)
winter session parliament: ନୂଆଦିଲ୍ଲୀ: ଘରେ ନ ପଶୁଣୁ ଚାଳ ବାଜିଲା ପରି ଆଜି ଶୀତକାଳୀନ ଅଧିବେଶନ ଆରମ୍ଭରୁ ଲୋକସଭାରେ ବିରୋଧିଙ୍କ ପଲ୍ଲା ଭାରି ହୋଇଛି। ପ୍ରଶ୍ନୋତ୍ତର କାଳରେ ସଘନ ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧି ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବାରେ ଗୃହ ମୁଲତବୀ ହୋଇଛି।
ଗୃହ ଆରମ୍ଭରୁ ଆଜି ପାଞ୍ଚ ଜଣ ପୂର୍ବତନ ସଦସ୍ୟଙ୍କ ନିଧନକୁ ନେଇ ଶୋକବ୍ୟକ୍ତ କରାଯାଇଥିଲା। ଏହା ପରେ ଦେଶର ମହିଳା କ୍ରିକେଟ ଟିମ, ଦୃଷ୍ଟି ବାଧିତ କ୍ରିକେଟ ଦଳ ଏବଂ କବାଡ଼ି ଦଳର ସଫଳତାକୁ ନେଇ ବାଚସ୍ପତି ଗୃହକୁ ଅବଗତ କରାଇଥିଲେ। ଏହାପରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଥମ ପ୍ରଶ୍ନ ଉପସ୍ଥାପନ ପୂର୍ବରୁ ହିଁ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପ୍ରବେଶ କରିଥିଲେ। ଏସଆଇଆର, ଇଲେକ୍ଟୋରାଲ ରୋଲ, ଦିଲ୍ଲୀ ବିସ୍ଫୋରଣ ଏବଂ ଦିଲ୍ଲୀର ପ୍ରଦୂଷଣକୁ ନେଇ ବିରୋଧି ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଏବଂ ସ୍ଳୋଗାନ ଦ୍ୱାରା ଗୃହର ପ୍ରଶ୍ନୋତ୍ତର କାଳରେ ମନ୍ତ୍ରୀ ଦେଉଥିବା ଜବାବ ନିଷ୍ପ୍ରଭ ହୋଇଯାଇଥିଲା। ବାଚସ୍ପତି ଗୃହକୁ ସ୍ୱଭାବିକ କରିବା ପାଇଁ ବାରମ୍ବାର ବିଭିନ୍ନ ଦଳର ନେତାଙ୍କୁ ନିବେଦନ କରିଥିଲେ। ଭାରତର ଗଣତନ୍ତ୍ରର ମର୍ଯ୍ୟାଦା ତଥା ବିଶ୍ୱରେ ଭାରତୀୟ ଗଣତନ୍ତ୍ରର ପ୍ରତିଛବିକୁ ସୁଦୃଢ କରିବା ପାଇଁ ଏହିପରି ବାଧାବିଘ୍ନଠୁ ଦୁରେଇ ରହିବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ। କିନ୍ତୁ ଗୃହରେ ବିରୋଧିଙ୍କର ହଟ୍ଟଗୋଳ ପ୍ରଶମିତ ହୋଇନଥିଲା। ଫଳରେ ବାଚସ୍ପତି ଲୋକସଭାକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅର୍ଥାତ ଗୃହ ମାତ୍ର ୨୦ ମିନିଟ ଚାଲିବା ପରେ ମୁଲତବୀ ହୋଇଥିଲା।
ପୂର୍ବ ଅଧିବେଶନରେ ମଧ୍ୟ ଏହିଭଳି ଭାବେ ବିରୋଧି ଦଳର ପ୍ରଦର୍ଶନ ଓ ହଟ୍ଟଗୋଳ ଯୋଗୁଁ ଅଧିବେଶନର ଅଧିକାଂଶ ସମୟ ମୁଲତବୀରେ ଯାଇଥିଲା।
ସେହିପରି ରାଜ୍ୟସଭାରେ ଆଜି ପ୍ରଥମ ଥର ପାଇଁ ନବନିର୍ବାଚିତ ଉପ ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଅଧ୍ୟକ୍ଷତା କରିଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଅଧ୍ୟକ୍ଷତା କରିଥିବାରୁ ଅଭିବାଦନ ଜଣାଇଥିଲେ।