ଘରୋଇ ବସ ମାଲିକଙ୍କ ଦାବି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ ।
Trending Photos
ମଳୟ ମହାନ୍ତି, ଭୁବନେଶ୍ୱର: ଘରୋଇ ବସ୍ ଚାଲିବା ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘରୋଇ ବସ୍ ମାଲିକ ସଂଘର ଦାବି ଏବେ ବିଚାରାଧୀନ ରହିଛି । ଟ୍ୟାକ୍ସ ଛାଡ଼ ଓ ଅନ୍ୟ ପ୍ରସଙ୍ଗରେ ସରକାର ଚିନ୍ତା କରୁଛନ୍ତି । ଏବେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିପାରିବ । ତେଣୁ ବସ୍ ଚଳାଇବାରେ ଆଉ କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।
ସେହିପରି ଘରୋଇ ବସ ମାଲିକଙ୍କ ଦାବି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଆସନ୍ତାକାଲି ଖୋଦ ପରିବହନ ମନ୍ତ୍ରୀ ଏକ ବୈଠକ ଡାକିଛନ୍ତି । ଅନ୍ୟପଟେ ବସ ଚଳାଚଳ ନେଇ ମାଲିକ ସଂଘର ମଧ୍ୟ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏଥିରେ ଚୁଡ଼ାନ୍ତ ନିଷ୍ପତ୍ତି ନେଇପାରେ ସଂଘ ।
ସୂଚନାଯୋଗ୍ୟ, ପୂର୍ବରୁ କୋରୋନା ମୁକାବିଲା ପାଇଁ ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରିହୋଇଥିଲା । ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ଗ୍ରହଣ କରିନଥିଲା ଘରୋଇ ବସ ମାଲିକ ସଂଘ । ପରବର୍ତ୍ତୀ ସମୟରେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ କୋରୋନା ମୁକାବିଲା ପାଇଁ ଅନେକ ଗାଇନଲାଇନ ମଧ୍ୟ ଜାରି ହୋଇଛି । ଅନ୍ୟପଟେ ଟ୍ୟାକ୍ସ ଛାଡ଼ ଓ ଅନ୍ୟ କିଛି ଦାବିରେ ଅଡ଼ି ବସିଛି ଘରୋଇ ବସ ମାଲିକ ସଂଘ ।
ରବିବାର ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଏ ସମ୍ପର୍କକରେ କହିଥିଲେ, ବିଭାଗୀୟ ମନ୍ତ୍ରୀ ବସ୍ ସଂଘ ସହ ଆଲୋଚନା କରନ୍ତୁ । ସରକାର କେବଳ ରାଜ୍ୟରେ ବସ୍ ଚଳାଚଳ ନେଇ ଆଡଭାଇଜରି ଜାରି କରିଛନ୍ତି । ହେଲେ ବିଭାଗୀୟ ମନ୍ତ୍ରୀ ଆମ ସହ ଆଲୋଚନା କରିନାହାଁନ୍ତି । ତେଣୁ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।