ତିନିରଥର ଶିର୍ଷ ଭାଗରେ ୧୩ ପରସ୍ତ ପୋଟଳ ପଡି ଖପୁରୀରେ ବନ୍ଦ କରାଯାଇଛି । ଦୁଆରବେଢା ସରିଯାଇଥିବା ବେଳେ ପ୍ରଭା କାମ ଚାଲିଛି ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ରାଜ୍ୟ ସରକାର ଏପର୍ଯ୍ୟନ୍ତ ରଥଯାତ୍ରା ହେବ କି ନାହିଁ ସ୍ପଷ୍ଟ କରି ନ ଥିଲେ ମଧ୍ୟ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏଇ କିଛିଦିନ ଭିତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ସହ ଜଡିତ ଥିବା ପ୍ରାୟ ୧୦ଟି ନିଯୋଗ ସହ ଆଲୋଚନା ସରିଯାଇଛି । ସେହିପରି ରଥନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଆରବେଢା ସରିଥିବା ବେଳେ ପ୍ରଭା କାର୍ଯ୍ୟ ଚାଲିଛି । ରଥକନା କାମକୁ ମଧ୍ୟ ବେଶ୍ ଆଗେଇ ନେଇଛନ୍ତି ଦର୍ଜି ସେବକ । ଅଣସର ପିଣ୍ଡିରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷ ଲାଗି କରୁଛନ୍ତି । ଦଶମୀ ଦିନ ରହିଛି ଚକାବିଜେ ।
ତିନିରଥର ଶିର୍ଷ ଭାଗରେ ୧୩ ପରସ୍ତ ପୋଟଳ ପଡି ଖପୁରୀରେ ବନ୍ଦ କରାଯାଇଛି । ଦୁଆରବେଢା ସରିଯାଇଥିବା ବେଳେ ପ୍ରଭା କାମ ଚାଲିଛି । କଳସ, ପାର୍ଶ୍ୱଦେବାଦେବୀ, ଓଲଟ ସୁଆ ଓ ସଖିଙ୍କ ରଙ୍ଗ କାମ ଚିତ୍ରାକାର ସେବକମାନେ କରୁଥିବା ବେଳେ ଘୋଡା ଓ ସାରଥି କାମ ମଧ୍ୟ ଆରମ୍ଭ ହେବ। ତିନିରଥର ଶୋଭାବର୍ଦ୍ଧନ କରୁଥିବା ପାରମ୍ପରିକ ରଙ୍ଗିନ କପଡା କାମକୁ ଦର୍ଜି ସେବକମାନେ ଆଗେଇ ନେଇଛନ୍ତି । ବାଡ ଅନୁସାରେ ପନ୍ଦର ଜଣ ଦର୍ଜି ସେବକ ଭାଗ ହୋଇ କାମ କରୁଛନ୍ତି ।

ଗୁଜୁରାଟର ସୁରଟରୁ ଆସିଥିବା ୧୨୫୦ମିଟର କପଡାକୁ କାଟି ତିନି ରଥପାଇଁ ନାଲି-ହଳଦିଆ, ନାଲି-କଳା ଓ ନାଲି-ସବୁଜ ରଙ୍ଗର କପଡା ପ୍ରସ୍ତୁତ କରାଯାଉଛି । ବିଳମ୍ବରେ ରଥକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରଥଯାତ୍ରାର ଦୁଇ ତିନି ଦିନ ପୂର୍ବରୁ ସରିଯିବ ବୋଲି ଆଶା ରଖିଥିବା କହିଛନ୍ତି ଦର୍ଜି ସେବକ ।
ରଥଯାତ୍ରା ଆଉ ମାତ୍ର ଦଶଦିନ ରହିଥିବା ବେଳେ ସରକାର ଏନେଇ ସ୍ପଷ୍ଟ କରିନାହାନ୍ତି । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗ ମଧ୍ୟରେ ଯେଭଳି ବୈଠକ ପରେ ବୈଠକ ଚାଲିଛି ତ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ରଥଯାତ୍ରା ହେବା ନେଇ ଯେଉଁ ଅନିଶ୍ଚିତ ଥିଲା ତାହା ଦୂର ହୋଇଛି । ତଥାପି କୋଭିଡ୍ କଟକଣା ମଧ୍ୟରେ ରଥଯାତ୍ରା ହେବା ନିଶ୍ଚିତ ପକ୍ଷେ ଏକ ଚ୍ୟାଲେଞ୍ଜ । ସରକାରଙ୍କ ନିଷ୍ପତ୍ତିକୁ କୋଟିକୋଟି ଜଗନ୍ନାଥପ୍ରେମୀ ଅପେକ୍ଷା କରିଛନ୍ତି ।