ଆତ୍ମନିର୍ଭର ଭାରତ ପ୍ୟାକେଜ: କେତେ ଉପକୃତ ହୋଇଛି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ?

କୋରୋନା ମହାମାରୀରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଲଘୁ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ଏମାନଙ୍କ ଅବସ୍ଥାରେ ସୁଧାର ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ କୋଟି ଟଙ୍କାର କର୍ପସ ଫଣ୍ଡ କରିଛନ୍ତି । ଉଦ୍ୟୋଗଗୁଡ଼ିକର ସଂଜ୍ଞା ଓ ପରିସର ବଦଳିଛି ।

ଆତ୍ମନିର୍ଭର ଭାରତ ପ୍ୟାକେଜ: କେତେ ଉପକୃତ ହୋଇଛି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ?

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ମହାମାରୀ ଯୋଗୁଁ ଭୁଷୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ଲଘୁ ଓ ମଧ୍ୟମ ଉଦ୍ୟୋଗ ସେକ୍ଟର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ୨୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏମ୍‌ଏସ୍‌ଏମ୍‌ଇ ସେକ୍ଟରର ସଂଜ୍ଞା ବି ବଦଳାଇଛନ୍ତି । ତେବେ ଏହି ପରିବର୍ତ୍ତିତ ଢାଂଚା ଲଘୁ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗକୁ କେତେ ସହାୟକ ହେଉଛି, ବ୍ୟାଙ୍କ ଋଣ ସୁବିଧାର ଫାଇଦା ଗ୍ରାମାଂଚଳରେ ଥିବା ଛୋଟ ଉଦ୍ୟୋଗୀଟିଏ କେତେ ଉଠାଇ ପାରୁଛି ? ବିଶେଷଜ୍ଞଙ୍କ କହିବା କଥା, ଉଦ୍ୟୋଗୀମାନଙ୍କ ସଂଜ୍ଞା ଓ ସୀମା ବଦଳିବା ପରେ ଏହାର ଫାଇଦା ଲଘୁ ଓ ଛୋଟ ନୁହେଁ, ବଡ଼ ଉଦ୍ୟାଗୀମାନେ ହିଁ ପାଇବେ । ଏପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ଏମ୍‌ଏସ୍‌ଏମ୍‌ଇ । ଗାଁର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ୟନ୍ତ, ସମସ୍ତେ ଉଦ୍ୟୋଗୀର ମାନ୍ୟତା ପାଇଛନ୍ତି ।

କୋରୋନା ମହାମାରୀରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଲଘୁ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ଏମାନଙ୍କ ଅବସ୍ଥାରେ ସୁଧାର ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ କୋଟି ଟଙ୍କାର କର୍ପସ ଫଣ୍ଡ କରିଛନ୍ତି । ଉଦ୍ୟୋଗଗୁଡ଼ିକର ସଂଜ୍ଞା ଓ ପରିସର ବଦଳିଛି । ବିନା କୌଣସି ତୃତୀୟ ପକ୍ଷର ସହାୟତାରେ ଲଘୁ, କ୍ଷୁଦ୍ର ଉଦ୍ୟୋଗୀମାନେ ୧୨ ମାସର ମୋରାଟୋରିୟମ ପିରିଅଡ଼୍ ସହିତ ସହଜରେ ଋଣ ନେଇପାରିବେ । ୨୦ହଜାର କୋଟି ଟଙ୍କାର ଋଣ  ବ୍ୟବସ୍ଥା ବି କରିଛନ୍ତି କେନ୍ଦ୍ର ସରକାର । ହେଲେ ଘୋଷଣା ଅନୁସାରେ ଲଘୁ ଉଦ୍ୟୋଗୀଙ୍କ ଅପେକ୍ଷା ବଡ଼ ବଡ଼ ଉଦ୍ୟୋଗୀମାନେ ବେଶୀ ଫାଇଦା ପାଇବେ ବୋଲି ବିଶେଷଜ୍ଞ କହିଛନ୍ତି । ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ଋଣ ସହାୟତା ମିଳିଲେ ବି ତାଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କେଉଁଠି ହେବ, କିପରି ତାଙ୍କ ପକେଟକୁ ଅର୍ଥ ଆସିବ, ତାକୁ ନେଇ ବି ପ୍ରଶ୍ନ ଉଠିଛି ।

କୋରୋନା ଯୋଗୁଁ ଅନେକ କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହେବା ପରେ ଏବେ ଧିରେ ଧିରେ ଖୋଲୁଛି । ଉତ୍ପାଦନ ଆରମ୍ଭ ଯଦିଓ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ ସମସ୍ତ ୟୁନିଟ୍ । ଉତ୍ପାଦିତ ଦ୍ରବ୍ୟ ବିକ୍ରି ପାଇଁ ଉପଯୁକ୍ତ ବଜାରର ବି ଅଭାବ ରହିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଥିବା ବେଳେ ଗତ ୨୦ବର୍ଷରେ ୮୦ ହଜାର ଏମ୍‌ଏସ୍‌ଏମ୍‌ଇ ୟୁନିଟ୍ ପ୍ରତିଷ୍ଠା ହୋଇଛି । ଏଥିରୁ ୬୦ ହଜାର ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି । ବୃହତ ଶିଳ୍ପ ଅପେକ୍ଷା କର୍ମନିଯୁକ୍ତି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ୯ ଗୁଣା ଅଧିକ ସୁଯୋଗ ସୃଷ୍ଟି କରିପାରୁଛି । ଗାଁର ବଡ଼ି, ପାମ୍ପଡ଼, ଝାଡ଼ୁ ତିଆରି କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ରାସ୍ତାକଡ଼ରେ ବସିଥିବା ସାଇକେଲ, ମଟର ସାଇକେଲ ରିପ୍ୟାରିଙ୍ଗ ଦୋକାନୀ ବି ଉଦ୍ୟୋଗ ଭାବେ ମାନ୍ୟତା ପାଉଛନ୍ତି । ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ ସେକ୍ଟରର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ, ସମସ୍ତେ ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଗୁରୁତ୍ୱ ଦେଉଛନ୍ତି ସତ, ହେଲେ ବାସ୍ତବ କ୍ଷେତ୍ରରେ କେତେ ଉପକୃତ ହେଉଛନ୍ତି? କେତେ ହଇରାଣ ହରକତ ହେଉଛନ୍ତି ? ଏସବୁ ବାବଦରେ ତଥ୍ୟ ସଂଗ୍ରହ କରି ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।