ଦେଶରେ ବଢୁଛି ରାଜ୍ୟରେ କମୁଛି, ୧୩ ବର୍ଷରେ ୧୬୯ ବାଘ ଗାଏବ
Advertisement

ଦେଶରେ ବଢୁଛି ରାଜ୍ୟରେ କମୁଛି, ୧୩ ବର୍ଷରେ ୧୬୯ ବାଘ ଗାଏବ

ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ମଧ୍ୟ ବାଘ ରାକେଟ ପର୍ଦାଫାଶ କରିଥିବା ବେଳେ କିଙ୍ଗପିନକୁ ଗିରଫ କରିବା ତ ଦୂରର କଥା ଶୀକାରିଙ୍କୁ ଧରିବାରେ ବିଫଳ ହୋଇଥିଲା । ବିଭାଗୀୟ କର୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ରାଜ୍ୟରେ ବାଘ ଏବେ ଲୋପ ପାଇବା ପରିସ୍ଥିତିରେ ପହଞ୍ଚିଲାଣି । ଆଉ ଏଥିରେ ଲକ ଡାଉନ ବେସ ସହାୟକ ହୋଇଛି ।

ଦେଶରେ ବଢୁଛି ରାଜ୍ୟରେ କମୁଛି, ୧୩ ବର୍ଷରେ ୧୬୯ ବାଘ ଗାଏବ

ସରୋଜ ବେହେରା, ଭୁବନେଶ୍ୱର: ଓଡିଶାରେ ଚାଲିଛି ବେଧଡକ ବାଘ ଶୀକାର । ଶିକାରୀ ବାଘ ଶୀକାର କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢାଉ କରୁଛି । ହେଲେ କିଛି ଏଜେଣ୍ଟକୁ ଛାଡିଦେଲେ ବାଘ ଛାଲ ରାକେଟରେ ସମ୍ପୃକ୍ତ ଶିକାରୀଙ୍କୁ ଧରିବାରେ ବିଫଳ ହୋଇଛି ପ୍ରଶାସନ । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ନିୟମିତ ବାଘ ଶିକାର ହେଉଛି । ଏବେ ଓଡିଶାରେ ମହାବଳ ବାଘ କେବଳ ସଂରକ୍ଷିତ ଜଙ୍ଗଲ କିମ୍ବା ଚିଡିଆଖାନାରେ ସୀମିତ ରହିଯାଇଛି ।  

ସେପଟେ କଲରାପତରିଆ କମି ୩୧୮ରେ ପହଞ୍ଚିଲାଣି । ଶୀକାରିଙ୍କୁ ସୁହାଇଛି ଏବେ ଲକ ଡାଉନ । ଏହି ସମୟରେ ଶୀକାରୀ ବାଘ ଶୀକାର କରିଥିବା ବେଳେ ସେ ସବୁକୁ ବାହାରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଆଉ ବନ ବିଭାଗ ଦ୍ୱାରା ଗିରଫ ମଧ୍ୟ ହେଉଛନ୍ତି । ଗଜପତିରୁ ଆଣି ବ୍ରହ୍ମପୁରରେ ଛାଲ ବିକ୍ରି ହେଉ ବା ରଣପୁରରେ ଡିଲ୍ । ନବରଙ୍ଗପୁରରେ ବାହାର ରାଜ୍ୟର ଦଲାଲଙ୍କ ସହ ଡିଲ୍ ଚାଲିଥିବା କଥା ହେଉ ବା ନୂଆପଡାରେ ବାଘ ମୁଣ୍ଡ ଓ ଛାଲ ଶୀକାର କରି ରଖିବା କଥା ।  ଏତେ ସବୁ ସଫଳତା ଗତ କିଛି ମାସରେ ପାଇଛି ବନ ବିଭାଗ । 

ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ମଧ୍ୟ ବାଘ ରାକେଟ ପର୍ଦାଫାଶ କରିଥିବା ବେଳେ କିଙ୍ଗପିନକୁ ଗିରଫ କରିବା ତ ଦୂରର କଥା ଶୀକାରିଙ୍କୁ ଧରିବାରେ ବିଫଳ ହୋଇଥିଲା । ବିଭାଗୀୟ କର୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ରାଜ୍ୟରେ ବାଘ ଏବେ ଲୋପ ପାଇବା ପରିସ୍ଥିତିରେ ପହଞ୍ଚିଲାଣି । ଆଉ ଏଥିରେ ଲକ ଡାଉନ ବେସ ସହାୟକ ହୋଇଛି ।   

ବନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ୨୦୦୪ ଗଣନାରେ ରାଜ୍ୟରେ ଥିଲେ ୪୮୭ କଲରାପତ୍ରିଆ ବାଘ । ଗତ କିଛି ବର୍ଷ ହେବ ରାଜ୍ୟରେ ଚାଲିଥିବା ଅବାଧ ଶିକାର ଯୋଗୁ ୨୦୧୭ ସୁଦ୍ଧ ରାଜ୍ୟରେ ମାତ୍ର ୩୧୮ଟି କଲରାପତ୍ରିଆ ବାଘ ରହିଛନ୍ତି। ବିଗତ ୧୩ ବର୍ଷରେ ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ଏପରି ଧରଣର ବାଘଙ୍କୁ ଶିକାର କରାଯାଇଛି । ବନ୍ୟ ପ୍ରାଣୀ ଶୀକାର ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ରାଜ୍ୟରେ ତିଆରି ହୋଇଛି ସ୍ପେଶାଲ ଟାସ୍କ ଫୋର୍ସ । 

ଏଥିରେ ବନ ବିଭାଗର ଜଣେ ଅତିରିକ୍ତ ବନ ପ୍ରାଣୀ ସଂରକ୍ଷକଙ୍କୁ ନିୟୋଜିତ କରାଯାଇଥାଏ । ହେଲେ ପ୍ରାୟ ବର୍ଷେ ହେବ ଏହି ପଦବୀ ଖାଲି ପଡିଥିବାରୁ ବନ ବିଭାଗ ଓ ଏସଟିଏଫର ସମନ୍ୱୟ ରହିପାରୁନାହିଁ । ଯାହା ଫଳରେ ଏସଟିଏଫ କେବଳ ମଧ୍ୟସ୍ଥି କରୁଥିବା ଲୋକଙ୍କୁ ଗିରଫ କରୁଥିବା ବେଳେ ଜଣେ ମଧ୍ୟ ଶିକାରୀ ଧରାପଡୁନାହାନ୍ତି ।   

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇଥିବା କଲରାପତରିଆ ବାଘ ଶିକାର ରୋକିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଆରମ୍ଭ କରିଥିଲା ଅପରେଶନ । ଚଳିତ ବର୍ଷର କଥା ଯଦି କହିବା ଏସିଟଏଫ ମଧ୍ୟ ବିଭାଗ ସହ ମିଶି ୨ଟି ମାମଲାରେ ୫ଟି କଲରାପତ୍ରିଆ ବାଘ ଚମଡା ଜବତ କରିବା ସହ ଏହାକୁ ବିକ୍ରି କରୁଥିବା ପ୍ରାୟ ୧୫ରୁ ଅଧିକ ଲୋକକୁ ଗିରଫ କରିଛି । ଏବେ ବ୍ରହ୍ମପୁର, ନବରଙ୍ଗପୁର, ନୟାଗଡ ଓ ସୁନାବେଡାରୁ ବନ ବିଭାଗ ଗିରଫ କରିଛି ଏକାଧିକ ଶୀକାରିଙ୍କୁ ।   
ମାର୍ଚ୍ଚ ୧୫,୨୦୧୯ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକ ହୋଟେଲରେ ଚଢାଉ କରି ୪ଟି ବାଘ ଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଥିଲା ଏସଟିଏଏଫ । ମାର୍ଚ୍ଚ ୨୭, ୨୦୧୯ କଳାହାଣ୍ଡି ଜିଲ୍ଲା ପୋଖରୀବନ୍ଧ ଅଞ୍ଚଳରୁ ମୋଟର ସାଇକେଲରେ ଯାଉଥିବା ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଥିଲା ବିଶ୍ୱନାଥପୁର ଥାନା ପୋଲିସ । ସେମାନଙ୍କ ବାଇକରୁ ଜବତ ହୋଇଥିଲା ବାଘ ଚମଡା । ଜୁନ ୨, ୨୦୧୯ ବାଘ ଛାଲ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ରାଉରକେଲା ଜେଲର ୱାର୍ଡର ଓ ତାଙ୍କ ସହଯୋଗୀ । ନଭେମ୍ବର୨୬, ୨୦୧୮ କଟକ ଜିଲ୍ଲା ଆଠଗଡ ଅଞ୍ଚଳରୁ ଜଣେ ଶିକାରୀଙ୍କୁ ଜବତ କରି ଗୋଟାଏ ବାଘ ଛାଲ ଜବତ କରିଥିଲା ବନ ବିଭାଗ ।  

