ବିଜେଡ଼ି ନେତା ସୁପର ସ୍ପ୍ରେଡର: କଂଗ୍ରେସ

ବିଜେଡି ନେତାଙ୍କୁ ସୁପର ସ୍ପ୍ରେଡର ଆଖ୍ୟା ଦେଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ ।

ବିଜେଡ଼ି ନେତା ସୁପର ସ୍ପ୍ରେଡର: କଂଗ୍ରେସ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଏନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେଡି ନେତାଙ୍କୁ ସୁପର ସ୍ପ୍ରେଡର ଆଖ୍ୟା ଦେଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ । ବିଜେଡି ନେତା କୋଭିଡ ନିୟମ ଭାଙ୍ଗୁଥିବା ସେ ଅଭିଯୋଗ କରିଛନ୍ତି । ଆଉ ଏନେଇ ବାଙ୍କି ବିଧାୟକଙ୍କ ଜନ୍ମ ଦିନ ସେଲିବ୍ରେସନ କଥା ମଧ୍ୟ ଉଠାଇଛନ୍ତି ।

ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ''ବିଜେଡି ନେତା କୋଭିଡ ନିୟମ ଭାଙ୍ଗୁଛନ୍ତି । ଆଉ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରୁଛନ୍ତି ତଳିଆ ଅଫିସର । ତଳିଆ କର୍ମଚାରୀ ଲକଡାଉନ୍ ସମୟରେ ଜୀବନ ବଞ୍ଚାଇବା ସ୍ଥାନରେ ନିଜ ଚାକିରୀ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ବାଙ୍କି ବିଧାୟକ ଶତାଧିକ ଲୋକଙ୍କୁ ଧରି ଜନ୍ମ ଦିନ ପାଳିଲେ। ହେଲେ ଏନେଇ ଜିଲ୍ଲାପାଳଙ୍କୁ ଲେଖିକି ଦେଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ।''

ସେହିପରି ଜଣେ ପୂର୍ବତନ ବିଧାୟକ(ବାଙ୍କି ବିଧାୟକଙ୍କ ପିତା) ଶତାଧିକ ଲୋକଙ୍କୁ ଧରି ପେଟ୍ରୋଲ ପମ୍ପ ଉଦଘାଟନ କରିବା ଘଟଣାକୁ ମଧ୍ୟ ଉଠାଇଛନ୍ତି ଦେବାଶିଷ ପଟ୍ଟନାୟକ । ଏନେଇ ଏତଲା ମଧ୍ୟ ଥାନାରେ ଗ୍ରହଣ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି । ଦେବାଶିଷଙ୍କ କହିବା କଥା ଏହା ଯେ, ଯଦି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇପାରୁଛି, ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁଛି, ତେବେ ବିଜେଡି ବିଧାୟକଙ୍କ ନାଁରେ କାହିଁକି ନୁହେଁ ? ବିଜେଡି ବିଧାୟକ କ'ଣ ଆଇନରୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ଏହି ପୂର୍ବତନ ବିଧାୟକ ।