)
ନୂଆଦିଲ୍ଲୀ: ଯେତେବେଳେ କୌଣସି ରାଜ୍ୟ ସରକାର ଉପରକୁ ସଙ୍କଟ ମାଡ଼ିଆସେ, ସେହି ସମୟରେ ଦଳ ବଦଳ ଆଇନ ନେଇ ଚର୍ଚ୍ଚା ହୁଏ । ନିକଟ ଅତୀତରେ ମଧ୍ୟପ୍ରଦେଶ ଓ ଏବେ ରାଜସ୍ଥାନର ସ୍ଥିତି ଏପରି ହୋଇଛି । ଏହାପୂର୍ବରୁ କର୍ଣ୍ଣାଟକରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଏବେ ରାଜସ୍ଥାନ ପଲିଟିକ୍ସକୁ ସମଗ୍ର ଦେଶ ଦେଖୁଛି । ସଚିନ ପାଇଲଟ ଓ ତାଙ୍କ ସମର୍ଥିତ ୧୮ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ନୋଟିସ କରିଛନ୍ତି । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ନୋଟିସ ଜାରି କରିଛନ୍ତି ବାଚସ୍ପତି । ଅନ୍ୟପଟେ ସଚିନ କ୍ୟାମ୍ପ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସଚିନ କ୍ୟାମ୍ପରେ ଥିବା ବିଧାୟକଙ୍କ ଯୁକ୍ତି ଏହା ଯେ ଦଳୀୟ ହ୍ୱିପର ଉଲଙ୍ଘନ ସେତେବେଳେ ଦର୍ଶାଯାଇପାରିବ, ଯେତେବେଳେ ବିଧାନସଭା ଅଧିବେଶନ ଚାଲିଥାଏ । ତେବେ ଆଜି ମଧ୍ୟ ସଚିନ ପାଇଲଟ ଓ ସମର୍ଥିତ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି । କାହିଁକିନା ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ । ତେବେ ଏ ଆଇନ ପାଠ ମଧ୍ୟରେ ଏବେ ପୁଣିଥରେ ଚର୍ଚ୍ଚା କ'ଣ ସେହି ଦଳ ବଦଳ ଆଇନ ? ଆମ ସମ୍ବିଧାନରେ ଏନେଇ କ'ଣ ସବୁ ରହିଛି ?
ଦଳ ବଦଳ ଆଇନ ନେଇ ଆମେ ଆପଣଙ୍କୁ ଏଠାରେ ସଂକ୍ଷିପ୍ତରେ ବୁଝାଇବାକୁ ଚେଷ୍ଟା କରିବୁ । କ'ଣ ସେହି ଦଳ ବଦଳ ଆଇନ ? କେବେ ଏହି ଆଇନ ଆସିଥିଲା ? କାହିଁକି ଏପରି ଏକ ଆଇନ ଆସିବାର ଆବଶ୍ୟକତା ପଡ଼ିଥିଲା ? ଏ ତମାମ ବିଷୟରେ ଆପଣଙ୍କ ସମ୍ୟକ ଧାରଣା ରହିବା ନିହାତି ଆବଶ୍ୟକ ।
ମାତ୍ର ୭ଟି ପଏଣ୍ଟରେ ବୁଝନ୍ତୁ ଦଳ ବଦଳ ଆଇନ ବିଷୟରେ...
(୧) ଭାରତୀୟ ରାଜନୀତିରେ ବିଧାୟକ ଓ ସାଂସଦଙ୍କ କିଣାବିକା ନେଇ ଖବର ଓ ଅଭିଯୋଗ ବିଭିନ୍ନ ସମୟରେ ଆସିଥାଏ । ବିଭିନ୍ନ ସମୟରେ ନିଜ ସ୍ୱାର୍ଥ ପାଇଁ ଦଳ ବଦଳ କରିଥାନ୍ତି ଜନ ପ୍ରତିନିଧି । ରାଜନୀତିରେ ଘୋଡ଼ା ବେପାର ଘଟଣା ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବା ପାଇଁ ୧୯୮୫ରେ ଦଳ ବଦଳ ଆଇନ ଅଣାଯାଇଥିଲା । ସମ୍ବିଧାନର ୧୦ ଅନୁସୂଚୀରେ ଏହାକୁ ସ୍ଥାନ ଦିଆଯାଇଛି । ଏହା ସମ୍ବିଧାନର ୫୨ ତମ ସଂଶୋଧନ ଥିଲା ।
(୨) ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ହରିୟାଣାରେ ଜଣେ ବିଧାୟକ ଦିନକରେ ୩ଥର ଦଳ ବଦଳ କରିଥିଲେ । ଏହି ଘଟଣା ୧୯୬୭ ମସିହାରେ ଘଟିଥିଲା । ପରବର୍ତ୍ତୀ ସମୟରେ ଭାରତୀୟ ରାଜନୀତିରେ 'ଆୟା ରାମ, ଗୟା ରାମ' ବେଶ କିଛି ଦିନ ପର୍ଯ୍ୟନ୍ତ ଚାଲିଥିଲା ।
(୩) ଦଳ ବଦଳ ନିୟମ ଅନୁସାରେ, ଯଦି କୌଣସି ବିଧାୟକ କିମ୍ବା ସାଂସଦ ନିଜ ଇଚ୍ଛାରେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସଦନରୁ ତାଙ୍କର ସଦସ୍ୟତା କଟିଯିବ । ଅର୍ଥାତ ସମ୍ପୃକ୍ତ ବିଧାୟକ କିମ୍ବା ସାଂସଦଙ୍କୁ ତାଙ୍କର ପଦ ହରାଇବାକୁ ପଡ଼ିବ ।
(୪) ସେହିପରି ଯଦି କୌଣସି ସାଂସଦ କିମ୍ବା ବିଧାୟକ ନିଜ ଦଳ ପରିବର୍ତ୍ତନ କରି ଅନ୍ୟ ଦଳରେ ସାମିଲ ହୁଅନ୍ତି, ତେବେ ତାଙ୍କୁ ସଦନରୁ ସଦସ୍ୟତା ହରାଇବାକୁ ପଡ଼ିବ ।
(୫) ଦଳୀୟ ହ୍ୱିପକୁ ଉଲଙ୍ଘନ କରି ଯଦି କୌଣସି ସାଂସଦ କିମ୍ବା ବିଧାୟକ ଭୋଟ କରନ୍ତି, ତେବେ ମଧ୍ୟ ତାଙ୍କୁ ସଦସ୍ୟତା ହରାଇବାକୁ ପଡ଼ିବ ।
(୬) ସେହିପରି ଯଦି କୌଣସି ସଦସ୍ୟ ଦଳକୁ କୌଣସି ସୂଚନା ନଦେଇ ସଦନରେ ଭୋଟିଂ ସମୟରେ ଅନୁପସ୍ଥିତ ରୁହନ୍ତି, ତେବେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ସଦସ୍ୟତା ମଧ୍ୟ ହରାଇବାକୁ ପଡ଼ିବ ସମ୍ପୃକ୍ତ ଜନ ପ୍ରତିନିଧିଙ୍କୁ ।
(୭) ସେହିପରି ଯଦି କୌଣସି ମନୋନୀତ ସଦସ୍ୟ ୬ ମାସ ମଧ୍ୟରେ ଦଳ ପରିବର୍ତ୍ତନ କରନ୍ତି, ତେବେ ମଧ୍ୟ ତାଙ୍କର ସଦସ୍ୟତା କଟିଯିବ ।