ସମଗ୍ର ଓଡ଼ିଶାକୁ ଛୁଇଁଲା କୋରୋନା, ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ
Advertisement

ସମଗ୍ର ଓଡ଼ିଶାକୁ ଛୁଇଁଲା କୋରୋନା, ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବେଶ ଚର୍ଚ୍ଚାରେ ଥିଲେ ୨ଟି ଜିଲ୍ଲା ସୁବର୍ଣ୍ଣପୁର ଓ ରାୟଗଡ଼ା । କାହିଁକିନା ଉଭୟ ଜିଲ୍ଲାର ପାଖ ମାଡ଼ି ପାରୁନଥିଲା କୋରୋନା । ତେବେ କିଛି ଦିନ ପୂର୍ବରୁ ୨୯ ନମ୍ବର ଜିଲ୍ଲା ଭାବେ ସୁବର୍ଣ୍ଣପୁରକୁ ପଶିଥିଲା ଭାଇରସ୍ । ହେଲେ ରାୟଗଡ଼ା କୋରୋନା ମୁକ୍ତ ରହିଥିଲା । ଶେଷରେ ଆଜି ଏହି ଜିଲ୍ଲାକୁ ବି କୋରୋନା ପଶିଛି । ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ, ଏବେ ସମଗ୍ର ଓଡ଼ିଶାକୁ ଛୁଇଁଛି କୋରୋନା । 

ତେବେ ରାୟଗଡ଼ାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା । ଦିଲ୍ଲୀରୁ ଫେରିବା ପରେ ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଆଉ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଅନ୍ୟପଟେ ୨୯ ନମ୍ବର ଜିଲ୍ଲା ଭାବେ ସୁବର୍ଣ୍ଣପୁରକୁ ଭାଇରସ୍ ପଶିଥିଲା ସତ, ହେଲେ ଏହା ଏବେ ବଡ଼ ସ୍କୋର କରିବାର ଆଶଙ୍କା ସୃଷ୍ଟି କରିଛି । ଜିଲ୍ଲାରେ ପୂର୍ବରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ନୂଆ ୯ଟି ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।