Trending Photos
)
ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ଆହୁରି ସମୟ ଲାଗିବ ବୋଲି ସ୍ପଷ୍ଟ କରିଛି ବ୍ରିଟେନ। ଏହା ସହିତ ମାଲ୍ୟା ଭାରତ ଫେରିବା ନେଇ ଯେଉଁ ଆଲୋଚନା ଜୋର ଧରିଥିଲା, ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି। ଭାରତରେ ଥିବା ବ୍ରିଟିଶ ଉଚ୍ଚାୟୋଗର ପ୍ରବକ୍ତା କହିଛନ୍ତି କି, ବ୍ରିଟିଶ କାନୁନ ଅନୁଯାୟୀ ସମସ୍ତ ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଭାରତ ଫେରାଇ ଅଣାଯାଇ ପାରିବ ନାହିଁ। ଏହି ମାମଲା ସମାଧାନ ପାଇଁ ଆହୁରି କେତେ ଦିନ ସମୟ ଲାଗିବ ସେ ନେଇ ମଧ୍ୟ ଆମେ କୌଣସି ସଠିକ ସୂଚନା ଦେଇ ପାରୁନାହୁଁ। ଆମେ ଚେଷ୍ଟା କରୁଛୁ ଏହି ମାମଲା ଖୁବ ଶୀଘ୍ର ସମାଧାନ କରିବାକୁ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ କିଙ୍ଗଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ୧୭ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇ ଯାଇଛି। ୨୦୧୬ ମାର୍ଚ୍ଚ ୨ ତାରିଖରେ ଦେଶ ଛାଡ଼ି ବ୍ରିଟେନରେ ରହୁଛି। ତେବେ ଏଠାରେ କହି ରଖୁଛୁ ଯେ, ଗତକାଲି କିଛି ଗଣମାଧ୍ୟମରେ ବିଜୟ ମାଲ୍ୟା ଭାରତ ଫେରିବା ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା। ଏପରିକି ବୁଧବାର ରାତି ସୁଦ୍ଧା ସେ ଭାରତ ଫେରିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା। ତେବେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ।
ଭାରତୀୟ ଏଜେନ୍ସିମାନେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ବ୍ରିଟେନ କୋର୍ଟରେ ଆବେଦନ କରିଥିଲେ ଏବଂ ଦୀର୍ଘ ଦିନର ସଂଗ୍ରାମ ପରେ ବ୍ରିଟେନ କୋର୍ଟ ୧୪ ମେ ରେ ମାଲ୍ୟାଙ୍କୁ ଭାରତ ପଠାଇବା ଆବେଦନ ଉପରେ ଅନୁମତି ପ୍ରଦାନ କରିଥିଲେ। ବ୍ରିଟିଶ କୋର୍ଟର ନିଷ୍ପତ୍ତି ହେବାର ୨୦ ଦିନ ବିତିଗଲାଣି ଏବଂ ତାଙ୍କୁ ଭାରତକୁ ପଠାଇବାର ସମସ୍ତ ଆଇନଗତ ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଛି। ଏହା ପରେ କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ବ୍ରିଟେନ ବିଜୟ ମାଲ୍ୟାଙ୍କୁ ଆଜି ଭାରତ ପଠାଉଛି। ବୁଧବାର ରାତିରେ ବିଜୟ ମାଲ୍ୟା ବ୍ରିଟେନରୁ ଭାରତ ଆସିପାରନ୍ତି।