'ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା'
Advertisement

'ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା'

ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଯୋଗୁ ରଥଯାତ୍ରା ସମ୍ଭବ ହୋଇଛି । ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ନିଷ୍ଠା ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । 

ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: କୋରୋନା ଯୋଗୁ ରଥଯାତ୍ରା ସୁରଖୁରରେ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ଥିଲା । ତେବେ ରଥଯାତ୍ରାରୁ ନିଲାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନ ଶୃଙ୍ଖଳିତ ଭାବେ ହୋଇପାରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶୃଙ୍ଖଳିତ ଭାବେ ରଥଯାତ୍ରା ହେବାକୁ ଲୀଳାମୟଙ୍କ ଇଚ୍ଛା ଭାବେ ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ''ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ଫେରିଛନ୍ତି । ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା। ଜୟ ଜଗନ୍ନାଥ।''

ସେହିପରି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ''ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ ଜଣାଉଛି । କୋଭିଡ ନିୟମ ମାନି ଘରେ ରହି ଟିଭିରେ ରଥଯାତ୍ରା ଦେଖିଥିବାରୁ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା । ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି ।'' 

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରଥଯାତ୍ରା ହେବ କି ନହେବ ସନ୍ଦେହ ଥିଲା । ଭଗବାନଙ୍କ ଲୀଳା ଯୋଗୁ ରଥଯାତ୍ରା ଶେଷ ହୋଇଛି । ପ୍ରଭୁଙ୍କ ଇଛା ଥିଲା,  ରଥଯାତ୍ରା ହେଲା । ଯେଉଁମାନେ ଷଡ଼ଯନ୍ତ୍ର କରୁଥିଲେ, ତାର ପର୍ଦ୍ଦାଫାଶ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନିଷ୍ଠା ଯୋଗୁ ରଥଯାତ୍ରା ସମ୍ଭବ ହୋଇଛି । ବିରାଟ ପରମ୍ପରା ରକ୍ଷା ହେଲା । ଲୋଜେ ଜାଣିଛନ୍ତି, କିଏ ଷଡ଼ଯନ୍ତ୍ର କରିଥିଲେ । କହିବା ଆବଶ୍ୟକ ନାହିଁ । କିନ୍ତୁ ଏତିକି କହିବି,  ଜଗନ୍ନାଥ ଚାହିଁଲେ ବୋଲି ରଥଯାତ୍ରା ହେଲା । ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ନିଷ୍ଠା ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।