)
Operation Sindoor: ପାକିସ୍ତାନ ଉପରେ ଭାରତର ସଦ୍ୟ ଆକ୍ରମଣକୁ ‘ଅପରେସନ୍ ସିନ୍ଦୂର’ ଭାବେ କାହିଁକି ନାମକରଣ କରାଗଲା? ଏ ପ୍ରଶ୍ନ ପଛରେ ଭାରତର ପରମ୍ପରା ଓ ସ୍ୱାଭିମାନ ଯୋଡ଼ି ହୋଇଛି। ପହଲଗାମ୍ ଆକ୍ରମଣ ସମୟରେ କେବଳ ପୁରୁଷ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଥିଲା। ତାଙ୍କ ପତ୍ନୀଙ୍କୁ ଅଲଗା ରଖି ତାଙ୍କ ଆଗରେ ତାଙ୍କୁ ହତ୍ୟା କରାଯାଇଥିଲା। ଜଣେ ଅଳ୍ପଦିନ ତଳେ ବିବାହ କରିଥିବା ଜଣେ ନୌସେନା ଅଧିକାରୀ ତାଙ୍କ ନବବିାହିତ ପତ୍ନୀଙ୍କ ସଙ୍ଗେ ହନିମୁନରେ ଥିବାବେଳେ ହତ୍ୟା କରିଥିଲେ ଆତଙ୍କବାଦୀ। ହିନ୍ଦୁ ପରମ୍ପରାରେ ସିନ୍ଦୂରକୁ ସ୍ୱଭିମାନ ଓ ସଧବା ପରିଚୟ ବୋଲି କୁହାଯାଏ। ଏହାକୁ ଉଜାଡ଼ିଥିବା ବ୍ୟକ୍ତି ଓ ସଂଗଠନ ବିରୁଦ୍ଧରେ ଆକ୍ରମଣ ଘୋଷଣା କରିବା ସମୟରେ ଭାରତ ‘ଅପରେସନ୍ ସିନ୍ଦୂର ’ଘୋଷଣା କରି ଏହାର ଜବାବ ଦେଇଛି। ଆସନ୍ତୁ ନଜର ପକାଇବା ଏହି ଅପରେସନ୍ ସିନ୍ଦୂର’ ବିଷୟରେ ନିମ୍ନ ୧୦ ପ୍ରମୁଖ ବିନ୍ଦୁରେ :
1. ମଧ୍ୟରାତ୍ରୀରେ ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଲକ୍ଷ୍ୟ ଭିତ୍ତିକ ମିଶାଇଲ୍ ମାଡ଼ କରିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆନ୍ତର୍ଜାତିକ ସୀମାରେଖା ନିକଟରେ ଥିବା ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁରିଦକେ ଏବଂ ବାହାବଳପୁର ଏବଂ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳର କୋଟଲି ଓ ମୁଜାଫରବାଦଠାରେ ଏହି ଆକ୍ରମଣର ପ୍ରଭାବ ପଡ଼ିଛି।
2. ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ଆକ୍ରମଣର ନାଁ ରହିଛି ‘ଅପରେସନ୍ ସିନ୍ଦୁର’। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଭାରତୀୟ ସେନା ପକ୍ଷରୁ ଏ ସମ୍ବନ୍ଧରେ ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି।
3. ସକାଳୁ ସୋଶାଲ୍ ମିଡିଆରେ ବାହାବଲପୁର ହସ୍ପିଟାଲ ନିକଟରେ ପ୍ରବଳ ଭିଡ଼ ଥିବା ଭିଡିଓ ପ୍ରସାର ହୋଇଛି। ତେବେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ।
4. ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ଶରୀଫ ଏହି ଆକ୍ରମଣର ଜବାବ ଦିଆଯିବ ବୋଲି କହିଛନ୍ତି। ଶରୀଫ କହିଛନ୍ତି, ଭାରତ ଭୀରୁତା ପୂର୍ବକ ୫ଟି ସ୍ଥାନରେ ଆକ୍ରମଣ କରିଛି। ଏହାର ଉଚିତ ଜବାବ ପାକିସ୍ତା ଦେବ।
5. ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ ଏହାକୁ ‘ଅକାରଣ ଓ ସ୍ପଷ୍ଟ ଯୁଦ୍ଧ’ ବୋଲି ଚିତ୍ରଣ କରାଯାଇଛି। ଭାରତ ନିଜ ସୀମାରେ ରହି ପାକିସ୍ତାନର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିଛି ଏବଂ ପାକିସ୍ତାନ ସମୟ ଓ ସ୍ଥାନ ନିର୍ଦ୍ଧାରଣ କରି ଏହାର ଜବାବ ଦେବ।
6. ଆଜି ସକାଳ ୧୦ଟାରେ ବସିବ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ବୈଠକ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଜାତୀୟ ସୁରକ୍ଷା କମିଟି ଏହି ବୈଠକରେ ଯୋଗ ଦେବେ।
7. ଏହି ଆକ୍ରମଣକୁ ଭାରତ ସୀମିତ ନିୟନ୍ତ୍ରିତ ଏବଂ ଅଣ ଉତ୍ତେଜନାମୂଳକ ରଖିବାକୁ ଚାହିଁଛି ଭାରତ। ଟାର୍ଗେଟ ଚୟନ କରି ତାହାରି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ଭାରତ ଏହା ପୂର୍ବରୁ ଏହି ଆତଙ୍କବାଦୀଙ୍କୁ ସୁରକ୍ଷା ଓ ସହାୟତା ଦେଉଥିବା ପାକିସ୍ତାନ ସହ ପୂର୍ବରୁ ହୋଇଥିବା ଜଳ ଚୁକ୍ତିକୁ ସ୍ଥଗିତ ରଖିଛି।
8. ପାକିସ୍ତାନ ଏହାର ଜବାବରେ ଚୀନ୍ ସହାୟତାରେ ପ୍ରଦାନ କରାଯାଇଥିବା ଜେଏଫ୍ ୧୭ ବିମାନରେ ଭାରତୀୟ ବାୟୁ ସେନାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏହାକୁ ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ କରାଯାଇଛି।
9. ଲାହୋରଠାରୁ ଅଳ୍ପ ଦୂରତାରେ ମୁରିଦକେ ରହିଛି। ଏହା ଲସ୍କର -ଇ ତୋଇବା ( ଏଲ୍ଇଟି)ର ଆଡାସ୍ଥଳୀ। ଅପରପକ୍ଷେ ବାହାବଲପୁର ହେଉଛି ଜୈଶ-ଏ-ମହମ୍ମଦର ଆଡ୍ଡାସ୍ଥଳୀ। ଏହି ଦୁଇଅଞ୍ଚଳରେ ଦୁଇ ଆତଙ୍କବାଦୀ ସଂଗଠନ ଦୀର୍ଘଦିନ ଧରି ନିଜର ଟ୍ରେନିଂ କ୍ୟାମ୍ପ ଚଳାଇ ଆସୁଥିଲେ।
10. ସାଧାରଣ ଲୋକଙ୍କ କହିବା ଅନୁସାରେ ଏହି ଆକ୍ରମଣ ଏଲ୍ଓସିଠାରୁ ୨ରୁ ୬ କିଲୋମିଟର ଏବଂ କ୍ଷେପଣାସ୍ତ୍ର ଉତ୍କ୍ଷେପଣସ୍ଥଳରୁ ୮ରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ।