)
ଭୁବନେଶ୍ୱର: ଏବେ ସମଗ୍ର ମଣିଷ ସମାଜରେ ଭୟର ବାତାବରଣ ଖେଳାଇ ଦେଇଛି ଅଦୃଶ୍ୟ କରୋନା ଭାଇରସ | ସବୁ ଠାରେ ପ୍ରଭାବ ବିସ୍ତାର କରିଥିବା ମହାମାରୀର ମୁକାବିଲା କରିବା ଲାଗି ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି | କୋଭିଡ୧୯ କବଳରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସତର୍କ କରାଇବା ଲାଗି ପୋଲିସ ଓ ପ୍ରଶାସନକୁ ସରକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଥିବା ବେଳେ, ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି |
ଜିଲ୍ଲାର ଗୁମା ବ୍ଲକ ଅନ୍ତର୍ଗତ କୁଲାଙ୍ଗ ଗ୍ରାମରେ ଆୟୋଜିତ ହୋଇଥିଲା ପୋଷାକ ବିତରଣ କାର୍ଯ୍ୟକ୍ରମ | ଏଥିରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ | ମାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକେ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତା ରକ୍ଷା କରିଥିଲେ | ଯାହାକୁ ନେଇ ଏବେ ସାଧାରଣରେ ଅଭିଯୋଗ ହୋଇଛି |
ଏହି ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କୁ କୋଭିଡ୧୯ ବାବଦରେ ସଚେତନ କରିବା ଦାୟିତ୍ୱର ମଙ୍ଗ ଧରିଥିବା ମଙ୍ଗୁଆଳଙ୍କୁ ନେଇ ପ୍ରଶ୍ନ ଉଠିଛି | ନିୟମ ପ୍ରଣୟନ କରି ଏହାକୁ ଉଲ୍ଲଘଂନ କରୁଥିବା ଲୋକଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଏବେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ରହିଛି ନଜର | ବର୍ତ୍ତମାନ ଦେଶରେ ଜାରି ରହିଥିବା କୋରୋନା ସଂକଟକୁ ଦୃଷ୍ଟିରେ ରଖି ସାମୂହିକ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଛି |
ରାଜ୍ୟରେ କୋରୋନା ସଂକ୍ରମଣ ଜନିତ ମାମଲା ବଢି ଚାଲିଥିବା ବେଳେ ୫ଟି ଜିଲ୍ଲା ଏବେ ହଟସ୍ପଟ ଭାବେ ଚିହ୍ନଟ ହୋଇଛନ୍ତି | ଯାହା ମଧ୍ୟରେ ରହିଛି ଆଦିବାସୀ ଅଧ୍ୟୁଷିତ ଗଜପତି | ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ରବିବାରଠୁ ଗୁମା ବ୍ଲକ ସମେତ ପାରଳାଖେମୁଣ୍ଡି ସହରକୁ ୩ ଦିନ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ | ହେଲେ ଏଭଳି ସମୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଆୟୋଜନ କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା ବାସିନ୍ଦା |