ଅନେକ ସମୟରେ ବାଘ ଶୀକାରିଙ୍କ ନିକଟରେ ବନ୍ଧୁକ ଥିବା ବେଳେ ବନ ଅଧିକାରୀ ସେମାନଙ୍କୁ ଧରିବାରୁ ସାହାସ କରିନଥାନ୍ତି । ଏଥିପାଇଁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସକୁ ବାଘ ଶୀକାରିଙ୍କୁ ଧରିବା ଦାୟୀତ୍ୱ ଦିଆଯାଇଥିଲା । ଏବେ କ୍ରାଇମବ୍ରାଞ୍ଚ ଟିମ୍ ଅଣ୍ଡର କଭର ଏଜେଣ୍ଟଙ୍କୁ ଧରି ବାଘ ବିକ୍ରି କରୁଥିବା ରାକେଟର ପର୍ଦାଫାଶ କରିବାରେ ସଫଳ ହୋଇଥିଲା । ପ୍ରାୟ ୧୫ ଜଣ ଏଜେଣ୍ଟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବହୁମୂଲ୍ୟ ୫ଟି ବାଘ ଛାଲ ମଧ୍ୟ ଜବତ କରିଥିଲା ଏସଟିଏଫ ।  

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କେତେକ ସରକାରୀ କର୍ମଚାରୀ ଥିବା ଜଣାପଡିବା ପରେ ସରକାରୀ କଳର ଅବହେଳା ପଦାକୁ ଆସିଥିଲା । ସେମାନଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଥ୍ୟ ଉଗାଳିବାରୁ ଚେଷ୍ଟା କରିଥିଲା । କେତେବେଳେ ଦେବଗଡରୁ ବାଘ ଛାଲ ଧରାପଡିଥିବା କୁହାଯାଉଥିବା ବେଳେ କେତେ ବେଳେ ଛାଲ ବିକ୍ରି କରୁଥିବା ଲୋକଙ୍କ ଚେର ମୟୂରଭଞ୍ଜରେ ପହଞ୍ଚିଥିଲା । ଏଭଳି ପରିସ୍ଥିତିରେ ଅସଲ ଶୀକାରି କିଏ ତାହା ଜାଣିବା କ୍ରାଇମବ୍ରାଞ୍ଚ ପାଇଁ କାଠିକର ପାଠ ହୋଇଛି । 

କେତେ ବେଳେ ବନ ବିଭାଗ ଅଧିକାରୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳୁଛି ତ ଆଉ କେତେ ବେଳେ ଅନ୍ୟ ବିଭାଗ କର୍ମଚାରୀଙ୍କ । ଅନେକ ସମୟରେ ଛାଲ ପାଇଁ କଲରାପତ୍ରିଆ ବାଘଙ୍କୁ ଗୁଳି କରାଯାଇଥିବା ଫରେନସିକ ରିପୋର୍ଟରୁ ଜଣାପଡିଛି । ବାଘଙ୍କୁ ଧରି ଖୁବ୍ ନିକଟରୁ ଗୁଳି କରାଯାଇଯାଇଥିବା ସ୍ପଷ୍ଟ ପ୍ରମାଣ ମଧ୍ୟ ମିଳୁଛି । ବାଘ ଛାଲ ରାକେଟର ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ବି ସେମାନେ ବ୍ୟବହାର କରିଥିବା ଗୁଳିକୁ ଏଯାଏ ଜବତ କରିପାରିନି ଏସଟିଏଫ । ସେପଟେ ବନ ଅଧିକାରୀ ଘଟଣାକୁ ହାଲୁକା ଭାବେ ନେଉଥିବା ଅଭିଯୋଗ କରିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ । ବନ ବିଭାଗ ଘଟଣାକୁ ଚାପିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । 

୨୦୧୬ ଗଣନାରୁ ଜଣା ପଡିଥିଲା ହୀରାକୁଦ ବନ୍ୟ ସଂରକ୍ଷିତ ଜଙ୍ଗଲରେ ୨୨ଟି ଓ ବଡରମା ବନ୍ୟ ସଂରକ୍ଷିତ ଜଙ୍ଗଲରେ ୮ଟି କଲରା ପତ୍ରିଆ ବାଘ ଥିଲେ । ଛାଲ ବାହାରିଥିବା ବାଘ ସେ ସବୁ ଅଞ୍ଚଳର କି ନାହିଁ ସେ ସବୁକୁ ନେଇ ତନାଘନା ଆରମ୍ଭ କରିଛି ବନ ବିଭାଗ । ବାଘ ଗୁଡିକ ରାଜ୍ୟ ବାହାର ବୋଲି ୱାଇଲ୍ଡ ଲାଇଫ ପିସିସିଏଫ କହୁଥିବା ବେଳେ ଏହାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ୪ଟି ବାଘ ଛାଲକୁ ୪୦ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିବା ବେଳେ ସେ ସବୁକୁ ରାଜ୍ୟ ବାହାରକୁ ଚାଲଣ କରାଯାଇଥାଏ ।  

