ଦିରକୁ ଦର୍ଶନ ପାଇ ପୁଣି ଛଡାଯିବ। ମନ୍ଦିର ବୋର୍ଡର ଏହି ଘୋଷଣା ପରେ,ଭକ୍ତମାନେ ସେମାନଙ୍କର ବୈଷ୍ଣୋଦେବୀ ଦର୍ଶନର ଯୋଜନା ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ବୋର୍ଡ ସେମାନଙ୍କୁ ଯାତ୍ରାରୁ ନିବୃତ୍ତ ରହିବା ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆରେ ଅନେକ ପୋଷ୍ଟରେ, ଭକ୍ତମାନେ ନିରାଶା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।
ତୀର୍ଥଯାତ୍ରା କେବେ ପୁନର୍ବାର ଆରମ୍ଭ ହେବ?
ପାଗ ଅନୁକୂଳ ହେଲେ ଅକ୍ଟୋବର ୮ରୁ ତୀର୍ଥଯାତ୍ରା ସ୍ୱାଭାବିକ ଭାବରେ ଆରମ୍ଭ ହେବ।
ପଞ୍ଜୀକରଣ ଏବଂ ବୁକିଂ:
ତୀର୍ଥଯାତ୍ରା ସ୍ଥଗିତ ରହିବା ଯୋଗୁଁ, କଟରା ବେସ୍ କ୍ୟାମ୍ପରେ ପଞ୍ଜୀକରଣ କାଉଣ୍ଟର ବନ୍ଦ ରହିବ। ଅନଲାଇନ୍ ବୁକିଂ ମଧ୍ୟ ପ୍ରଭାବିତ ହୋଇପାରେ। ନିୟମିତ ଅପଡେଟ୍ ପାଇଁ ଶ୍ରାଇନ୍ ବୋର୍ଡ ଭକ୍ତମାନଙ୍କୁ ସରକାରୀ ୱେବସାଇଟ୍ (www.maavaishnodevi.org) କିମ୍ବା ସୋସିଆଲ ମିଡିଆ ହ୍ୟାଣ୍ଡେଲ (@ShrineBoard) ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।
ତୀର୍ଥଯାତ୍ରା ଯୋଜନା କରିବା ପୂର୍ବରୁ ସରକାରୀ ସୂତ୍ର ସହିତ ନିଶ୍ଚିତ କରନ୍ତୁ। ବୋର୍ଡ କହିଛି ଯେ, ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା। ଶ୍ରାଇନ୍ ବୋର୍ଡର ହେଲ୍ପଲାଇନ୍ ନମ୍ବର 01991-273275 କୁ ଯୋଗାଯୋଗ କରି ଯାତ୍ରା ବିଷୟରେ ଅଧିକ ସୂଚନା ପାଆନ୍ତୁ। । ପାଣିପାଗ ସମ୍ବନ୍ଧୀୟ ଅପଡେଟ୍ ପାଇଁ IMD ୱେବସାଇଟ୍ ଦେଖନ୍ତୁ।
ସୂଚନା ଅନୁସାରେ, ଗତ ଅଗଷ୍ଟରେ, ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୩୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦ ଜଣ ଆହତ ହୋଇଥିଲେ। ଫଳରେ ତୀର୍ଥଯାତ୍ରାକୁ ଅଗଷ୍ଟ ୨୬ ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଥିଲା। ସେହିପରି, ଗତମାସରେ, ଲଗାତାର ବର୍ଷା ଯୋଗୁଁ ଟ୍ରାକ୍ ଭୁଶୁଡି ପଡିଥିଲା। ଏନେଇ ତୀର୍ଥଯାତ୍ରାକୁ ସାତ ଦିନ ପାଇଁ ବନ୍ଦ କରାଯାଇଥିଲା। ହୋଟେଲ ଏବଂ ଧର୍ମଶାଳାଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।