କେମିତି ହେବ ବିକାଶ ଦୁବେର ଏନକାଉଣ୍ଟରର ତଦନ୍ତ, ଏମିତି ରହିଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ

ଗତ ସେପ୍ଟେମ୍ବର ୨୦୧୪ରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ପୋଲିସର ଏନକାଉଣ୍ଟର ଓ ତଦନ୍ତ ନେଇ କିଛି ଗାଇଡଲାଇନ ଜାରି କରିଥିଲେ ଦେଶର ସର୍ବୋଚ୍ଚ ଅଦାଲତ ।

କେମିତି ହେବ ବିକାଶ ଦୁବେର ଏନକାଉଣ୍ଟରର ତଦନ୍ତ, ଏମିତି ରହିଛି ସୁପ୍ରିମକୋର୍ଟଙ୍କ ଗାଇଡଲାଇନ

ନୂଆଦିଲ୍ଲୀ: ୟୁପି ଏସଟିଏଫ ଦ୍ୱାରା ବିକାଶ ଦୁବେକୁ କରାଯାଇଥିବା ଏନକାଉଣ୍ଟର ଉପରେ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ଜାଣି ଶୁଣି ୟୁପି ପୋଲିସ ଏପରି କରିଥିବା ଅନେକ ଅଭିଯୋଗ କରୁଛନ୍ତି । ତେବେ ଏସବୁ ଭିତରେ ଏବେ ଏହି ପ୍ରଶ୍ନ ଉଠୁଛି ଯେ, ଆଇନ ଅନୁସାରେ କେମିତି ହେବ ବିକାଶ ଦୁବେ ଏନକାଉଣ୍ଟରର ତଦନ୍ତ ? ଗତ ସେପ୍ଟେମ୍ବର ୨୦୧୪ରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ପୋଲିସର ଏନକାଉଣ୍ଟର ଓ ତଦନ୍ତ ନେଇ କିଛି ଗାଇଡଲାଇନ ଜାରି କରିଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ଏହି ଗାଇନଲାଇନ ଅନୁସାରେ ବିକାଶ ଦୁବେ ଏନକାଉଣ୍ଟରର ମଧ୍ୟ ତଦନ୍ତ କରିବାକୁ ପଡ଼ିବ । 

ସେହି ସମୟରେ ସୁପ୍ରିମକୋର୍ଟ କହିଥିଲେ, ଦେଶର କୌଣସି ସ୍ଥାନରେ ମଧ୍ୟ ହେବାକୁ ଥିବା ପୋଲିସ ଏନକାଉଣ୍ଟରର ତଦନ୍ତ ଯେକୌଣସି ସ୍ୱାଧୀନ ସଂସ୍ଥା ହିଁ କରିବ । ସେହିପରି ତଦନ୍ତ ସରିବା ପର୍ଯ୍ୟନ୍ତ ଏନକାଉଣ୍ଟରରେ ସାମିଲ ହୋଇଥିବା ପୋଲିସ କର୍ମଚାରୀଙ୍କୁ ପଦୋନ୍ନତୀ କିମ୍ବା ପୁରସ୍କାର ଦିଆଯାଇପାରିବ ନାହିଁ । ସିଆରପିସିର ଧାରା ୧୭୬ ଅନୁସାରେ, ଏନକାଉଣ୍ଟରର ମାଜିଷ୍ଟ୍ରେଟ ଜାଞ୍ଚ ବାଧ୍ୟତାମୂଳକ । ଯଦି ପୋଲିସକୁ ଅପରାଧୀଙ୍କ ବିଷୟରେ କୌଣସି ସୂଚନା ମିଳିଥାଏ, ତେବେ ଏହାକୁ ରେକର୍ଡ କରିବାକୁ ପଡ଼ିବ । ପ୍ରତ୍ୟେକ ଏନକାଉଣ୍ଟର ପରେ ସରକାରୀ ଅସ୍ତ୍ରଶସ୍ତ୍ର ଆଉ ଗୁଳିକୁ ତୁରନ୍ତ ଫେରାଇବାକୁ ହେବ । 

ସେହିପରି ପୋଲିସ ଗୁଳି ଚଳାଇବା ମାମଲାର ତଦନ୍ତ ସିଆଇଡି କିମ୍ବା ସମ୍ବନ୍ଧିତ ଥାନା ବ୍ୟତୀତ ଅନ୍ୟ ଥାନାର ପୋଲିସ କରିବ । ତଦନ୍ତ ରିପୋର୍ଟ ମାଜିଷ୍ଟ୍ରେଟ, ରାଜ୍ୟ ମାନବାଧିକାର ଆୟୋଗ କିମ୍ବା ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କୁ ପଠାଯିବ । 

ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଜ ଗାଇଡଲାଇନରେ ଏକଥା ମଧ୍ୟ କହିଥିଲେ, ସୂତ୍ର ଦ୍ୱାରା ଅଭିଯୁକ୍ତ ଏବଂ ତାର ଠିକଣା ସମ୍ପର୍କରେ ମିଳିଥିବା ସୂଚନା ଲିଖିତ ଭାବେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦାଖଲ କରାଯିବ । ଆତ୍ମରକ୍ଷା ଅଧିକାର ଅନୁସାରେ ଅଭିଯୁକ୍ତର ଯେ ଏନକାଉଣ୍ଟର କରାଯାଇଛି, ତାହା ପ୍ରମାଣ କରିବାକୁ ପଡ଼ିବ ।