)
Netherlands former pm:
ଆଜିର ଲେଫ୍ଟ୍ ସ୍ୱାଇପ୍ ଓ ରାଇଟ୍ ସ୍ୱାଇପ୍ ଯୁଗରେ ଏମିତି ଦମ୍ପତି ଅଛନ୍ତି ଯେଉଁମାନେ ଜୀବନସାଥୀର ପରିଭାଷାକୁ ଯଥାର୍ଥ କରନ୍ତି । ସେହିଭଳି ଗୋଟିଏ ଯୋଡି ଫେବୃଆରୀ ୫ ତାରିଖ ଦିନ ଦୁନିଆକୁ ଅଲବିଦା କହିଛନ୍ତି । ନେଦରଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରିସ୍ ୱାନ୍ ଏଗତ ଏବଂ ତାଙ୍କ ପତ୍ନୀ ଇଉଜିନ୍ ଫେବୃଆରୀ 5 ରେ ଇଉଥାନାସିଆ ମାଧ୍ୟମରେ ସେମାନଙ୍କ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ଇଛାମୃତ୍ୟୁ ଜରିଆରେ ନିଜ ଜୀବନକୁ ଶେଷ କରିଛନ୍ତି । ଇଣ୍ଟରନେଟ୍ ଅନୁଯାୟୀ, ଉଭୟଙ୍କ ମୃତ୍ୟୁ ସହ ଜଡିତ ବାର୍ତ୍ତାରେ କୁହାଯାଇଥିଲା ଯେ ପ୍ରାୟ 70 ବର୍ଷ ଧରି ଉଭୟ ଡ୍ରିସ୍ ଏବଂ ଇଉଜିନ୍ ପରସ୍ପରର ଜୀବନସାଥୀ ଥିଲେ। ମୃତ୍ୟୁ ବେଳକୁ ଉଭୟଙ୍କୁ 93 ବର୍ଷ ବୟସ ହୋଇଥିଲା ।
ଦୀର୍ଘ ଦିନ ଧରି ଏହି ଦମ୍ପତି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଯେଉଁଥିପାଇଁ ସାଧାରଣ ଜୀବନଯାପନ କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା। କିନ୍ତୁ ଉଭୟ ପରସ୍ପରକୁ ଏକୁଟିଆ ଛାଡିବାକୁ ଚାହୁଁନଥିଲେ, ତେଣୁ ସେମାନେ ଏକାଠି ଦୁନିଆ ଛାଡିବାକୁ ସ୍ଥିର କରିଥିଲେ।
୭୦ ବର୍ଷର ବୈବାହିକ ସଂପର୍କ
ଡ୍ରିସ୍ ଏବଂ ଇଉଜିନଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥିଲା । ଡ୍ରିସଙ୍କ ରାଜନୈତିକ ଜୀବନ ନିଶ୍ଚିତ ଭାବରେ ସେମାନଙ୍କ ଆହ୍ୱାନକୁ ବଢାଇ ଦେଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପାରସ୍ପରିକ ବୁଝାମଣା କେବେବି କମିନଥିଲା । ଖବର ଅନୁଯାୟୀ, ବିବାହର ସାତ ଦଶନ୍ଧି ପରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବଦା ତାଙ୍କ ପତ୍ନୀଙ୍କୁ 'ମାଇ ଗର୍ଲ’ କହି ଡାକୁଥିଲେ ।
ତେବେ କୌଣସି ଦମ୍ପତି ଏକାଠି ଦୁନିଆ ଛାଡିବାର ଏହା ପ୍ରଥମ କଥା ନୁହେଁ । 2022 ମସିହାରେ ମଧ୍ୟ ଏହିଭଳି ଗୋଟିଏ ଦମ୍ପତିଙ୍କ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସିଥିଲା। ଆମେରିକାର ଓହିଓରେ ରହୁଥିବା ହୁବର୍ଟ ମଲିକଟ ଏବଂ ଜୁନ୍ ମଲିକଟ ପରସ୍ପରର ମୃତ୍ୟୁର ମାତ୍ର 20 ଘଣ୍ଟା ମଧ୍ୟରେ ଦୁନିଆକୁ ଅଲବିଦା କହିଥିଲେ ।
କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ହୁବର୍ଟଙ୍କ ଅବସ୍ଥା ସେତେବେଳେ ଖରାପ ହେବାକୁ ଲାଗିଲା ଯେତେବେଳେ ସେ ଦେଖିଲେ ଯେ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଆଉ ଠିକ ରହୁନାହିଁ । ସବୁବେଳେ ଫିଟ୍ ରହୁଥିବା ଏହି ବ୍ୟକ୍ତିଙ୍କ ଅବସ୍ଥା ମାତ୍ର ତିନି ଦିନ ମଧ୍ୟରେ ଏତେ ଖରାପ ହୋଇଯାଇଥିଲା ଯେ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପୂର୍ବରୁ ଆଖି ବୁଜିଥିଲେ । ପତିଙ୍କ ମୃତ୍ୟୁର ୨୦ ଘଣ୍ଟା ଭିତରେ ଜୁନ୍ ମଧ୍ୟ ଦୁନିଆ ଛାଡ଼ିଥିଲେ ।