ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ

ସମାଜ ତଥା ବ୍ୟକ୍ତିର ବିକାଶରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ପ୍ରତିଟି ମୂହୁର୍ତ୍ତ ବିଜ୍ଞାନ ସହ ଜଡିତ। ଯହାର ସଚେତନତା ନିହାତି ଆବଶ୍ୟକ।

ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ
ସୌ- ISC

ଶଙ୍କର୍ଷଣ ବାଘ, ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱ ଏବଂ ପ୍ରାସଙ୍ଗିକତାକୁ ଆଲୋକପାତ କରିବା ପାଇଁ ପ୍ରତିବର୍ଷ  ନଭେମ୍ବର ୧୦ରେ ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଏ। ବିଜ୍ଞାନର ବିକାଶ, ନାଗରିକଙ୍କୁ ଭ୍ରାନ୍ତ ଧରଣାରୁ ଦୂର କରିବା ଏବଂ ଆମ ସମାଜରେ ବୈଜ୍ଞାନିକଙ୍କ ଭୂମିକା ବିଷୟରେ ଅବଗତ କରାଇବା ଏହି ଦିନର ମୂଖ୍ୟ ଲକ୍ଷ୍ୟ।

ଚଳିତବର୍ଷ ବିଶ୍ୱ ବିଜ୍ଞାନ ଦିବସର ବିଷୟବସ୍ତୁ ହେଉଛି "ସମାଜ ପାଇଁ ବିଜ୍ଞାନ"। ଯେତେବେଳେ ବିଶ୍ୱ ମହାମାରୀ କୋରୋନାରେ ଜର୍ଜରିତ ହେଉଥିଲା, ସେତେବେଳେ ସମସ୍ତଙ୍କ ଧ୍ୟାନ ବିଜ୍ଞାନ ଉପରେ କେନ୍ଦ୍ରିତ ହୋଇଥିଲା। ଆଉ ବିଜ୍ଞାନ ବି କାହାରିକୁ ନିରାଶ ନକରି ଏହି ମହାମାରୀର ପ୍ରତିକ୍ରା ଖୋଜିବାରେ ଲାଗିପଡିଛି। ଯାହା ଶେଷ ପର୍ଯ୍ୟାୟରେ ଅଛି।

ବିଜ୍ଞାନ ଦୃଷ୍ଟିକୋଣରୁ କୋରୋନାକୁ ୟୁନେସ୍କୋ ତିନୋଟି ପ୍ରମୁଖ ସ୍ତମ୍ଭରେ ବିଭକ୍ତ କରିଛି। ସେଗୁଡିକ ହେଲା-
୧. ଆନ୍ତର୍ଜାତୀୟ ବୈଜ୍ଞାନିକ ସହଯୋଗକୁ ପ୍ରୋତ୍ସାହିତ କରିବା।
2. ଜଳର ଉପଲବ୍ଧି ସୁନିଶ୍ଚିତ କରିବା।
3. ପରିବେଶ ପୁନଃନିର୍ମାଣକୁ ସହାୟକ ହେବା।

ମହାମାରୀ କରୋନା ସଙ୍କଟ ସମୟରେ ବୈଜ୍ଞାନିକ, ସରକାର ଏବଂ ଗବେଷକଙ୍କ ସହାୟତାରେ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଆଉ ଏହି ଜ୍ଞାନ କେବଳ ଗୋଟିଏ ସ୍ଥାନ କିମ୍ୱା ଦେଶରେ ସୀମିତ ନାହିଁ। ପ୍ରତ୍ୟକ ଦେଶ ନିଜ ନିଜର ଗବେଷଣାକୁ ଅନ୍ୟ ଦେଶ ସହ ବାଣ୍ଟିବାକୁ ଅଗ୍ରହ ଦେଖାଉଛନ୍ତି। ଯାହା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଉତ୍ତମ ବ୍ୟବହାର।

କିନ୍ତୁ କିଛି ଲୋକ ଆମ ଦେଶ ଭାରତରେ କୋରୋନାକୁ ଏକ କୌତୂହଳ ବିଷୟ କରିଛନ୍ତି। ପୂଜାର୍ଚ୍ଚନା, ହୋମ ଯଜ୍ଞ, ଇଶ୍ୱରଙ୍କୁ ପ୍ରାର୍ଥନା କରିବା ଦ୍ୱାରା କରୋନା ଭୂତାଣୁ ମିରିଜିବ ବୋଲି ଦାବି କରାଯାଉଛି। ଏଥିରେ ଜନପ୍ରତିନିଧିମାନେ ମଧ୍ୟ ନିଜର ମୁର୍ଖତାର ପ୍ରମାଣ ଦେଇଛନ୍ତି। କେତେକ କେନ୍ଦ୍ରମନ୍ତ୍ରୀ ପାମ୍ପଡ ଖାଇଲେ କୋରୋନା ହୁଏ ନାହିଁ ବୋଲି କହୁଥିବା ବେଳେ କିଛି ଗୋବର ଓ ଗୋମୂତ୍ର ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। କେତେକ ତ, କୋରୋନାକୁ ଗାଳିକରିବାକୁ ବି ପଛେଇ ନାହାନ୍ତି। ଯାହା ଏକ ହାସ୍ୟସ୍ପଦ ଦୃଶ୍ୟ।

ବିଶ୍ୱ ବିଜ୍ଞାନ ଦିବସର ଇତିହାସ:

୧୯୯୯ ବୁଦ୍ଧାପେଷ୍ଟ ବିଜ୍ଞାନ ସମ୍ମିଳନୀରେ ପ୍ରଥମ ଥର ବିଶ୍ୱ ବିଜ୍ଞାନ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ୨୦୦୧ ମସିହାରେ ୟୁନେସ୍କୋ ଦ୍ୱାରା ମାନ୍ୟତା ମିଳିଲା। ଆଉ ତାର ପରବର୍ତ୍ତି ବର୍ଷ ଅର୍ଥାତ ୨୦୦୨ ନଭେମ୍ବର ୧୦ରେ ଶାନ୍ତି ଏବଂ ବିକାଶ ପାଇଁ ପ୍ରଥମ ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଇଥିଲା। ଏହି ଉତ୍ସବରେ ସରକାରୀ,  ବେସରକାରୀ ସଂଗଠନ, ୟୁନେସ୍କୋ ଜାତୀୟ ଆୟୋଗ, ବୈଜ୍ଞାନିକ, ଅନୁସନ୍ଧାନ ପ୍ରତିଷ୍ଠାନ, ବୃତ୍ତିଗତ ସଙ୍ଗଠନ, ଗଣମାଧ୍ୟମ, ବିଜ୍ଞାନ ଶିକ୍ଷକ ଏବଂ ବିଦ୍ୟାଳୟ ସମେତ ଅନେକ ଅଂଶୀଦାର ଯୋଗ ଦେଇଥିଲେ।

ବିଶ୍ୱ ବିଜ୍ଞାନ ଦିବସର ମୂଳ ଉଦ୍ଦେଶ୍ୟ 

- ନିରନ୍ତର ସମାଜ ପାଇଁ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କର ଭୂମିକା ତଥା ନାଗରିକଙ୍କୁ ବିଜ୍ଞାନ ସହ ଜଡିତ ରଖିବା ଉପରେ ଧ୍ୟାନ ଦେବା।

- ଶାନ୍ତିପୂର୍ଣ୍ଣ ତଥା ସ୍ଥାୟୀ ସମାଜ ପାଇଁ ବିଜ୍ଞାନର ଭୂମିକା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।

- ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ଦେଶ ଓ ବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କକୁ ପ୍ରୋତ୍ସାହିତ କରିବା।

- ସମାଜର ଲାଭ ପାଇଁ ବିଜ୍ଞାନର ବ୍ୟବହାର ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ନବୀକରଣ କରିବା।

- ବୈଜ୍ଞାନିକ ପ୍ରୟାସ ବେଳେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ପ୍ରତି ଧ୍ୟାନ ଦେବା।

ଆମଦେଶର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ୟାବିନେଟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ। ତାଙ୍କୁ ସାହାଯ୍ୟ କରିବାକୁ ୟାଇଏସ୍ ଚୌଧୂରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ସମୟରେ ବିଜ୍ଞାନର ଆବଶ୍ୟକତା ଓ ଉପଯୋଗିତାକୁ ଦୃଷ୍ଟିରେ ରଖି ସରକାର ଏହି ବିଭାଗର ବଜେଟକୁ ଗତ ୩ ବର୍ଷରେ ସାମାନ୍ୟ ବୃଦ୍ଧି କରିଛନ୍ତି। ବର୍ଷ ୨୦୧୮-୧୯ରେ ୪୯୦୦ କୋଟି ଥିଲା। ୨୦୧୯-୨୦ରେ ୫୪୦୦ କୋଟି କରାଗଲା। କିନ୍ତୁ ଏଥର ୨୦୨୦-୨୧ ବଜେଟରେ ୬୩୦୦ କୋଟି ଟଙ୍କା ରଖାଯାଇଛି। ତଥାପି ଏହା ବିଜ୍ଞାନର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରଯ୍ୟାପ୍ତ ନୁହେଁ ବେଲି ଗବେଷକମାନେ ମତ ଦିଅନ୍ତି।

ସେପଟେ ଭାରତ ଆଧୂନୀକ ଯୁଗରେ ପ୍ରବେଶ କରୁଥିଲେ ସୁଦ୍ଧା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ଲୋକେ ବିଜ୍ଞାନକୁ କମ୍ ଏବଂ ଚମତ୍କାର ଉପରେ ଅଧିକ ବିଶ୍ୱାସ କରନ୍ତି। ଯେଉଁଥିପାଇଁ ସ୍ୱାଧିନତାର ୭୪ ବର୍ଷ ପରେ ବି ଦେଶରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଯେକୌଣସି ପ୍ରାନ୍ତକୁ ଗଲେ ସେଠାରେ ନାନାପ୍ରକାରର କୂପ୍ରଥା ଦେଖିବାକୁ ମିଳିବ। ଗୁଣି ଗାରେଡିଠୁ ଆରମ୍ଭ କରି ପୂଜାର୍ଚ୍ଚନା, ସବୁଠି ଲୋକଙ୍କୁ ଠକିବାପାଇଁ ଏକ ଜଟିଳ ପଦ୍ଧତି ତିଆରି କରାଯାଇଛି। ଯାହା ପ୍ରିତିବର୍ଷ ଶହଶହ ଜୀବନ ନେଉଛି। ଯେଉଥିପାଇଁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ସରକାର ଦାୟୀ।