)
ଜିନୁ ଜେନା, ଭୁବନେଶ୍ୱର: କୋରୋନା ଭୂତାଣୁ ଦୁନିଆର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି । ତାଠୁ ଆହୁରି ଭୟଙ୍କର ତଥ୍ୟ ଆଜି ପ୍ରକାଶ ପାଇଛି । କୋରୋନା ଦୁନିଆରୁ ଆଉ କେବେ ବିଦାୟ ନେଇ ନ ପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ତରଫରୁ ଏବେ ଏଭଳି ଆଶଙ୍କା ପ୍ରକାଶ ପାଇଛି । WHOର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ମାଇକେଲ ଜେ. ବୁଧବାର ଏହି ସୂଚନା ପ୍ରଦାନ କରିଛନ୍ତି । ବିଶ୍ୱ ପାଇଁ ଘାତକ ସାଜିଥିବା ମାରାତ୍ମକ କୋରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବିଶ୍ୱରେ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନାହିଁ । ଏପରି ଏକ ସମୟରେ ଏଭଳି ତଥ୍ୟ ଲୋକଙ୍କ ମନରେ ଅଧିକ ଭୟ ସୃଷ୍ଟି କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନେ କହିଛନ୍ତି ଯେ ପ୍ରତିଦିନ ନୂଆ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ କୋରୋନା ଭାଇରସ ଲକଡାଉନ୍ କୋହଳ କଲେ ଭୂତାଣୁ ସଂକ୍ରମଣ ବ୍ୟାପକ ହେବ । ପୁଣି ଥରେ ଲକ୍ଡାଉନ୍ ଘୋଷଣା କରିବାକୁ ବିଭିନ୍ନ ରାଷ୍ଟ୍ର ବାଧ୍ୟ ହେବେ ।
କୋରୋନା ଭାଇରସ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ବିଶ୍ୱର ଅର୍ଦ୍ଧାଧିକ ଦେଶ ବର୍ତ୍ତମାନ ଲକଡାଉନ ନିୟମ ଲାଗୁ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ନିଜ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ସମସ୍ତେ ଆଶା କରିଥିଲେ ଯେ, ଶୀଘ୍ର କୋରୋନା ଟୀକା ବାହାରିବ ଆଉ ବିଶ୍ୱବାସୀଙ୍କ ଭୟ ଦୂର ହେବ । କର୍ମଜୀବୀ ସାଧାରଣ ଜୀବନକୁ ଫେରିବାକୁ ସମର୍ଥ ହେବେ । ମହାମାରୀ କୋରନା ଭୂତାଣୁରୁ ରକ୍ଷା ପାଇବା ଲାଗି ଟିକା ଖୋଜିବାରେ ସାରା ବିଶ୍ୱରୁ ବୈଜ୍ଞାନିକମାନେ ଦିନରାତି ଏକ କରି ଦେଇଛନ୍ତି । ଏଭଳି ବିକଟ କାଳରେ ଲୋକମାନଙ୍କ ଆଶାରେ ପାଣି ଭରିଦେଇଛି ଆଜିର ତଥ୍ୟ, ତାହା ହେଲା କୋରୋନା ଭାଇରସ କେବେବି ଏଚଆଇଭି ଏଡସ୍ ପରି ଆଉ ବିଲୋପ ହୋଇପାରିବ ନାହିଁ ।
WHO କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ, ଏଚ୍ଆଇଭି ବି ଆଜି ଯାଏ ବିଲୋପ ହୋଇନାହିଁ । କୋରୋନା ଏବଂ ଏଚଆଇଭି ମଧ୍ୟରେ ତୁଳନା କରୁନାହାଁନ୍ତି, କିନ୍ତୁ ସେ ଭାବନ୍ତି ଯେ ଆମେ ବାସ୍ତବତାକୁ ଗ୍ରହଣ କରିବା ଦରକାର । ଏହି ରୋଗ କେବେ ଶେଷ ହେବ । ତାହା କେହି କହିପାରିବେ ନାହିଁ ବୋଲି ମୁଁ ଭାବୁଛି । କୋରୋନା ଭୂତାଣୁକୁ ରୋକିବାକୁ ହେଲେ ବର୍ତ୍ତମାନ ସମୟରେ ଜାରି ରହିଥିବା ନିଷେଧାଦେଶ ହଟାଇବା ଠିକ୍ ନୁହେଁ । କାରଣ ଲକଡାଉନ ହଟିଲେ ଅଧିକ ମାମଲା ସାମ୍ନାକୁ ଆସୁଛି ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଥିଲେ ଯେ କୋରୋନା ଟୀକା ପାଇଁ ଆମକୁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡିବ । ଯେତେବେଳେ ଡକ୍ଟର ମାଇକେଲ ଜେ ରିଆନଙ୍କୁ ଏହି ବିଷୟରେ ପଚରାଗଲା, ସେ କହିଥିଲେ ଯେ ଭୂତାଣୁକୁ ଶେଷ କରିବା ପାଇଁ ଟୀକା ଦେବା ଅତ୍ୟନ୍ତ ଜରୁରୀ ଅଟେ । ଏଥିପାଇଁ ଆମକୁ ଏକାଠି କାମ କରିବା ଆବଶ୍ୟକ । ଆମେରିକା, ଭାରତ, ଚୀନ୍ ସମେତ ବିଶ୍ୱର ଅନେକ ଦେଶ କୋରୋନାକୁ ହରାଇବା ଲାଗି ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । କିନ୍ତୁ ସେ ଭଳି ଟୀକା ମିଳିଲେ ହେଲା । ସେ ଟିକା ପୁଣି ଫଳପ୍ରଦ ହେବା ସହ ସମସ୍ତଙ୍କୁ ମିଳିବା ଆଉ ଏକ ଚାଲେଞ୍ଜ । ଏଥିପାଇଁ କୋରୋନା ଚିନ୍ତା ଲୋକଙ୍କ ମନରେ ଅଯଥା ଚାପ ସୃଷ୍ଟି କରିବାରେ ଲାଗିଛି ।