ଆଜି ଚମ୍ପକ ଦ୍ଵାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡାମ୍ବରରେ ସମ୍ପର୍ଣ୍ଣ ହେବ ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି । ଆଜି ଚମ୍ପକ ଦ୍ଵାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡାମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ହେଲେ କୋବିଡ଼ 19 ଗାଇଡ଼ାଇଲନକୁ ନେଇ ସେହି ନୀତି ଉପରେ ଲାଗିଛି ପ୍ରତିବନ୍ଧକ ।
ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଞ୍ଚଗ୍ରାସ ନୀତି ରହିଛି । ଏହି ସମୟରେ ଶହଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହୋଇଥାନ୍ତି । ହେଲେ ଏହି ନୀତି କିଭଳି ଶ୍ରୀମନ୍ଦିର ଭିତରେ ହେବ, ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ମୁକ୍ତିମଣ୍ଡପ ପଣ୍ଡିତ, ଛତିଶା ନିଯୋଗ ନାୟକ, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନେଇ ଜଗଦଗୁରୁଙ୍କ ସହ ଆଲୋଚନା କରି ପରାମର୍ଶ ନେଇଛନ୍ତି ।
ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରାୟ ୨୯ଟି ନୀତି ରହିଛି । ଦ୍ଵାଦଶୀ ସହିତ ତ୍ରୟୋଦଶୀ ରହିଥିବାରୁ ବିଧି ପରମ୍ପରା ଅନୁସାରେ ଆଜି ରହିଛି ଦଇତା ପ୍ରବେଶ । ବଡସିଂହାର ବେଶ ପରେ ପହୁଡ଼ ଆଳତୀ, ଶ୍ରୀମୁଖ ଖଣ୍ଡୁଆ ଓ ତାପରେ ଦଇତା ସେବକଙ୍କ ଦ୍ୱାରା ବାହୁଟ କଣ୍ଟ ନୀତି କରାଯିବ । ତାପରେ କୋଠସୁଆଁସିଆ ଗର୍ଭଗୃହକୁ ପ୍ରବେଶ କରି ଚାରମାଳ ବନ୍ଧା ନିତି ସମ୍ପାଦନ କରିବେ ।
ଆସନ୍ତାକାଲି ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ଦଇତାପତିଙ୍କ ଦ୍ୱାରା ସେନାପଟା ଲାଗି ନୀତି କରାଯିବା ନେଇ ନୀତି ନିର୍ଘଣ୍ଟ କରାଯାଇଛି । ସେପଟେ ସେନାପଟା ଲାଗି ଗତକାଲି ରାତିରେ ସାକ୍ଷୀଗୋପାଳରୁ ଚାରୋଟି ବୋଉଳକାଠ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି ।