ଜିନଜିଆଙ୍ଗ ମାନବାଧିକାର ଉଲଂଘନ ମାମଲା; ଚୀନ ବିରୁଦ୍ଧରେ କଟକଣା ଲାଗୁ କଲା ଆମେରିକା

ଜିନଜିଆଙ୍ଗ ପ୍ରଦେଶରେ ମାନବାଧିକାର ଉଲଂଘନ ମାମଲାରେ ଚୀନ ବିରୁଦ୍ଧରେ କଟକଣା ଲାଗୁ କରିଛି ଆମେରିକା।

ଜିନଜିଆଙ୍ଗ ମାନବାଧିକାର ଉଲଂଘନ ମାମଲା; ଚୀନ ବିରୁଦ୍ଧରେ କଟକଣା ଲାଗୁ କଲା ଆମେରିକା

ୱାଶିଂଟନ୍: ଜିନଜିଆଙ୍ଗ ପ୍ରଦେଶରେ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ଆମେରିକା ଚୀନ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଜାତିଗତ ତଥା ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହାର ପାରାମିଲିଟାରୀ ସଙ୍ଗଠନର ମୁଖ୍ୟ ତଥା ଚୀନ୍‌ର ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ଥିବା ଏହାର କମାଣ୍ଡରଙ୍କ ଉପରେ ଏକ ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ଲଗାଯିବା ବାବଦରେ ଟ୍ରମ୍ପ ସରକାରଙ୍କ ବୈଦେଶିକ ଏବଂ ଅର୍ଥ ବିଭାଗ ଘୋଷଣା କରିଛି।

ଏହି ପ୍ରତିବନ୍ଧକ ପରେ, ଆମେରିକାରେ ବ୍ୟାନ ହୋଇଥିବା ସଙ୍ଗଠନ ଏବଂ କୌଣସି ବ୍ୟକ୍ତି ବିଶେଷଙ୍କ ଯଦି କୌଣସି ସମ୍ପତ୍ତି ରହିଥାଏ ତାହାକୁ ଜବତ କରାଯିବ। ଏହା ସହିତ ଆମେରିକୀୟ ନାଗରିକଙ୍କ ସହ ବ୍ୟବସାୟ କରିବାକୁ ସେମାନଙ୍କୁ ବାରଣ କରାଯିବ। ଧାର୍ମିକ ଅତ୍ୟାଚାର ଲାଗି ଆମେରିକା ଜିନଜିଆଙ୍ଗସ୍ଥିତ ପ୍ରଡକସନ୍ କର୍ପ(production corp) ଏବଂ ଏହାର କମାଣ୍ଡରଙ୍କ ଉପରେ କଟକଣା ଲଗାଇଛି।

ହ୍ୱାଇଟ ହାଉସ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି କୋଭିଡ୧୯ କାରଣରୁ ହଂକଂରେ ସ୍ଥାନୀୟ ସରକାରୀ ନିର୍ବାଚନକୁ ସ୍ଥଗିତ ରଖିବାକୁ ଆମେରିକା ନିନ୍ଦା କରୁଛି। ଅନ୍ୟପକ୍ଷେ ହଂକଂ ପକ୍ଷରୁ ଏହାର ଜବାବ ଦେବାକୁ ଯାଇ କୁହାଯାଇଛି ନିର୍ବାଚନରେ ବିଳମ୍ବକୁ ନେଇ ଆମେରିକାର ଦ୍ୱାରା କରାଯାଉଥିବା ସମାଲୋଚନା ଏପରି ଏକ ସମୟରେ ଆସିଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ନଭେମ୍ବରରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି।

ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମେନୁଚିନ୍ ଏକ ବିବୃତ୍ତିରେ କହିଛନ୍ତି, ଜିନଜିଆଙ୍ଗ ତଥା ସମଗ୍ର ବିଶ୍ୱରେ ମାନବିକ ଅଧିକାରର ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବାକୁ ଆମେରିକା ଏହାର ଆର୍ଥିକ କ୍ଷମତାକୁ ସମ୍ପୂର୍ଣ୍ଣରୂପେ ବ୍ୟବହାର କରିବାକୁ ପ୍ରତିଶ୍ରୁତିବଦ୍ଧ। ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି, ଚୀନୀ କମାଣ୍ଡର ପେଙ୍ଗ ଜିଆରୁଇ ଏବଂ ପୂର୍ବତନ କମିଶନର ସନ୍ ଜିନଲୋଙ୍ଗଙ୍କ ଆମେରିକା ଆସିବା  ଉପରେ ଭିସା ଜନିତ ପ୍ରତିବନ୍ଧକ ଲଗାଯିବ। ଟ୍ରମ୍ପ ପ୍ରଶାସନ ପୂର୍ବରୁ ଜିନଜିଆଙ୍ଗର ଅନ୍ୟ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇସାରିଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ବିଧାନ ପରିଷଦ ନିର୍ବାଚନକୁ ସରକାର ଏକ ବର୍ଷ ପାଇଁ ସ୍ଥଗିତ ରଖିବେ ବୋଲି ହଂକଂ ନେତା କାରୀ ଲାମ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ହଂକଂ ସରକାର ଏକ ଜରୁରୀକାଳୀନ ନିୟମ ଲାଗୁ କରୁଛନ୍ତି ।