)
ନୂଆଦିଲ୍ଲୀ: କେନ୍ଦ୍ରର କୋଇଲା ବ୍ଲକର ଭର୍ଚୁଆଲ ନିଲାମୀ ବିରୋଧରେ ଝାଡଖଣ୍ଡ ସରକାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ମଙ୍ଗଳବାର ଏହି ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଛନ୍ତି । କେନ୍ଦ୍ରକୁ ୪ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ କୋର୍ଟ କହିଛନ୍ତି । ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଜାରି ରହିବ ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ୪୧ଟି କୋଇଲା ଖଣି ମଧ୍ୟରୁ ଝାଡଖଣ୍ଡର ୯ଟି ଖଣି ନିଲାମ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ଝାଡଖଣ୍ଡ ସରକାର କହିଛନ୍ତି ଯେ, କେନ୍ଦ୍ରର ଏହି ନିଷ୍ପତ୍ତି ଜଙ୍ଗଲ, ଆଦିବାସୀ ସଂସ୍କୃତି ଏବଂ ରୀତିନୀତିକୁ ନଷ୍ଟ କରିଦେବ ।
ଏଠାରେ କହି ରଖୁଛୁ ଯେ, ଜୁନ୍ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୪୧ଟି କୋଇଲା ବ୍ଲକର ଭର୍ଚୁଆଲ୍ ନିଲାମ ମାମଲାରେ ଏହି ଶୁଣାଣି ହୋଇଥିଲା ।
ଝାଡଖଣ୍ଡ ସରକାର ବାଣିଜ୍ୟିକ ଖନନ ପାଇଁ କେନ୍ଦ୍ରର ମହତ୍ୱପୂର୍ଣ୍ଣ ପରିଯୋଜନାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ କୋଇଲା ଖଣି ନିଲାମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ସରକାର ସୁପ୍ରିମକୋର୍ଟଙ୍କୁ ଦାବି କରିଛନ୍ତି । ଝାଡ଼ଖଣ୍ଡ ସରକାର କହିଛନ୍ତି ଯେ, କୋଇଲା ଖନନ ଝାଡ଼ଖଣ୍ଡ ଓ ତାର ବହୁ ଆଦିବାସୀ ଜନସଂଖ୍ୟା ତଥା ଜଙ୍ଗଲ ଜମି ଉପରେ ସାମାଜିକ ତଥା ପରିବେଶ ପ୍ରଭାବର ଉଚିତ ମୂଲ୍ୟାଙ୍କନ ଆବଶ୍ୟକ ଏବଂ କେନ୍ଦ୍ର ସରକାରଙ୍କ ନିଲାମ ନିଷ୍ପତ୍ତି ଦ୍ୱାରା ପ୍ରତିକୂଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।