)
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: କୋରୋନା ସଙ୍କଟ ସମୟରେ ରାଜ୍ୟ ସରକାର ଅର୍ଥନୈତିକ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ଆଣିଲା କଂଗ୍ରେସ । ଏଥିରେ ଏକ ଉଦେଶ୍ୟ ଅଛି । ଲୋକଙ୍କୁ ଆତଙ୍କ ଭିତରକୁ ଠେଲିଦେଇ ନିଜେ ଖସିଯିବାକୁ ସରକାର ଚାହୁଁଛନ୍ତି ବୋଲି ଦଳ କହିଛି । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ୧୦ଟି ବଡ଼ ପ୍ରଶ୍ନ ପଚାରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ ।
ରାଜ୍ୟ ସରକାରଙ୍କୁ କଂଗ୍ରେସର ୧୦ ପ୍ରଶ୍ନ
(୧) ବିଜେଡି ସରକାର ଆସିବା ବେଳେ ରାଜ୍ୟର ୧୮ ହଜାର କୋଟି ଟଙ୍କା ଋଣ ଥିଲା । ଏବେ ଏହା ୧ ଲକ୍ଷ ୧୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏଫଆରବିଏମ ଆକ୍ଟରେ ଲେଖା ହୋଇଛି ଟୁ ଜେନେରଟ ମନି । କିନ୍ତୁ ରାଜ୍ୟ କିଛି ପାଇଲାନି । ଭୋଟ ପାଇଁ ଯୋଜନା ମାଧ୍ୟମରେ ଟଙ୍କାକୁ ବ୍ୟବହାର କରାଯାଇଛି ।
(୨) ୨୦୨୧ ଓ ୨୦୨୨ ଶେଷ ଯାଏ କେନ୍ଦ୍ରଠୁ ୧୪ ପ୍ରତିଶତ ଅଧିକ ଅର୍ଥ ପାଇବ ରାଜ୍ୟ । କିନ୍ତୁ ଏବେ ଆତଙ୍କ କାହିଁକି ?
(୩) ଚିନି କଳ, ସୁତା, ଲୁଗା କଳ କୁଆଡେ ଗଲା ? ୫୮ ହଜାର ଚଳନ୍ତି କଳ ବନ୍ଦ କରାଯାଇଛି । ସରକାର ଏନେଇ ଉତ୍ତର ରଖିବେ କି ?
(୪) କୌଶଳ ବିକାଶରେ କେଉଁ କେଉଁ ସ୍ଥାନରେ କୁଶଳୀ ଲୋକଙ୍କୁ ଚାକିରି ମିଳିଛି ?
(୫) ୪୨ ପ୍ରତିଶତ ସ୍ଥାନରେ କେନ୍ଦ୍ରର ୪୧ ପ୍ରତିଶତ ଅନୁଦାନ ଦିଆଯାଉଛି । ଏନେଇ କେନ୍ଦ୍ରକୁ ପ୍ରଶ୍ନ କରିଛି କି ରାଜ୍ୟ ?
(୬) ଜଳ ବିଦ୍ୟୁତ କର ବାବଦରେ କମ୍ପାନୀ ଗୁଡିକ ଉପରେ ୬ ହଜାର କୋଟି ଟଙ୍କା ବାକିଆ ପଡିରହିଛି । କାହିଁକି ଆଦାୟ ହେଉନି ?
(୭) ୧୨ଶହ କୋଟି ସେଲ ଟ୍ୟାକ୍ସ ଓ ଭାଟ ବାବଦରେ ପଡ଼ିଛି । କେବେ ଆଦାୟ ହେବ ?
(୮) ଖଣି ଲୁଟେରାଙ୍କଠାରୁ ୧୮ ହଜାର କୋଟିରୁ କେତେ ଟଙ୍କା ମିଳିଛି ?
(୯) ଆଇଓସିଏଲ ଉପରେ ଟ୍ୟାକ୍ସ ବାବଦ ଅର୍ଥ କେତେ ବକେୟା ରହିଛି ?
(୧୦) କୋଇଲା ରାୟଲଟି ପାଇଁ କେନ୍ଦ୍ରକୁ କ'ଣ ଲେଖିଥିଲ ? କେତେ ପାଇଲ, ତାର ହିସାବ ମାଗିଛି କଂଗ୍ରେସ । ସେହିପରି ରାଜ୍ୟର ଅର୍ଥିନୀତି ସମ୍ପର୍କରେ ଏକ ଶ୍ୱେତପତ୍ର ଦାବି କରିଛି ଦଳ । ରାଜ୍ୟର ଅର୍ଥିନୀତିଜ୍ଞଙ୍କ ଉପସ୍ଥି ରେ ଶ୍ୱେତପତ୍ର ଖୋଲାଯାଉ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି ।
ସେପଟେ ଅର୍ଥନୈତିକ ଆତଙ୍କ ପ୍ରସଙ୍ଗରେ କଂଗ୍ରେସର ୧୦ଟି ପ୍ରଶ୍ନ ନେଇ ବିଜେଡ଼ି ପ୍ରତିକ୍ରିୟା ରଖିଛି । ପଞ୍ଚାନନ ବାବୁ ଜଣେ ଜ୍ଞାନୀ ଲୋକ । ରାଜନୈତିକ ଉଦ୍ଦେଶ୍ୟରେ ସେ ଏହି ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଜୀବନକୁ ଆଗେ ଗୁରୁତ୍ୱ ଦେଇ ଅର୍ଥନୈତିକ ନିଷ୍ପତ୍ତି ନେଉଛନ୍ତି। ବକେୟା ଟଙ୍କାକୁ ନେଇ ଅନୁଶୀଳନ ହେଉଛି । ବକେୟା ଦେୟ କିଭଳି ମିଳିପାରିବ ଓ ରାଜସ୍ୱ ସଂଗ୍ରହ ସୋର୍ସ ବି କିଭଳି ଆରମ୍ଭ କରାଯିବ, ସେନେଇ ଉଦ୍ୟମ କରାଯାଉଛି । ପଚନାନ ବାବୁ ରାଜନୈତିକ ଉଦେଶ୍ୟ ରଖି ଏଭଳି ପ୍ରଶ୍ନ ଉଠାଉଛନ୍ତି । ଯଦି କିଛି ବିକଳ୍ପ ଅଛି, ତେବେ ସେ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।