ଜୁଲାଇ ୧ରୁ ଯୁକ୍ତ ଦୁଇ ପରୀକ୍ଷା
Advertisement

ଜୁଲାଇ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ସିବିଏସଇ ଭଳି ଜୁଲାଇ ୧ରୁ ୧୫ ତାରିଖ ଭିତରେ ସିଏଚଏସଇ ପକ୍ଷରୁ ବଳକା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଘୋଷଣା ହେଲା ତାରିଖ । ଜୁଲାଇ ୧ ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା । ସେପଟେ ସମ୍ଭାବ୍ୟ ବାତ୍ୟା ହେତୁ ମାଟ୍ରିକ ମୂଲ୍ୟାୟନ ଗୋଟିଏ ଦିନ ପରେ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ସୂଚନା ମୁତାବକ କୋରୋନା କଟକଣାରେ ଲକ୍ ଡାଉନ ହେତୁ ୨ ମାସ ହେବ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିଛି । ତେବେ ଏହି ବଳକା ପରୀକ୍ଷାକୁ ଆରମ୍ଭ କରିବା ନିମନ୍ତେ ତାରିଖ ଘୋଷଣା କରିଛି ବିଭାଗ । ଏହାସହ ଆସନ୍ନ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବନିର୍ଦ୍ଧାରିତ ମାଟ୍ରିକ ମୂଲ୍ୟାୟନ ୨୦ ତାରିଖ ପରିବର୍ତ୍ତେ ୨୧ ତାରିଖରୁ ଆରମ୍ଭ କରିବା ନିମନ୍ତେ ବିଭାଗ ସ୍ଥିର କରିଛି ।

ସିବିଏସଇ ଭଳି ଜୁଲାଇ ୧ରୁ ୧୫ ତାରିଖ ଭିତରେ ସିଏଚଏସଇ ପକ୍ଷରୁ ବଳକା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ମୋଟ ୨୩ଟି ବିଷୟର ପରୀକ୍ଷା ବାକି ରହିଛି । ଏସବୁ ପରୀକ୍ଷା ପାଇଁ ଗୋଟିଏ ସପ୍ତାହ ଲାଗିବ । ସେପଟେ ଲକଡାଉନ ପୂର୍ବରୁ ସରିଥିବା ପରୀକ୍ଷାର ଖାତା ଦେଖା ଜୁନ ୧ରୁ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟି ରଖି ମାଟ୍ରିକ ମୂଲ୍ୟାୟନ ତାରିଖ ଘୁଂଚାଇ ଦିଆଯାଇଛି । ପୂର୍ବ ନିର୍ଦ୍ଧିାରିତ ୨୦ ତାରିଖ ପରିବର୍ତ୍ତେ ଗୋଟିଏ ଦିନ ପରେ ୨୧ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ କିଲୋମିଟର ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ ସେପ୍ଟେମ୍ବର ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଳକା ସମସ୍ତ ପରୀକ୍ଷା, ଖାତା ଦେଖା, ଫଳାଫଳ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନାମଲେଖା କରିବାକୁ ଲକ୍ଷ୍ୟ ରଖାଯାଇଛି ।