)
ସଞ୍ଜୟ ମହାପାତ୍ର, ପୁରୀ: ସେବାୟତଙ୍କୁ କୋରୋନା ସହାୟତା ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଖୋଦ୍ ପାଣିଆପଟ ସେବାୟତ ନିଯୋଗ ପକ୍ଷରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଏଥିରେ ଦୈନିକ ସେବାପୂଜା କରୁଥିବା ସେବାୟତଙ୍କୁ ବାଦ ଦିଆଯାଇଥିବା ବେଳେ ଅଣସେବାୟତଙ୍କୁ ଦିଆଯାଇଛି କୋରୋନା ସହାୟତା । ନିଯୋଗର ତାଲିକାକୁ ଉପେକ୍ଷା କରାଯାଇ ଅଣସେବାୟତଙ୍କୁ ସହାୟତା ପ୍ରଦାନ କରିବା ଘଟଣାକୁ ନିଯୋଗ ନାପସନ୍ଦ କରିଛି ।
ସେମାନଙ୍କ ଅଭିଯୋଗ ମୁତାବକ, କୋରୋନା ସହାୟତା ବାବଦ ୫ହଜାର ଟଙ୍କା ସମସ୍ତ ସେବକଙ୍କୁ ପ୍ରଦାନ କରାଯିବା ନେଇ ତାଲିକା ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନିଯୋଗକୁ ଚିଠି କରିଥିଲା । ପାଣିଆ ଆପଟ ନିଯୋଗ ପକ୍ଷରୁ ଦୈନିକ ନୀତିକ୍ରାନ୍ତି ସହ ଜଡିତ ୨୪ଜଣ ସେବକଙ୍କ ନାମ ସମ୍ବଳିତ ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଯୋଗ ଦେଇଥିବା ତାଲିକାରୁ ସାତ ଜଣଙ୍କ ନାମ ବାଦ କରି ଚଞ୍ଚକତା ପୂର୍ବକ ୧୧ ଅଣ ସେବାୟତଙ୍କୁ କୋରୋନା ସହାୟତା ପ୍ରଦାନ କରିଛନ୍ତି । ତେବେ ନିଯୋଗର ତାଲିକାରୁ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ବାଦ କରି ଅଣସେବାୟତଙ୍କୁ କିଭଳି ସହାୟତା ପ୍ରଦାନ କରାଗଲା ବୋଲି ନିଯୋଗ ପ୍ରଶ୍ନ ଉଠାଇଛି ।
ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନିଯୋଗ ପକ୍ଷରୁ ଲଢୁଥିବା ଆଇନଜୀବୀ ମଧ୍ୟ ତଦନ୍ତ ଦାବି କରିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ଏଭଳି କରାଯାଇଛି ? ସେବକ ଓ୍ୱଲଫେୟାର ସେକସନରେ ହୋଇଥିବାରୁ ନୀତି ପ୍ରଶାସକ ତଦନ୍ତ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।