ସମ୍ବଲପୁର କୁଚିଣ୍ଡାରୁ ବାଘ ଛାଲ ମିଳିବା ଘଟଣାରେ କ୍ରାଇମ ବ୍ରାଞ୍ଚ ୧୦ ଜଣଙ୍କୁ ଗିରଫ କରିବାର କିଛି ମାସ ପରେ ପୁଣି ଦେବଗଡ ଅଞ୍ଚଳରୁ ମିଳିଛି ବାଘ ଛାଲ ।  ଏହାକୁ ବିକ୍ରି କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଏସଟିଏଫ ପୁଣି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୭ ପୁଟରୁ ଲମ୍ବା ଏକ କଲରାପତ୍ରିଆ ବାଘର ଛାଲ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଅବସର ପ୍ରାପ୍ତ ଜେଲ ଅଧିକାରୀଙ୍କୁ ଦୁଇ ପୁଅ ଥିବା ବେଳେ ଅନ୍ୟ ଜଣଙ୍କ ଘର ରାଉରକେଲା ବୋଲି ଜଣାପଡିଛି । ଦେବଗଡରୁ ବାଘ ଶୀକାର କରିବା ପରେ ଅଭିଯୁକ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି । ତା'ପରେ ରାଜ୍ୟ ବାହାରେ ଥିବା ସେମାନଙ୍କ ମଧ୍ୟସ୍ଥିଙ୍କ ଜରିଆରେ ରାଜ୍ୟ ବାହାରକୁ ଯାଇଥାଏ । 

ପ୍ରାୟତଃ ଦେଢ ଦୁଇ ଲକ୍ଷ ଟଙ୍କାରେ ଶୀକାରିଙ୍କ ଠାରୁ କିଣିଥିବା ଏହି ବାଘ ଛାଲ ବେପାରୀଙ୍କ ନିକଟରେ ମଧ୍ୟସ୍ଥିଙ୍କ ଜରିଆରେ ପହଞ୍ଚିବା ବେଳକୁ ୮ ଲକ୍ଷ ଟଙ୍କାରେ ପହଞ୍ଚି ଥାଏ । ସେପଟେ ବାରମ୍ବାର ବାଘ ଛାଲ ଧରିପଡୁଛି ସତ । ହେଲେ ଶିକାରୀ ଧରା ପଡୁନଥିବାରୁ ଏହା କେଉଁ ଜଙ୍ଗଲରେ ଶୀକାର କରାଯାଉଛି ତାହା ସ୍ପଷ୍ଟ ହୋଇପାରୁନାହିଁ । କେବଳ ସେତିକି ନୁହଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଏଜେଣ୍ଟଙ୍କ ପରିଚୟ ବାହାର କରି କିଭଳି ସେମାନେ ଏହାକୁ ନେପାଳ ଓ ମିଆଁମାର ଭଳି ଦେଶକୁ ରପ୍ତାନୀ କରୁଥିଲେ ତାହାର ଚେର ଖୋଜିବାକୁ ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ଦେଶ ବାହାର ଚମଡା ବ୍ୟବସାୟୀଙ୍କ ନାଁ ଗାଁ ଠିକଣା ପାଇବା ପରେ ଇଣ୍ଟରପୋଲକୁ ଚିଠି ଲେଖି ବିଦେଶୀ ବେପାରୀଙ୍କୁ ଧରିବାକୁ ଯୋଜନା କରୁଛି ଏସଟିଏଫ । 

ସଂରକ୍ଷିତ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ କାହାରିକୁ ଅନୁମତି ନାହିଁ । ସେପଟେ ଅବାଧ ଶୀକାର ହେଉଛି ଜଙ୍ଗଲ ଭିତରେ । ଏଭଳି ପରିସ୍ଥିତିରେ ଶୀକାରୀଙ୍କୁ ଧରିବାରେ ବନ ବିଭାଗ ଓ ଏସଟିଏଫ କରୁଛନ୍ତି କ'ଣ? ମଧ୍ୟସ୍ଥିଙ୍କୁ ଧରିବାରେ ସଫଳ ହେଉଛି କ୍ରାଇମବ୍ରାଞ୍ଚ । ହେଲେ ଶୀକାରିଙ୍କୁ ଧରିବାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପଦାରେ ପଡିଛି ।