)
ସରୋଜ ବେହେରା, ଭୁବନେଶ୍ୱର: ପେଟୁଆ ପୋଲିସ କର୍ମଚାରୀଙ୍କ ଉପରେ କୋରୋନା ଛାଟ । ଏଥର କମିଶନରେଟ ପୋଲିସର ସମସ୍ତ କର୍ମଚାରୀ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ବାଧ୍ୟତାମୂଳକ । ପୋଲିସ କର୍ମଚାରୀଙ୍କୁ ଫିଟ ରହିବାକୁ ପଡ଼ିବ । ଉଚ୍ଚତା ଅନୁସାରେ ଓଜନର ସନ୍ତୁଳନ ରକ୍ଷା କରିବାକୁ ହେବ । ଫିଟ ନରହିଲେ ବନ୍ଦ ହୋଇପାରେ Increment । କେବଳ ଏତିକି ନୁହେଁ, ବାଧ୍ୟତାମୂଳକ ଅବସର ମଧ୍ୟ ନେବାକୁ ପଡ଼ିପାରେ । ତେଣୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଏହା ଉପରେ ସତର୍କ ଏବଂ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ । କୋରୋନା ଭଳି ମହାମାରୀ ସମୟରେ ପୋଲିସ କର୍ମଚାରୀ ଫିଟ ରହିବାର ଆବଶ୍ୟକତାକୁ ଉପଲବ୍ଧି କରି ଏଭଳି ନିଷ୍ପତ୍ତି ନିଆଯାଇଛି ।
ଚାକିରି ପାଇବା ପୂର୍ବରୁ ନିଜକୁ ବେଶ୍ ଫିଟ ରଖିଥାନ୍ତି ପୋଲିସ କର୍ମଚାରୀ । ହେଲେ ଚାକିରି ମିଳିବା ପରେ ଆରମ୍ଭ ହୋଇଯାଏ ଅଳସୁଆମି । ନିଜ ସ୍ୱାସ୍ଥ୍ୟର ଯତ୍ନନେବାରେ ଅବହେଳା କରନ୍ତି ଅନେକ ପୋଲିସ କର୍ମଚାରୀ । ଉଚ୍ଚତା ତୁଳନାରେ ଓଜନ ବେଶ୍ ଅଧିକ ହୋଇଯାଏ । ଆଉ ଏହି କାରଣରୁ କୋରୋନା ଭଳି ମହାମାରୀ ମୁକାବିଲା କରିବା ଦିଗରେ ପୋଲିସକୁ ମଧ୍ୟ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ୁଛି । ତେଣୁ ପୋଲିସ କର୍ମଚାରୀଙ୍କୁ ଫିଟ ରହିବାକୁ ତାଗିତ କରିଛି କମିଶନରେଟ ପୋଲିସ ।
କମିଶନରେଟ ପୋଲିସ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ତାଙ୍କ ବର୍ତ୍ତମାରନ BMI (Body Mass Index) ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ ଓଜନ କେତେ ଓ କେତେ ହେବା ଦରକାର, ତାହା ଜଣାଇ ଦିଆଯିବ । ସାଧାରଣରେ ୧୯ରୁ ୨୫ ଯାଏଁ BMIକୁ ସ୍ୱାଭାବିକ ଧରାଯାଏ । ୩୦ BMIକୁ ମେଦବହୁଳତା ଭାବେ ବିବେଚନା କରାଯାଏ । ଏଭଳି ଓଜନ ଓ ହିସାବ କଲା ପରେ ସମସ୍ତେ ଜାଣି ପାରିବେ ଯେ ,ସେମାନଙ୍କ ଓଜନ କେତେ ହେବାକଥା । ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ । ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ ।
ତେବଳ ଏତିକି ନୁହେଁ, ପୁଣି ତିନି ମାସ ପରେ ଅର୍ଥାତ ନଭେମ୍ବରରେ ସମସ୍ତଙ୍କ ଓଜନ ନିଆଯିବ । ଦେଖାଯିବ ଯେ, ପୋଲିସ କର୍ମଚାରୀମାନେ ଓଜନ କମାଇବାକୁ ଚେଷ୍ଠା କରୁଛନ୍ତି ନା ନାହିଁ । ତିନି ମାସ ପରେ ମଧ୍ୟ ଯେଉଁମାନଙ୍କ BMI ୩୦ ଉପରେ ରହିବ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟାମ କରିବାକୁ ଆସିବାକୁ ପଡ଼ିବ । ଏପରିକି ୬ ସପ୍ତାହର Referhser Courseରେ ଯୋଗ ଦେବାକୁ ପଡ଼ିପାରେ । ଏଭଳି କିଛି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ ।
କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି, ଆଗରୁ ମୋଟା ହେବା ନ ହେବା ଜନ୍ମ ମୃତ୍ୟୁର ପ୍ରଶ୍ନ ନ ଥିଲା । ବର୍ତ୍ତମାନ ପରିସ୍ଥିତିରେ ବେପରୁଆ ହୋଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନ ନେବା ଘାତକ ସାବ୍ୟସ୍ତ ହୋଇପାରେ । ତେଣୁ ସମସ୍ତେ ଏହି ନିର୍ଦ୍ଦେଶକୁ ନିଜ ହିତ ଦୃଷ୍ଟିରୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ । ଯେଉଁମାନେ ଏହି ଆଦେଶକୁ ଗୁରୁତ୍ୱ ଦେବେ ନାହିଁ, ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି । Increment ବନ୍ଦ କରାଯାଇପାରେ କିମ୍ବା ଦରକାର ପଡିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇପାରେ ବୋଲି କହିଛି କମିଶନରେଟ ପୋଲିସ ।